ଯାଜପୁର/ସଦର : ଯାଜପୁର ଭଳି ଆଗୁଆ ଜିଲ୍ଲାରେ ବଳରାମ ଯୋଜନା ବିଫଳ ହୋଇଛି। ଜିଲ୍ଲାରେ ୫,୧୯୬ଟି ମିଳିତ ଦେୟ ଗୋଷ୍ଠୀ(ଜେଏଲଜି) ଗଠନ କରିବାକୁ ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୧୦ଭାଗରୁ କମ୍ ୫୦୫ଟି ଗଠନ ହୋଇଛି। ଗଠନ ହୋଇଥିବା ଜେଏଲ୍ସିରୁ ମାତ୍ର ୩ ୧୪ଟି ଗୋଷ୍ଠୀକୁ ସରକାରୀ ଋଣ ପ୍ରଦାନ କରିଛନ୍ତି। ଫଳରେ ପୂର୍ବଭଳି ଭାଗଚାଷୀମାନେ ଜମି ମାଲିକ ଓ ସାହୁକାରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଜିଲ୍ଲାର ପ୍ରାୟ ୨୬ ହଜାର ଭାଗଚାଷୀ ଋଣଯନ୍ତାରେ ରହିଥିବା ଜଣାପଡ଼ିଛି।
ସର୍ବାଧିକ ୪ରୁ ୫ ଜଣ ଚାଷୀଙ୍କୁ ନେଇ ମିଳିତ ଦେୟ ଗୋଷ୍ଠୀ(ଜେଏଲଜି) ଗଠନ କରି ବ୍ୟାଙ୍କ ଓ ସମବାୟ ସମିତି ଜରିଆରେ ବାର୍ଷିକ ସର୍ବାଧିକ ୧ଲକ୍ଷ ୬୦ ହଜାର ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଯାଜପୁର ପରି କୃଷି ପ୍ରଧାନ ଜିଲ୍ଲାରେ ଯୋଜନାର ସଫଳ ରୂପାୟନ ହୋଇପାରିନାହିଁ। ଯୋଜନାର ବିଫଳତା ପାଇଁ ଜମିମାଲିକମାନେ ଦାୟୀ ବୋଲି କୃଷି ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ୨୦୨୨-୨୩ବର୍ଷରେ ଯାଜପୁର ଜିଲ୍ଲାରେ ୫୧୯୬ଟି ଜେଏଲଜି ଗଠନ କରିବାକୁ ଲକ୍ଷ୍ୟ ରହିଛି। କୃଷକ ସାଥୀଙ୍କ ଜରିଆରେ ୨୬ହଜାର ୩୩୯ ଜଣ ଭାଗଚାଷୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନାମକୁ ବ୍ୟାଙ୍କ ଓ ପ୍ୟାକ୍ସରେ ଯାଞ୍ଚ୍ ପାଇଁ ପଠାଯାଇଥିବା ବେଳେ ଅଧିକାଂଶ ଚାଷୀ ଅଯୋଗ୍ୟ ଦର୍ଶାଯାଇଛି। ମାତ୍ର ୯,୧୮୩ ଜଣ ଚାଷୀଙ୍କୁ ଋଣ ପାଇଁ ଯୋଗ୍ୟ କରାଯାଇଛି। ସେହି ଚାଷୀଙ୍କୁ ନେଇ ୫୦୫ଟି ଜେଏଲଜି ଗଠନ କରାଯାଇଛି। ଗୋଷ୍ଠୀ ଗଠନ ହେଲେ ବି ଋଣ ପ୍ରଦାନ କରାଯାଇପାରୁନାହିଁ। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ବଡ଼ଚଣାର ୨ଟି ଗ୍ରୁପ୍, ବରୀର ୬ଟି ଓ ଦାନଗଦୀର ୪ଟି ମୋଟ ୧୨ଟି ଗ୍ରୁପ୍କୁ ବ୍ୟାଙ୍କ ଜରିଆରେ ୧୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି।
ବିଂଝାରପୁର ଓ ଧର୍ମଶାଳାର ଗୋଟିଏ ଲେଖାଏଁ ଗ୍ରୁପ୍କୁ ଦେଢ଼ଲକ୍ଷ ଟଙ୍କା ଋଣ ମିଳିଛି। ଯାହାକି ଲକ୍ଷ୍ୟ ଠାରୁ ଅନ୍ୟ ଜିଲ୍ଲା ତୁଳନାରେ ବହୁ ପଛରେ ରହିଛି। ସେହିପରି ୨୦୨୧-୨୨ ବର୍ଷରେ ୨୪ଟି ଗ୍ରୁପ୍କୁ ଋଣ ମିଳିଥିଲା। ଏଯାବତ୍ ରସୁଲପୁରର ୨ଟି ଗ୍ରୁପ୍ ବ୍ୟତୀତ ଅନ୍ୟ ଗ୍ରୁପ୍ମାନେ ଋଣ ପରିଶୋଧ କରିନାହାନ୍ତି। ଯାହାକି ଭବିଷ୍ୟତରେ ସେମାନେ ବି ଋଣ ପାଇବା ତାଲିକାରୁ ବାଦ୍ ପଡ଼ିବା ପରିସ୍ଥିତି ସୃଷ୍ଟି ହେଉଛି। ଏହାରି ଭିତରେ ଜମି ମାଲିକମାନେ ଭାଗଚାଷୀଙ୍କୁ ନିଜ ଜମିର ପଟ୍ଟା, ପ୍ଲଟ୍ ଓ ଖାତା ନମ୍ବର ଯୋଗାଇ ଦେଉନଥିବାରୁ ଭାଗଚାଷ କରୁଥିବା ଚାଷୀ ଋଣ ପାଇଁ ଆଶାୟୀ ଥାଇ ବି ଯୋଜନାର ଲାଭ ପାଇପାରୁ ନହାନ୍ତି। ଭାଗଚାଷୀମାନେ ପୂର୍ବ ଭଳି ଗାଁ ସାହୁକାରଙ୍କ ଠାରୁ ମୋଟା ଅଙ୍କ ସୁଧରେ ଋଣ ନେଇ ଭାରାକ୍ରାନ୍ତ ହେଉଛନ୍ତି। ସରକାରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ବଳରାମ ଯୋଜନା ପ୍ରହସନରେ ପରିଣତ ହେବାକୁ ବସିଛି।
ଉଲ୍ଲେଖଯୋଗ୍ୟ ଯେ କୃଷିର ବିକାଶରେ ଭାଗଚାଷୀଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନଙ୍କୁ ସାହୁକାର ଓ ଜମି ମାଲିକଙ୍କ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ‘ବଳରାମ ଯୋଜନା’ ପ୍ରଣୟନ କରିଛନ୍ତି।