ଜୟପୁର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଭୂମିହୀନ ତଥା ଭାଗ ଚାଷୀଙ୍କୁ “ବଳରାମ” ଯୋଜନା ଜରିଆରେ ବ୍ୟାଙ୍କରୁ ଆନୁଷ୍ଠାନିକ ଋଣ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ତେବେ କୋରାପୁଟ ଜିଲ୍ଲାରେ ଏହା ଦିଗହରା ହୋଇ ପଡ଼ିଛି।
ସୂଚନା ଅନୁସାରେ, ଜିଲ୍ଲାର ୧୪ଟି ବ୍ଲକରେ ୨୧୭୫ ଜଣଙ୍କୁ ଏହି ଋଣ ଦେବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ୩୫୪୦ ଜଣ ଭାଗ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୯୫୯ଜଣଙ୍କର ଯାଂଚ ସରିଥିଲା। ୩୭୩ଟି (ଜେଏଲଜି ) ଯୁଗ୍ମ ଚାଷୀ ଗୋଷ୍ଠୀ ଗଠନ କରାଯାଇଥିବା ବେଳେ ୩୩୫ ଟି ଜେଏଲଜିକୁ ଋଣ ଦେବାକୁ ଅନୁରୋଧ ପତ୍ର ଆତ୍ମା ପକ୍ଷରୁ ପଠାଯାଇଥିଲା। ତାହାରି ମଧ୍ୟରୁ ୧୫୧ଟି ଜେଏଲଜିକୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୧ କୋଟି ୧୩ ଲକ୍ଷ ୫୨ହଜାର ୭୦୦ ଟଙ୍କାର ଋଣ ବିଭିନ୍ନ ବ୍ୟାଙ୍କ୍ ଓ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଦ୍ୱାରା ଦିଆଯାଇଛି। କୁନ୍ଦ୍ରା ବ୍ଲକରେ ଗୋଟିଏ ବି ଜେଏଲଜି ଗଠନ କରାଯାଇ ନାହିଁ। ବୋରିଗୁମ୍ମା, ଦଶମନ୍ତପୁର, ନନ୍ଦପୁର ଓ ସେମିଳିଗୁଡା ବ୍ଲକର ଗୋଟିଏ ବିଜେଏଲଜିକୁ ବିଭିନ୍ନ ବ୍ୟାଙ୍କ ଓ କୃଷି ସମବାୟ ସମିତି ଋଣ ଦେଇ ନାହାନ୍ତି।
ଏହି ସ୍ଥିତିରେ ଚିହ୍ନଟ ହୋଇ ଜେଏଲଜି ଗଠନ ହୋଇ ପାରି ନଥିବା ୧୫୮୧ ଜଣ ଭୂମିହୀନ ଚାଷୀଙ୍କ କେବେ ଜେଏଲଜି ଗଠନ କରାଯିବ ତାହାକୁ ନେଇ ଚାଷୀଙ୍କ ମନରେ ପ୍ରଶ୍ନ ଉଠିଛି। ଆତ୍ମା ବଳକା ୩୮ଟି ଜେଏଲଜିକୁ ଋଣ ଦେବା ପାଇଁ ଅନୁମୋଦନ କରି ପଠାଇବା କାମ ବାକି ରହିଛି। ସେହଭଳି, ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତି ନିକଟରେ ଆଉ ୧୮୪ଟି ଜେଏଲଜିଙ୍କୁ ଋଣ ଦେବାର ବି ବାକି ରହିଛି। ସରକାରଙ୍କ ଏହି ଯୋଜନା ଅନ୍ୟ କୌଣସି ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ । ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡେଲ୍ କରିବା ଲକ୍ଷ୍ୟ ରାଜ୍ୟ ସରକାରଙ୍କର ରହିଛି। ଏହି ସ୍ଥିତିରେ ଏହା ହୋଇ ପାରିବ କି ନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ ବିଭିନ୍ନ ବ୍ୟାଙ୍କ୍ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥା ଅତିକମରେ ୧୦ଟି ଜେ.ଏଲ୍.ଜି ଙ୍କୁ ଋଣ ଦେବା ପାଇଁ କୁହାଯାଇଛି। ଯୋଜନାରେ ୪ ରୁ ୧୦ଜଣ ଭୂମିହୀନ କୃଷକ ଏକାଠି ହୋଇ ଯୁଗ୍ମ ଗୋଷ୍ଠୀ ଗଠନ କରି ମିଳିତ ଭାବେ ଋଣ ପାଇଥାନ୍ତି। ବିନା ଗ୍ୟାରେଣ୍ଟିରେ ଗୋଟିଏ ଗୋଷ୍ଠୀ ଏକ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇବା ବ୍ୟବସ୍ଥା ରହିଛି। କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀ ଗ୍ରୁପ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ସହ ଯୋଡିବେ। ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଲ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଉଛି। ଭୂମିହୀନ ଚାଷୀଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ।