ବାଲେଶ୍ବର ଲୋକସଭା ନିର୍ବାଚନୀ ମାମଲା : ହାଇକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କଟକ : ବାଲେଶ୍ବର ଲୋକସଭା ନିର୍ବାଚନ ସଂପର୍କିତ ମାମଲାରେ ଆଜି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହାଇକୋର୍ଟରେ ଓକିଲଙ୍କ ମାଧ୍ୟମରେ ହାଜର ହୋଇଛନ୍ତି। ମାମଲାରେ ଜବାବ ଦାଖଲ ପାଇଁ ଶ୍ରୀ ଷଡଙ୍ଗୀ ଅଧିକ ସମୟ ଲୋଡ଼ିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ଚତୁର୍ଥ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ଶ୍ରୀ ଷଡଙ୍ଗୀଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫେବ୍ରୁଆରି ୭ରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲେଶ୍ବର ଅଞ୍ଚଳର ଜଣେ ସାଧାରଣ ଭୋଟର ମହମ୍ମଦ ସହିରୁଲ ହକ୍‌ଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାର ଶୁଣାଣି କରି ଶ୍ରୀ ଷଡଙ୍ଗୀଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ବାଲେଶ୍ବର ଲୋକସଭା ଆସନରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାୟର ଏହି ନର୍ବାଚନୀ ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସଂପୂର୍ଣ୍ଣ ନୁହେଁ। ଏଥିରେ ସେ ବହୁ ତଥ୍ୟ ଲୁଚାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ସାଂସଦ ଭାବେ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥିସହିତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର