ବାଲେଶ୍ବର: ଧାରଟଙ୍କା ମାଗିବାରୁ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ଟକମକ ହୋଇ ଫୁଟୁଥିବା ଗରମ ଚା’ ଉପରକୁ ଠେଲି ଦିଆଯାଇଛି। ଯୁବକଜଣକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ବିଡ଼ମ୍ବନାର ବିଷୟ; ପୁଲିସ ଅଭିଯୁକ୍ତ ଗିରଫ କରିବା ବଦଳରେ ଥାନାକୁ ଡକାଇ ପଚରାଉଚୁରା ପରେ ପୁଣି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଗୁରୁତର ଯୁବକଜଣକ ବାଲେଶ୍ବର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ଗଣେଶ୍ବରପୁର ଅଞ୍ଚଳ ଜାରକାପଦା ଗ୍ରାମର ଉଦ୍ଧବ ଜେନା(୪୦)। ଅଭିଯୋଗ ମୁତାବକ; ରେମୁଣା ଗୋଲେଇରେ ଉଦ୍ଧବଙ୍କର ଏକ ଗ୍ୟାରେଜ୍ ଅଛି। ସେହି ଗ୍ୟାରେଜ୍ରେ କାମ କରିବା ପାଇଁ ଜାରକାପଦା ଗ୍ରାମର ରତିକାନ୍ତ ପାତ୍ର(୩୨) କିଛି ମାସ ପୂର୍ବରୁ ଉଦ୍ଧବଙ୍କୁ ଭେଟି ୨ହଜାର ଟଙ୍କା ଧାର ନେଇଥିଲା। ସେହି କ୍ରମରେ କାମ କରି କିଛି ଟଙ୍କା ସୁଝି ଦେଇଥିବା ବେଳେ ଆଉ କିଛି ଟଙ୍କା ବାକିି ଥିଲା। ଯାହା ଦୀର୍ଘଦିନ ବିତିଯାଇ ଥିଲେ ମଧ୍ୟ ସେ ସୁଝିବା ନାଁ ଧରୁନଥିଲେ।
/sambad/media/post_attachments/wp-content/uploads/2022/05/a9441808-72e2-41bd-ba9e-28ffb810e64e-300x143.jpg)
ତେବେ ଗତ ଶୁକ୍ରବାର ଅପରାହ୍ଣ ୪ଟା ସମୟରେ ଅଭିଯୁକ୍ତ ରତିକାନ୍ତ ଜାରକାପଦା ଛକରେ ଥିବା ଉଦ୍ଧବଙ୍କ ବଡ଼ବାପାଙ୍କ ଚା’ ଦୋକାନରେ ଠିଆ ହୋଇଥିଲେ। ଏନେଇ ଖବର ପାଇବା ପରେ ଉଦ୍ଧବ ସେଠାକୁ ଯାଇ ରତିକାନ୍ତଙ୍କୁ ବାକି ଥିବା ତାଙ୍କ ଧାର ଟଙ୍କା କେବେ ସୁଝିବ ବୋଲି ମାଗିଥିଲେ। ଏତିକି କଥାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଏହାପରେ ଉତ୍କ୍ଷିପ୍ତ ହୋଇ ରତିକାନ୍ତ ସେଠାରେ ଚୁଲିରେ ଟକମକ ହୋଇ ଫୁଟୁଥିବା ଗରମ ଚା’ ପାତ୍ର ଉପରକୁ ଠେଲି ଦେଇଥିଲେ। ଉଦ୍ଧବଙ୍କ ପିଠି ଗରମ ଚା’ ଉପରେ ପଡ଼ିଯିବାରୁ ପ୍ରାଣ ବିକଳରେ ସେ ସେଠାରେ ପଡ଼ି ଚିତ୍କାର ଛାଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଥାନାକୁ ଆଣି ପୁଣି ଛାଡ଼ିଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଆହତ ଉଦ୍ଧବ ଘଟଣାର ଉପଯୁକ୍ତ ତଦନ୍ତ କରି ପୁଲିସ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତେବେ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୃଥକ୍ ପୃଥକ୍ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/tea.jpg)