ରୋଗାକ୍ରାନ୍ତ ପତ୍ନୀଙ୍କୁ ବୋହି ଭିକ ମାଗୁଛନ୍ତି ସ୍ୱାମୀ
ଚିକିତ୍ସା ପାଇଁ ସର୍ବସ୍ୱ ସାରିବା ପରେ ଜୀବନ ପାଲଟିଛି ଏମିତି...
ବାଲେଶ୍ୱର : ଯନ୍ତ୍ରଣାସିକ୍ତ ଜୀବନ। ରୋଗାକ୍ରାନ୍ତ ପତ୍ନୀଙ୍କୁ ଭଲ କରିବା ପାଇଁ ସର୍ବସ୍ବ ସାରିଦେଲେଣି। କଟକଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ହସ୍ପିଟାଲକୁ ଯାଇ ନୟାନ୍ତ ହୋଇଗଲେଣି। ଏହା ସତ୍ତ୍ବେ ପତି ଧର୍ମ ପାଳନରୁ ସେ ବିଚ୍ୟୁତ ହୋଇନାହାନ୍ତି। ମହାମାରୀ କରୋନା ପ୍ରଭାବରେ ଏବେ କେଉଁଠି କାମ ମିଳୁନଥିବାବେଳେ ପେଟକୁ ମୁଠାଏ ଦାନା ଯୋଗାଡ କରିବା କାଠିକର ପାଠ ହୋଇଛି। ଏଭଳି ପରିସ୍ଥିତିରେ ରୋଗାକ୍ରାନ୍ତ ପତ୍ନୀଙ୍କୁ କାନ୍ଧରେ ବୋହି ସେ ଭିକ୍ଷା ବୃତ୍ତି କରୁଛନ୍ତି। ବାଲେଶ୍ୱର ଫାଣ୍ଡି ଛକରେ ଆଜି ଦିପହରବେଳେ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ହତଭାଗ୍ୟ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଶମ୍ଭୁ ନାୟକ ଓ ଦୀପା ନାୟକ। ଶମ୍ଭୁଙ୍କ କହିବା ମୁତାବକ, ପକ୍ଷାଘାତ କାରଣରୁ ଦୀର୍ଘଦିନ ଧରି ତାଙ୍କ ପତ୍ନୀଙ୍କର ଦୁଇଟି ଯାକ ଗୋଡ଼ ଅଚଳ ହୋଇଯାଇଛି। ବିଛଣାରୁ ଉଠି ମଧ୍ୟ ପାରୁନାହାନ୍ତି। ତାଙ୍କୁ ଭଲ କରିବା ପାଇଁ ସେ ସର୍ବସ୍ବ ହରାଇ ସାରିଲେଣି। ଯୁଆଡେ ବି ଯାଉଛନ୍ତି ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ କହି ଡାକ୍ତର ଫେରାଇ ଦେଉଛନ୍ତି। ନିକଟରେ ସେ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ କିଛି ସୁଫଳ ମିଳିଲାନାହିଁ। ଡାକ୍ତର ଫେରାଇ ଦେବାରୁ କଟକରୁ ସେ ସିଧା ବାଲେଶ୍ବର ଆସି ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଛନ୍ତି। ଫାଣ୍ଡି ଛକ, ଆନନ୍ଦ ବଜାର ଛକ, କଚେରି ପରିସର ଆଦି ଆଖପାଖ ଅଞ୍ଚଳରେ ବୁଲି ବୁଲି ଅର୍ଥ ଓ ଖାଦ୍ୟ ମାଗି ଚଳୁଛନ୍ତି। ତେବେ ଅଜଣା ଅଚିହ୍ନା ଜାଗାରେ ପତ୍ନୀଙ୍କୁ ଛାଡ଼ି ନଯିବା ପାଇଁ ସେ ତାଙ୍କୁ କେତେବେଳେ କାନ୍ଧରେ ତ କେତେବେଳେ କାଖରେ ବୋହି ପତିଧର୍ମ ପାଳନ କରୁଥିବା କହିଛନ୍ତି। ଅଭାବ ଅନଟନ ଭିତରେ ଘାଣ୍ଟିଚକଟି ହେଉଥିଲେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। କରୋନା ପାଇଁ ସରକାର ଗରିବ, ଅସହାୟଙ୍କ ପାଇଁ ସହାୟତା ଘୋଷଣା କରିଥିବାବେଳେ ଏହି ଦମ୍ପତି ବଞ୍ଚିବା ପାଇଁ ବାରଦୁଆର ହେବା ଅତ୍ୟନ୍ତ ପରିତାପର ବିଷୟ।