ବୋଳଂ : ମହାମାରୀ କରୋନା ମାନବିକ ମୂଲ୍ୟବୋଧ ଓ ପାରିବାରିକ ସମ୍ପର୍କକୁ ବିଗାଡ଼ିଦେଇଛି। କେଉଁଠି କରୋନା ଡରରେ ମୃତକଙ୍କ ପରିବାର ଲୋକେ ଦାହସଂସ୍କାର କରିବାକୁ ଆସୁନାହାନ୍ତି ତ ଆଉ କେଉଁଠି ଏହା ଡରରେ ଅସୁସ୍ଥ ପୁଅବୋହୂଙ୍କୁ ଘରେ ପୂରାଉନାହାନ୍ତି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଦନେଇପୁର ଗ୍ରାମରେ।
ସୂଚନା ଅନୁଯାୟୀ ଏହି ଗ୍ରାମର ଗିରିଧାରୀ ବେହେରାଙ୍କ ବଡ଼ପୁଅ ଚାରୁଚନ୍ଦ୍ର(୪୦) ଦୀର୍ଘ ବର୍ଷ ଧରି ଉଦଳାରେ ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବରେ କାମ କରିବା ସହ ପରିବାର ସହ ରହୁଥିଲେ। ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡିସ୍ଚାର୍ଜ ହୋଇ ବୁଧବାର ଦିନ ୧୧ଟା ସମୟରେ ଏକ ବୋଲେରୋ ଗାଡ଼ିରେ ସ୍ତ୍ରୀ ଓ ୩ ଝିଅଙ୍କୁ ଧରି ଚାରୁଚନ୍ଦ୍ର ନିଜ ପୈତୃକଘର ଦନେଇପୁରରେ ପହଞ୍ଚିଥିଲେ। ତେବେ ଏମାନଙ୍କୁ ଦେଖି ପରିବାର ଲୋକେ ତାଟି କବାଟ ବନ୍ଦ କରିଦେବା ସହିତ ଘରେ ପୂରାଇ ଦେବେନାହିଁ ବୋଲି ମନା କରି ଦେଇଥିଲେ। ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏହାଦେଖି ଚାରୁଚନ୍ଦ୍ର ଗାଡ଼ିରେ ଅଚେତ ହୋଇଯାଇଥିଲେ। ଅନ୍ୟ ଉପାୟ ନ ପାଇ ସେମାନେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିବା ବେଳେ ଚାରୁଚନ୍ଦ୍ରଙ୍କ ସ୍ତ୍ରୀ ଏ ନେଇ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।