ବାଲେଶ୍ୱର ଜିଲ୍ଲାରେ ଚାଷୀଙ୍କୁ ଚାହିଦା ମୁତାବକ ମିଳୁନି ବିହନ : କଲବଲ ହେଲେଣି ଚାଷୀ
ଆବଶ୍ୟକ ଲକ୍ଷେ କ୍ୟୁଣ୍ଟାଲ, ମିଳୁଛି ୨୦ ହଜାର, ୮୫ ପ୍ରତିଶତ ବିହନ ବାହାରୁ କିଣୁଛନ୍ତି ଚାଷୀ
ବାଲେଶ୍ବର : ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଖରିଫ୍ ଚାଷକାମ ପାଇଁ ବିଲମୁହାଁ ହୋଇଛନ୍ତି ଚାଷୀ। ଏଥିପାଇଁ ଆବଶ୍ୟକ କୃଷି ସରଞ୍ଜାମ ସହିତ ପର୍ଯ୍ୟାପ୍ତ ବିହନ ମହଜୁଦ୍ ରହିଥିବା ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ହେଲେ ବାଲେଶ୍ବର ଜିଲ୍ଲାରେ ଚାଷୀଙ୍କୁ ଚାହିଦା ମୁତାବକ ବିହନ ମିଳୁନି। ଯଦିଓ ଏଠାରେ ସରକାରଙ୍କର ଏକ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି, ତାହା କିନ୍ତୁ ଚାଷୀଙ୍କୁ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ବର ସହରର ଅଙ୍ଗାରଗଡ଼ିଆ ଶିଳ୍ପାଞ୍ଚଳରେ ରହିଛି ଏକ ବିହନ ପ୍ରକ୍ରିୟାକରଣ କେନ୍ଦ୍ର। ଉତ୍ତରଓଡ଼ିଶାର ୪ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଚାଷୀଙ୍କଠାରୁ ବିହନ ସଂଗ୍ରହ କରି ଏଠାରେ ବିଶୋଧନ ତଥା ପ୍ରକ୍ରିୟାକରଣ କରାଯିବା ପରେ ଚାଷୀମାନଙ୍କୁ ଯୋଗାଣ କରାଯାଇଥାଏ। ଚାଷୀଙ୍କର ଚାହିଦା ଆକଳନ ମୁତାବକ ସାର୍ଟିଫାଏଡ ବା ପ୍ରାମାଣିକ ବିହନ ଯୋଗାଣ, ସମୟୋପଯୋଗୀ ତଥା ଉନ୍ନତମାନର ବିହନ ବ୍ୟବହାର ଉପରେ ଚାଷୀମାନଙ୍କୁ ସଚେତନ କରାଇବା ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ମୁଖ୍ୟ କାମ ଥିଲା। ମାତ୍ର ଦୁଭାର୍ଗ୍ୟର ବିଷୟ, ଏଠାରେ ସେପରି କୌଣସି ସୁବିଧା ଚାଷୀଙ୍କୁ ମିଳୁନାହିଁ। ବାଲେଶ୍ବର ଜିଲ୍ଲାରେ ପ୍ରତିବର୍ଷ ପାଖାପାଖି ୨ଲକ୍ଷ ହେକ୍ଟର ଜମିରେ ଧାନଚାଷ ହେଉଛି। ହେକ୍ଟର ପିଛା ୫୦ କେଜି ହିସାବରେ ଜିଲ୍ଲା ପାଇଁ ୧ ଲକ୍ଷ କ୍ୟୁଣ୍ଟାଲ ବିହନ ଆବଶ୍ୟକ। କିନ୍ତୁ ବିହନ ନିଗମ ମାତ୍ର ୧୬ ହଜାର କ୍ୟୁଣ୍ଟାଲରୁ ୨୦ ହଜାର କ୍ୟୁଣ୍ଟାଲ ପର୍ଯ୍ୟନ୍ତ ବିହନ ଚାଷୀଙ୍କୁ ଯୋଗାଉଛି। ଏଥିଯୋଗୁଁ ଚାଷୀମାନେ ନିଗମରୁ ପ୍ରାମାଣିକ ବିହନ ପାଇପାରୁନଥିବା ବେଳେ ପାରମ୍ପରିକ ବିହନ କିମ୍ବା ଘରୋଇ ସଂସ୍ଥାରୁ ଚଢ଼ା ଦରରେ ବିହନ କିଣି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଅଧିକ ଅମଳଯୁକ୍ତ ବିହନ ମଧ୍ୟ ଆବଶ୍ୟତା ଅନୁସାରେ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଖରିଫ୍ ପାଇଁ ୮ହଜାର କ୍ୟୁଣ୍ଟାଲ ସ୍ବର୍ଣ୍ଣ, ୩ ହଜାର କ୍ୟୁଣ୍ଟାଲ କଳାଚମ୍ପା, ୮ ଶହ କ୍ୟୁଣ୍ଟାଲ ପୂଜା, ୭ ଶହ କ୍ୟୁଣ୍ଟାଲ ୧୦୦୧ଏମ୍ଟିୟୁ, ୫ ଶହ କ୍ୟୁଣ୍ଟାଲ ପ୍ରତୀକ୍ଷା, ୮ ଶହ କ୍ୟୁଣ୍ଟାଲ ୧୦୦୯, ୩ ଶହ କ୍ୟୁଣ୍ଟାଲ ବୀଣା, ୨ ଶହ କ୍ୟୁଣ୍ଟାଲ ୧୦୦୯ ସବୱାନ୍ ବିହନ ପ୍ରସ୍ତୁତ କରାଯାଇଥିଲେ ହେଁ ସେସବୁ ଚାଷୀଙ୍କୁ ଦିଆଯାଇପାରିଲା ନାହିଁ। ଗୋଟିଏ ପଟେ ଠିକ୍ ସମୟରେ ବିହନ ନମିଳିବା ଏବଂ ଅନ୍ୟପଟେ କରୋନା ଭୟ ଯୋଗୁଁ ଚାଷ କାମ ଏଥର ବହୁ ବିଳମ୍ବ ହୋଇଛି।
ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର କହିଛନ୍ତି, ବିହନ ନିଗମ ଦ୍ବାରା ଚାଷୀଙ୍କୁ ଯେଉଁ ବିହନ ଯୋଗାଇ ଦିଆଯାଉଛି, ତାହା ସମ୍ପୂର୍ଣ୍ଣ ପ୍ରମାଣିକ। ଚାଷୀ ଏହାକୁ ତିନିବର୍ଷ ପର୍ଯ୍ୟନ୍ତ ବିହନ ଭାବେ ବ୍ୟବହାର କରିପାରିବେ।