ବନ୍ଦ ହେଲା ବାଲେଶ୍ବର ଆଲଏଜ୍ ଖଣି

କାଳିଆପାଣି : ବାଲେଶ୍ବର ଆଲଏଜ୍ କମ୍ପାନି ମାଲିକାନାରେ ଥିବା କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ପୁଣି ଗତକାଲି ଠାରୁ ବନ୍ଦ ରହିଛି। ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦେଶକ ବିଭୂତି ଭୂଷଣ ବେହେରାଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପତ୍ରାଙ୍କ ନଂ ୮୭୦/୬-୬-୨୦୨୨ ଆଧାରରେ ଖଣି ପ୍ରବନ୍ଧକଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ମଞ୍ଜୁରି ନଥିବା ଆଧାରରେ ସୁପ୍ରିମ୍ କୋର୍ଟ ଖଣି ବନ୍ଦ୍ ପାଇଁ ରାୟ ଶୁଣାଇଥିବା ଚିଠିରେ ଉଲ୍ଲେଖ ରହିଛି। ସେହିପରି ଖଣି ନିରୀକ୍ଷକ ରଞ୍ଜିତ କୁମାର ଦାସ ଆଜି ଏହି ଖଣି ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନାର ମିଳିଛି। ଫଳରେ, ଖଣି ଖନନ ଓ ଖଣିଜ ଉତ୍ପାଦନ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ସୂଚନା ମିଳିଛି। ଏକଥା ଜଣାପଡ଼ିବା ପରେ ଖଣିରେ କାର୍ଯ୍ୟରତ ୭ଶହ କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା କୁହାଯାଇଛି।

ଗତ ସୋମବାରଦିନ ସୁପ୍ରିମ୍‌ କୋର୍ଟ ଏ ସମ୍ପର୍କିତ ରାୟ ପ୍ରକାଶ କରିଥିଲେ। ରାୟରେ ଉଲ୍ଲେଖ କରାଯାଇଥିଲା, ସ୍ଥିତାବସ୍ଥା ନିର୍ଦ୍ଦେଶ ଆଳରେ ଜଙ୍ଗଲ ଓ ପରିବେଶ ମଞ୍ଜୁରି ନଥିବା ଆବଦେନକାରୀଙ୍କୁ ଖଣି ଖନନ ପାଇଁ ଅନୁମତି ଦିଆଯାଇ ପାରିବନାହିଁ। ଜଷ୍ଟିସ ଏମ୍‌ଆର୍ ଶାହା ଓ ଜଷ୍ଟିସ ଅନିରୁଦ୍ଧ‌ ବୋଷଙ୍କର ସ୍ବତନ୍ତ୍ର ଅବକାଶ କାଳୀନ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କୁ ଏ ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରାଇବା ପାଇଁ କୁହାଯାଇଛି।

ଅନ୍ତରୀଣ ସ୍ଥିତାବସ୍ଥା ନିର୍ଦ୍ଦେଶ ନମିଳିବାରୁ ବାଲେଶ୍ବର ଆଲଏଜ୍ ପକ୍ଷରୁ ୨୦୧୬ ମସିହାରେ ହାଇକୋର୍ଟରେ ସ୍ବତନ୍ତ୍ର ରିଟ୍‌ ପିଟିସନ ମାଧ୍ୟମରେ ଆବେଦନ କରାଯାଇଥିଲା। ପ୍ରତିବର୍ଷ ସଂପ୍ରସାରଣ ଆଦେଶ ମିଳୁଥିଲେ ମଧ୍ୟ ଚଳିତ ବର୍ଷ ଏହା ପ୍ରାପ୍ତ ହୋଇନଥିଲା। ବାଲେଶ୍ବର ଆଲଏଜ୍ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଅପିଲ କରାଯାଇଥିଲା। ହାଇକୋର୍ଟ ଏହା ଉପରେ ନିର୍ଦ୍ଦିଷ୍ଟ ରହିତାଦେଶ ପ୍ରଦାନ କରିଥିଲେ। ବିଭିନ୍ନ କାରଣରୁ ୨୦୨୦ ଅକ୍ଟୋବର ମାସରୁ ଏହି ଖଣି ବନ୍ଦ୍ ରହିଥିଲା। ଅଧ୍ୟକ୍ଷ ଓ ପରିଚାଳନା ପରିଷଦ ପକ୍ଷରୁ ଉଦ୍ୟମ କରାଯାଇ ଗତ ଅକ୍ଟୋବର୨୦ ତାରିଖରୁ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। କମ୍ପାନି ପୂର୍ବବତ୍ ନିଜ ଗୋଡ଼ରେ ଠିଆ ହେବା ଉଦ୍ୟମ କଲାବେଳକୁ ପରିବେଶ ମଞ୍ଜୁରି ଓ ଏ ସଂପର୍କିତ କଟକଣା ଏବେ ସାଧାରଣରେ ସଂଶୟର କାରଣ ହୋଇଛି।

ସମ୍ବନ୍ଧିତ ଖବର