ଋଣ ପରି‌ଶୋଧ ପ୍ରତିଶ୍ରୁତି ପରେ ବାଲେଶ୍ୱର ଆଲଏଜ୍‌ର ନିଲାମ୍‌ ପ୍ରକ୍ରିୟା ସ୍ଥଗିତ

ସର୍ତ୍ତ ପୂରଣ ନ କଲେ ପୁଣି ହେବ ନିଲାମ୍‌, କାରଖାନା ଚାଲିବା ଆଶାରେ ଶ୍ରମିକ ଓ କର୍ମଚାରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବଡ଼ ଶିଳ୍ପାନୁଷ୍ଠାନ କୁହାଯାଉଥିବା ଇସ୍ପାତ୍‌ ବା ଆଲଏଜ୍‌ କାରଖାନା ନିଲାମ୍‌ ରାସ୍ତାରେ। ଖଣି କର୍ତ୍ତୃପକ୍ଷଙ୍କ ଉପରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ୧୮୬ କୋଟି ୧୦ ଲକ୍ଷ ଟଙ୍କା ଅନାଦେୟ ଥିବାରୁ ଏହାକୁ ନିଲାମ୍‌ କରିବା ପାଇଁ ଏସ୍‌ବିଆଇ ୧୭୮ କୋଟି ୨୨ ଲକ୍ଷ ଟଙ୍କା ନିଲାମ୍‌ ସଂରକ୍ଷଣ ମୂଲ୍ୟ ରଖିଥିଲା। ଚଳିତ ମାସ ୨୯ ତାରିଖରେ ଏସ୍‌ବିଆଇ ପକ୍ଷରୁ ଇ-ନିଲାମ୍‌ର ଶେଷ ତାରିଖ ରହିଥିଲା। ଏହି ନିଲାମ୍‌ ଦୌଡ଼ରେ ବଡ଼ ବଡ଼ ଖଣି କର୍ତ୍ତୃପକ୍ଷ ବା ବିଡର୍‌ ଅର୍ଥାତ୍‌ ଟାଟା, ବେଦାନ୍ତ, ଜେଏସ୍‌ଡବ୍ଲୁ, ଓଡ଼ିଶା ମେଟାଲିକ୍ସ ଆଦି ବିଡର୍‌ ରହିଥିବା ବେଳେ ଏହି ନିଲାମ୍‌ କିନ୍ତୁ ଉକ୍ତ ତାରିଖରେ ହୋଇପାରିନାହିଁ। ଯାହା ଜଣାଯାଇଛି, ନିଲାମ୍‌କୁ ରୋକିବା ପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କ ପକ୍ଷରୁ ୩ ମାସ ସମୟ ମଗାଯାଇଥିଲା। ଆଉ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ଋଣ ପୈଠ ମଧ୍ୟ କରାଯାଇଛି। ଯଦି ସମୟ ଭିତରେ ସମସ୍ତ ଋଣ ପୈଠ କରାନଯିବ ‌ପୁଣି ନିଲାମ୍‌ ପ୍ରକିୟା ଆରମ୍ଭ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ରେମୁଣା ବାଲଗୋପାଲପୁର ଠାରେ ୧୯୮୪ ମସିହାରେ ଆଲଏଜ୍‌ କାରଖାନା ପ୍ରତିଷ୍ଠା ହୋଇଥିଲା। ମାସକୁ ୧୨ ହଜାର ଟନ୍‌ ଫେରୋକ୍ରମ ଉତ୍ପାଦନ ହେଉଥିବା ଏହି କମ୍ପାନି ପ୍ରତିମାସ ୨୦ରୁ ୨୫ କୋଟି ଟଙ୍କା କେବଳ ବିଦ୍ୟୁତ୍‌ ଦେୟ ଦେଉଥିଲା। ହେଲେ ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତି ପାଇଁ କମ୍ପାନି ୩ ବର୍ଷ ତଳେ ଦେବାଳିଆ ଅବସ୍ଥାକୁ ଚାଲିଆସିଲା। ପରେ ଗୋଟିଏ ପରେ ଗୋଟିଏ ସମସ୍ୟା ସହ ଯୋଡ଼ି ହେବା ସହ ଅଚଳାବସ୍ଥା ଦେଇ ଗତି କରିବାକୁ ଆରମ୍ଭ କଲା। କମ୍ପାନିରେ ସ୍ଥାୟୀ କର୍ମଚାରୀ, ଠିକା କର୍ମଚାରୀ, କଣ୍ଟ୍ରାକ୍ଟର ମିଶି ପାଖାପାଖି ୧୦୦୦ ଜଣ କାମ କରୁଥିଲେ। ଆଜକୁ ୨ ବର୍ଷ ହେଲା କମ୍ପାନିର କର୍ମଚାରୀଙ୍କ ଇପିଏଫ୍‌ ଟଙ୍କା ଜମା ହେଲା ନା ଦରମା ମିଳିଲା। ବହୁ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କାଳକ୍ରମ‌େ କାରଖାନାର ଉତ୍ପାଦନ ବନ୍ଦ ହୋଇଗଲା।

ବିଦ୍ୟୁତ୍‌ ବିଲ୍‌ ଖାଲି ୩ କୋଟି ଟଙ୍କା ବାକି ରହିବାରୁ ନେସ୍କୋ(ବର୍ତ୍ତମାନ ଟିପିଏନ୍‌ଓଡିଏଲ୍‌) ବିଦ୍ୟୁତ୍‌ ସେବାରୁ ବଂଚିତ କରିଦେଲା। ଏବେ ମାତ୍ର କମ୍ପାନିକୁ ଜଗିବା ଓ ଅନ୍ୟ ଜରୁରୀ କାମ କରିବା ପାଇଁ ୨୦/୩୦ ଜଣ କର୍ମଚାରୀ ଅଛନ୍ତି। ବିଦ୍ୟୁତ୍‌ ସୁବିଧା ନଥିବାରୁ ୨ ବର୍ଷ ହେଲା ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି। କାରଖାନା ଚଲାଇବା ପାଇଁ କମ୍ପାନି ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ। କେବଳ ଯାଜପୁର ସୁକିନ୍ଦାରୁ ଆସୁଥିବା କ୍ରୋମ୍‌କୁ ବାହାରେ ବିକ୍ରି କରାଯାଉଛି। ଏଥିରୁ ଯାହା ଟଙ୍କା ଆସୁଛି କାରଖାନା ଚାଲୁ ରଖିବା ପାଇଁ ଆନୁସଙ୍ଗିକ ଖର୍ଚ୍ଚ କରାଯାଉଛି। ବିଡ଼ମ୍ବନାର ବିଷୟ, ହଜାର ହଜାର ଲୋକଙ୍କ ପେଟପାଟଣାର ଉତ୍ସ ସାଜିଥିବା ଏହି କାରଖାନା ଏବେ ଦେବାଳିଆ ସ୍ଥିତି ଥିବାରୁ ଏଥିରେ କାମ କରୁଥିବା କର୍ମଚାରୀଙ୍କ ପରିବାର ଭୋକଉପାସରେ ଜୀବନ କାଟୁଛନ୍ତି। ତେବେ ଯାହା ଜଣାଯାଇଛି, ଏହି ନିଲାମ୍‌ ପ୍ରକ୍ରିୟା ପୁଣି ହେବ। କାରଣ କମ୍ପାନି ଏତେ ଟଙ୍କା ପରିଶୋଧ କରିବା ସ୍ଥିତିରେ ନାହିଁ।

ସମ୍ବନ୍ଧିତ ଖବର