ରାତି ପାହିଲେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ : ପ୍ରଚାର ସରିଲା, ଭୋଟକୁ ଅପେକ୍ଷା

୯ଟି ସର୍ଭେଲେନ୍ସ ଟିମ୍‌ ନିଯୁକ୍ତ କ‌େଲ ମୁଖ୍ୟ ନିର୍ବାଚନ ଅଧିକାରୀ
ନିର୍ବାଚନ ମଣ୍ଡଳୀ ଛାଡ଼ିଲେ ବାହାରୁ ଯାଇଥିବା ନେତା

ଭୁବନେଶ୍ୱର : ଓଡ଼ିଶାର ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀ ବାଲେଶ୍ବର ଓ ତିର୍ତ୍ତୋଲ ଆସନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୩ ତାରିଖ ଦିନ ଏହି ଦୁଇ ଆସନରେ ଭୋଟଗ୍ରହଣ ହେବ ଓ ୧୦ ତାରିଖରେ ଗଣତି କରାଯିବ। ଆଜି ପ୍ରଚାର ସରିବା ପରେ ଉଭୟ ନିର୍ବାଚନମଣ୍ଡଳୀରେ ବାହାର ଜିଲ୍ଲାରୁ ଯାଇଥିବା ରାଜନୈତିକ ଦଳର କର୍ମକର୍ତାଙ୍କୁ ହୋଟେଲ୍, ଲଜ୍, କମ୍ୟୁନିଟି ସେଣ୍ଟର ଛାଡିବାକୁ ନିର୍ଦେଶ ଦିଆଯାଇଛି ଓ ଏହାକୁ ନିଶ୍ଚିତ କରିବା ଲାଗି ପ୍ରଶାସନ ଯାଞ୍ଚ ଚଳାଇଛି। ନିର୍ବାଚନମଣ୍ଡଳୀ ସୀମା ବା ପ୍ରବେଶ ପଥରେ ଯାଞ୍ଚ କଡ଼ାକଡି କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଛନ୍ତି। ପ୍ରଚାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାଇଥିବା ବିଭିନ୍ନ ଦଳର ନେତୃବୃନ୍ଦ ମଧ୍ୟ ବା‌ଲେଶ୍ବର ଓ ତିର୍ତ୍ତୋଲ ଛାଡ଼ି ଘରମୁହାଁ ହୋଇଥିବା ଜଣାପଡ଼ିଛି।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ବାଲେଶ୍ବର ପାଇଁ ୫ଟି ଓ ତିର୍ତ୍ତୋଲ ପାଇଁ ୪ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ନିଯୁକ୍ତି ଦିଆଯାଇଛି। ଉଭୟ ନିର୍ବାଚନମଣ୍ଡଳୀ ଲାଗି ୩ଟି ଲେଖାଏଁ ଭିଡିଓ ସର୍ଭେଲାନ୍ସ ଟିମ୍, ବାଲେଶ୍ବରରେ ୫ଟି, ତିର୍ତ୍ତୋଲରେ ୪ଟି ଫ୍ଲାଇଂ ସ୍କ୍ବାଡ୍ ଏବଂ ବାଲେଶ୍ବରରେ ୫୬ଜଣ ଏବଂ ତିର୍ତ୍ତୋଲରେ ୬୫ଜଣ ଲେଖାଏଁ ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍ ନିଯୁକ୍ତି ଦିଆଯାଇଛି। ଏ ପର୍ଯ୍ୟନ୍ତ ବାଲେଶ୍ବରରେ ଗୋଟିଏ ଏବଂ ତିର୍ତ୍ତୋଲରେ ୨ଟି ଫୌଜଦାରି ମାମଲା ରୁଜୁ କରାଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉଭୟ ନିର୍ବାଚନ ମଣ୍ଡଳୀ‌ରେ ୩୨୯ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି। ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୦୭ ଏବଂ ୧୧୬ ଅନୁସାରେ ୩୬୬୮ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ୪୧୦ ଜଣଙ୍କ ବିରୋଧରେ ଜାମିନ ବିହୀନ ଵାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ସେହିପରି ଅବକାରୀ ଏବଂ ପୁଲିସ ବିଭାଗର ମିଳିତ ଚଢ଼ଉ ଦ୍ବାରା ୧୧ହଜାର ୨୦୫ ଲିଟର ମଦ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ଲକ୍ଷ ୨୯ ହଜାର ୨୨୫ ଟଙ୍କା ହେବ। ଆଦର୍ଶ ଆଚରଣ ବିଧି ଓ କୋଭିଡ୍ ନିୟମ ଉଲ୍ଲଂଘନ ବାବଦରେ ବିଭିନ୍ନ ବ୍ୟକ୍ତି ବା ଦଳଙ୍କ ବିରୋଧରେ ୫୨ଟି ପୁଲିସ କେସ୍ ରୁଜୁ କରାଯାଇଛି।

newslaundry.com

ଶ୍ରୀ ଲୋହାନୀ କହିଛନ୍ତି ଯେ ଉପନିର୍ବାଚନ ପାଇଁ ବାଲେଶ୍ବରରେ ୩୪୬ଟି ପୋଲିଂ ପାର୍ଟି ଏବେ ପ୍ରସ୍ତୁତ ଅଛନ୍ତି। ୧୦୪ଟି ପୋଲିଂ ପାର୍ଟି ଅର୍ଥାତ୍ ୧୮୦୦ ପୋଲିଂ କର୍ମଚାରୀଙ୍କୁ ସଂରକ୍ଷିତ କରି ରଖାଯାଇଛି। ସେହିପରି ତିର୍ତ୍ତୋଲରେ ମୋଟ ୩୭୩ଟି ପୋଲିଂ ପାର୍ଟି ଅର୍ଥାତ୍ ୧୯୪୦ ଜଣ ପୋଲିଂ କର୍ମଚାରୀଙ୍କୁ ବୁଥ୍‌କୁ ପଠାଯାଇଛି ଏବଂ ୧୧୨ଟି ପୋଲିଂ ପାର୍ଟିକୁ ସଂରକ୍ଷିତ ଭାବେ ରଖାଯାଇଛି।

ବାଲେଶ୍ବରରେ ୩୨ଜଣ ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୦ ଜଣ ସେକ୍ଟର ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ଉଭୟ ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌ରେ କୋଭିଡ୍ ନିୟମ ପରିଚାଳନା ନିମନ୍ତେ ଆଶାକର୍ମୀଙ୍କୁ ନିଯୁକ୍ତି କରାଯାଇଛି। ୮୦୦ ଜଣ ଆଶାକର୍ମୀଙ୍କ ସହ ସମାନ ସଂଖ୍ୟକ ସ୍ବେଚ୍ଛାସେବୀ ଜିଲ୍ଲା କୋଭିଡ୍ ନୋଡାଲ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦେଶାନୁସାରେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର