ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁନୀର୍ତି ବିରୋଧରେ ରିପୋର୍ଟ ପ୍ରଦାନ : ଭିଜିଲାନ୍ସ ତଦନ୍ତ ସୁପାରିସ କଲେ ଡିଆର୍‌ସିଏସ୍‌

ବ୍ୟାଙ୍କର ବିଭିନ୍ନ ବୀମା ସ୍କିମ୍‌ରେ ମନଇଚ୍ଛା ଏଜେଣ୍ଟ ନିଯୁକ୍ତି
ଅବସରକାଳୀନ ସୁବିଧା ପ୍ରଦାନରେ ଅବହେଳା
ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତରେ ବ୍ୟାପକ ଅନିୟମିତତା
ବିନା ଟେଣ୍ଡରରେ ତିନିବର୍ଷ ହେଲା ଚାଲିଛି ବାର୍ଷିକ ସାଧାରଣ ବୈଠକ ଖର୍ଚ୍ଚ

ବାଲେଶ୍ବର : ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ପୂର୍ବରୁ ଏହି ବ୍ୟାଙ୍କ ନାଁରେ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଏକାଧିକ ଦୁର୍ନୀତି ଓ ଅନିୟମିତତାର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ବାଲେଶ୍ବର ଡିଆର୍‌ସିଏସ୍‌ ମେ ମାସ ୨୭ ତାରିଖରେ ଚିଠି ନଂ ୬୭୦ରେ ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ଏହି ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ମନଇଚ୍ଛା କାର୍ଯ୍ୟ ଚଳାଇଥିବା ସହ ଏହାର କର୍ତ୍ତୃପକ୍ଷ ବେଆଇନ୍‌ ଭାବେ କୋଟିକୋଟି ଟଙ୍କା ଅର୍ଥହଡ଼ପ କରୁଥିବା ଦର୍ଶାଯାଇଛି। ଏ ନେଇ ତୁରନ୍ତ ବିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ଓ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ସୁଜିତ କୁମାର ନାୟକ ଓ ଅନ୍ୟ କେତେଜଣଙ୍କ ଦ୍ବାରା ଭୁବନେଶ୍ବରସ୍ଥିତ ଓଡ଼ିଶା ସମବାୟ ସମିତି ରେଜିଷ୍ଟ୍ରାରଙ୍କଠାରେ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ(ବିବିସିସି) ବ୍ୟାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଥିଲା। ଆର୍‌ସିଏସଙ୍କ ପକ୍ଷରୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ବାଲେଶ୍ବର ଡିଆର୍‌ସିଏସ୍‌ଙ୍କୁ ଚିଠି ନଂ ୮୧୭୫/୧୦-୪-୨୦୧୯ରେ ନିର୍ଦେଶ ହୋଇଥିଲା। ତେବେ ଡିଆରସିଏସ୍‌ ତଦନ୍ତ ପ‌େର ଏହି ବ୍ୟାଙ୍କର ବିଭିନ୍ନ କାରବାରରୁ ଦୁର୍ନୀତିର ଗନ୍ଧ ବାରି ହେଉଛି। ରେଜିଷ୍ଟ୍ରାରଙ୍କୁ ପ୍ରଦାନ କରିଥିବା ତାଙ୍କ ରିପୋର୍ଟରେ ଡିଆର୍‌ସିଏସ୍‌ ଏ ବାବଦରେ ବିସ୍ତୃତ ତଥ୍ୟ ରଖିଛନ୍ତି। ତାଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର ପ୍ରଚାରପ୍ରସାର ବାବଦରେ ବ୍ୟାଙ୍କ ୮୬ ଲକ୍ଷ ୬୬ ହଜାର ୩୪୪ ଟଙ୍କା ଖର୍ଚ୍ଚ କରିଥିବା ପ୍ରମାଣ ମିଳିଛି। ମାତ୍ର ବ୍ୟାଙ୍କ ପକ୍ଷରୁ ଏ ବାବଦରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ତେଣୁ ଏହି ଖର୍ଚ୍ଚ ପ୍ରକୃତ ଖର୍ଚ୍ଚର ୧୦୦ ପ୍ରତିଶତରୁ ଅଧିକ ବୋଲି ଜଣାପଡ଼ିଛି। ବିଡ଼ମ୍ବନା; ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଧ୍ୟ ଏହି ଅନିୟମିତତାକୁ ନିୟମିତ କରାଯିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଖର୍ଚ୍ଚକୁ ଉଚିତ୍‌ ବୋଲି ଦର୍ଶାଇଥିବା ଡିଆରସିଏସ୍‌ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଉକ୍ତ ତଦନ୍ତ ରିପୋର୍ଟରେ ବ୍ୟାଙ୍କର ସଭାପତି, ଉପ-ସଭାପତି ଓ ଅନ୍ୟ ନିର୍ଦେଶକଙ୍କୁ ଦୈନିକ ଭତ୍ତା(ଡିଏ) ଓ ଯାତାୟତ ଖର୍ଚ୍ଚ(ଟିଏ) ପ୍ରଦାନରେ ଅନିୟମିତତା କରାଯାଇଥିବା ଦର୍ଶାଯାଇଛି। ଏ କ୍ଷେତ୍ରରେ ବ୍ୟାଙ୍କର କୌଣସି ଗାଇଡ୍‌ଲାଇନ ପାଳନ କରାଯାଇନାହିଁ। ଗତ ତିନିବର୍ଷ ଭିତରେ ଏ ବାବଦରେ ଏମିତି ତଥ୍ୟ ହସ୍ତଗତ ହୋଇଛି, ଯେଉଁଥିରୁ ଜଣାପଡ଼ୁଛି ଏ ଖର୍ଚ୍ଚର କୌଣସି ସୀମା ନାହିଁ। ଏମିତି କି ମାତ୍ର ମାସେ/ଦୁଇମାସର ଏହି ବିଲ୍‌ ବାବଦରେ ଲକ୍ଷଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ସଭାପତି ଓ ଉପ-ସଭାପତିଙ୍କ ସମେତ ୧୩ ନିର୍ଦେଶକଙ୍କ ନାମରେ ଏହି ଭତ୍ତା ପ୍ରଦାନ କରାଯାଇଥିବା ଡିଆର୍‌ସିଏସ୍‌ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସେହିପରି ବ୍ୟାଙ୍କରେ ଥିବା ବିଭିନ୍ନ ବୀମା ସ୍କିମ୍‌ରେ ଏଜେଣ୍ଟମାନଙ୍କୁ ମନମୁଖି ନିଯୁକ୍ତ କରାଯାଇଛି। ମାତ୍ର ବ୍ୟାଙ୍କର ଡିଜିଏମ୍‌ ସମ୍ପୃକ୍ତ ଏଜେଣ୍ଟମାନଙ୍କୁ କାହିଁକି ନିଯୁକ୍ତ କରିଛନ୍ତି ଏବଂ ସେମାନେ କ’ଣ କାମ କରୁଛନ୍ତି ତତ୍‌ ସମ୍ପର୍କୀୟ ତଥ୍ୟପ୍ରମାଣ ପ୍ରଦାନ କରିପାରିନଥିବା ନେଇ ମଧ୍ୟ ଡିଆରସିଏସ୍‌ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ସେହିପରି ବ୍ୟାଙ୍କରେ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଅନିୟମିତତା ମଧ୍ୟ ପଦାକୁ ଆସିଛି। ଏ ନେଇ ପୂର୍ବରୁ ତଦନ୍ତ ହୋଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ୩୭ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବେଆଇନ୍‌ ନିଯୁକ୍ତି କରାଯାଇଛି। ଏଥିପାଇଁ ରେଜିଷ୍ଟ୍ରାରଙ୍କ କୌଣସି ଅନୁମତି ନିଆଯାଇନାହିଁ। ତେବେ ବ୍ୟାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଉଛି ଯେ, ଆଉଟ୍‌ସୋର୍ସିଂ ପ୍ରକ୍ରିୟାରେ ଏହି ନିଯୁକ୍ତି ଦିଆଯାଇଛି। ଯାହା ସମ୍ପୂର୍ଣ୍ଣ ମିଥ୍ୟା ଓ ତଞ୍ଚକତାପୂର୍ଣ୍ଣ। ଏ ବାବଦରେ ମଧ୍ୟ ପୂର୍ବରୁ ଅଲଗା ତଦନ୍ତ କରାଯାଇ ତଥ୍ୟ ପ୍ରମାଣ ସହ ଏହି ନିଯୁକ୍ତିରେ ବିପୁଳ ଆର୍ଥିକ କ୍ଷତି ହୋଇଥିବା ଦର୍ଶାଯାଇଥିବା ଡିଆରସିଏସ୍‌ ଜଣାଇଛନ୍ତି।

ଅନ୍ୟପକ୍ଷରେ ବାର୍ଷିକ ସାଧାରଣ ବୈଠକ ବାବଦରେ ମଧ୍ୟ ବିପୁଳ ଖର୍ଚ୍ଚ ହୋଇଛି। ଗତ ତିନିବର୍ଷ ହେ‌ଲା ଏପରି ଅନିୟମିତତା ଚାଲିଥିବା ଜଣାପଡ଼ିଛି। ଖର୍ଚ୍ଚ ଯେତିକି କରାଯାଇଛି ତାହା ଆବଶ୍ୟକତା ଠାରୁ ବହୁ ଅଧିକ। ଏ ବାବଦରେ ଖର୍ଚ୍ଚ କମ୍‌ କରାଯାଇପାରିଥାନ୍ତା ବୋଲି ଡିଆର୍‌ସିଏସ୍‌ ଆକଳନ କରିଛନ୍ତି।

ସେହିପରି ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅବସରକାଳୀନ ସୁବିଧା ପ୍ରଦାନରେ ବି ଅବହେଳା କରାଯାଇଥିବା ‌ଡିଆରସିଏସ୍‌ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଦେଖାଯାଇଛି। ମାତ୍ର ଅବସରପ୍ରାପ୍ତ କର୍ମଚାରୀଙ୍କ ସେବା ବିବରଣୀ ଓ ବକେୟା ଆଦାୟ ପାଇଁ ଏହା ସାମାନ୍ୟ ବିଳମ୍ବିତ ହେଉଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଏନେଇ ବିବିସିସି ବ୍ୟାଙ୍କର ସଂପାଦକ ଅଜିତ ପଟ୍ଟନାୟକଙ୍କୁ ପଚରାଯାଇଥିଲା। ସେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତେବେ ‘କାଳିଆ’ ଯୋଜନା ସମ୍ପର୍କରେ ସେ କହିଛନ୍ତି ଯେ, ଉକ୍ତ ରିପୋର୍ଟ ସମ୍ପୂର୍ଣ୍ଣ ମନଗଢ଼ା। ଏଥିରେ ଆମର କିଛି ସମ୍ପୃକ୍ତି ନାହିଁ। ତତ୍କାଳୀନ ଜିଲ୍ଲାପାଳଙ୍କ ଦ୍ବାରା ୮ ଜଣିଆ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ ହୋଇଥିଲା। କାଳିଆ ଯୋଜନା ସାରା ଓଡ଼ିଶାରେ ହୋଇଛି। ଦୁଇଦିନ ଭିତରେ ତାହା ଆମକୁ କରିବାକୁ ପଡ଼ିଲା। ଯେଉଁଥିରେ ଡିଆରସିଏସ୍‌ ନିଜେ ସଦସ୍ୟ ଥିଲେ। ତେଣୁ ଏପରି ହେବା କେବେ ବି ସମ୍ଭବ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହାଛଡ଼ା ଏ ବାବଦରେ ଯେକୌଣସି ତଦନ୍ତକୁ ସେ ସାମ୍‌ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଅନ୍ୟପକ୍ଷରେ ଡିଆରସିଏସ୍‌ ଥିବା ସନ୍ତୋଷ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ କହିଥିଲା। ସେ ଗତ ୩୦ ତାରିଖରୁ ଅବସର ନେଇସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର