ବିବିସିସି ବ୍ୟ‌ାଙ୍କ ଦୁର୍ନୀତି ପ୍ରସଙ୍ଗ : ସମୀକ୍ଷା କରି କ୍ଲିନ୍‌ଚିଟ୍‌ ଦେଲେ ମନ୍ତ୍ରୀ

ବାଲେଶ୍ବର : ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଗଣମାଧ୍ୟମଠାରୁ ଆରମ୍ଭ କରି ବିଧାନସଭା ଯାଏ ବିବିସିସି ବ୍ୟାଙ୍କ ଉପରେ ଉଠିଥିବା ଅଭିଯୋଗ ବିରୋଧରେ ସମବାୟ ମନ୍ତ୍ରୀ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାପକ ହେର୍‌ଫେର ନେଇ ବିଭାଗୀୟ ଅଡିଟ୍‌ ରିପୋର୍ଟ ‘ସମ୍ବାଦ’ର ହସ୍ତଗତ ହୋଇଥିଲା। ଏ ସମ୍ପର୍କରେ ଡିଆରସିଏସ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦେଇଥିବା ତଥ୍ୟକୁ ଆଧାର କରି ଖବର ପ୍ରକାଶ ପାଇଥିଲା। ଉକ୍ତ ତଥ୍ୟ ଅନୁସାରେ ବ୍ୟାଙ୍କର ସଭାପତି, ଉପସଭାପତି ଓ ଅନ୍ୟ ନିର୍ଦେଶକଙ୍କୁ ଦୈନିକ ଭତ୍ତା (ଡିଏ) ଓ ଗସ୍ତଖର୍ଚ୍ଚ (ଟିଏ) ବାବଦରେ ଅନିୟମିତତା, ବେଆଇନ ଋଣ ପ୍ରଦାନଜନିତ ଅନିୟମିତତା, ବେଆଇନ୍‌ ପଦୋନ୍ନତି ଓ ବେଆଇନ୍‌ ନିଯୁକ୍ତି ଦିଆଯାଇଥିବା ଦର୍ଶାଯାଇଥିଲା। ଯେଉଁଥିରେ ବ୍ୟାଙ୍କର କୌଣସି ନିୟମ (ଗାଇଡ୍‌ଲାଇନ୍‌) ପାଳନ କରାଯାଉନଥିବା ଡିଆରସିଏସ୍‌ ନିଜ ରିପୋର୍ଟରେ ପୂର୍ବ ତିନିବର୍ଷର ତଥ୍ୟକୁ ଆଧାର କରି ଦର୍ଶାଇଥିଲେ।

ତେବେ, ନିକଟରେ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ବର ଗସ୍ତରେ ଆସି ବିବିସିସି ବ୍ୟାଙ୍କର ସମୀକ୍ଷା କରିବାବେଳେ ଏହା ଉପରେ ଉଠିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ କହି କ୍ଲିନ୍‌ଚିଟ୍‌ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବ୍ୟାଙ୍କ ବିରୋଧରେ ଉଠିଥିବା ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ବୋଲି ବ୍ୟାଙ୍କ ପକ୍ଷରୁ ଅ‌ାୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଅନ୍ୟପକ୍ଷରେ, ଏ ସଂକ୍ରାନ୍ତରେ ହୋଇଥିବା ବିଭାଗୀୟ ତଦନ୍ତ ଓ ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ କ’ଣ ମିଛ ଥିଲା, ଡିଆରସିଏସ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କରିଥିବା ଭିଜିଲାନ୍ସ ତଦନ୍ତ ସୁପାରିଶ ଏଯାଏ କାହିଁକି କାର୍ଯ୍ୟକାରୀ ହେଲାନାହିଁ, ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର