ବାଲେଶ୍ବର : ଦିନକୁ ଦିନ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନୂଆ ନୂଆ କେଳେଙ୍କାରୀ ପଦାକୁ ଆସୁଛି। ବେଆଇନ ନିଯୁକ୍ତିଠାରୁ ଆରମ୍ଭ କରି ବିନା ଟେଣ୍ଡରରେ କୋଟିକୋଟି ଟଙ୍କାର କାମ ବାଦ୍ ଆହୁରି ଅନେକ ଅନିୟମିତତାରେ ବ୍ୟାଙ୍କ ଘାଣ୍ଟି ହେଉଥିବା ବେଳେ ନାବାର୍ଡ ପକ୍ଷରୁ ପିଡିସିରେ ଅସ୍ଥାୟୀ ପିଅନ ଭାବେ ନିଯୁକ୍ତି ପାଇଥିବା ଜନୈକ ମହିଳା ବେଆଇନ ଭାବେ ପଦୋନ୍ନତି ପାଇଥିବା ଜଣାଯାଇଛି। ବ୍ୟାଙ୍କରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ସ୍ବତନ୍ତ୍ର ମାନବ ସମ୍ବଳ ନୀତି ଓ ରେଜିଷ୍ଟ୍ରାରଙ୍କ ନିର୍ଦେଶ ଥିବା ବେଳେ ଏହାକୁ ଆଖିବୁଜି ଦେଇଥିବା ଜଣାପଡ଼ିଛି।

Advertisment

କିଛି ଅସାଧୁ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ପାଇଁ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ‘ସମ୍ବାଦ’ରେ ବ୍ୟାଙ୍କର ବିଭିନ୍ନ ଅନିୟମିତତା ପର୍ଦାଫାସ୍ ହେବା ପରେ ନିକଟ‌ରେ ଆରସିଏସ୍‌ଙ୍କ ନିର୍ଦେଶ ବଳରେ ୩୬ ଜଣ ଡିଇଓଙ୍କ ବହିଷ୍କାର ଏହାର ସବୁଠୁ ବଡ଼ ଉଦାହରଣ ରୂପେ ନିଆଯାଇପାରେ। ତେବେ ବ୍ୟାଙ୍କର ସଭାପତି ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପରିଚାଳନା ପରିଷଦର ସଦସ୍ୟମାନେ ନିଜ କ୍ଷମତାର ଅପବ୍ୟବହାର କରିଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ପରିସ୍ଥିତି ଏପରି ଯେ ବ୍ୟାଙ୍କ କର୍ତ୍ତୃପକ୍ଷ ଆର୍‌ସିଏସ୍‌ଙ୍କ ଆଦେଶ କିମ୍ବା ତାଙ୍କ ଦ୍ବାରା ପ୍ରଣୀତ ନିୟମଗୁଡ଼ିକୁ ମାନୁନଥିବା ବେଳେ ନିଜର ବେଆଇନ କାରବାରକୁ ଠିକ୍ ଅଛି ବୋଲି ବିତଣ୍ଡା ଯୁକ୍ତି କରୁଥିବା ଦେଖାଯାଇଛି।

ଓଡ଼ିଶା ସମବାୟ ରେଜିଷ୍ଟ୍ରାରଙ୍କ ଦ୍ବାରା ୨୦୧୪ ମସିହା ଜୁନ୍‌ ମାସ ୧୭ ତାରିଖରେ ହୋଇଥିବା ଚିଠି ନମ୍ବର-୧୦୬୧୯/୧୭-୬-୨୦୧୪ ଅନୁସାରେ ସମବାୟ ବ୍ୟାଙ୍କରେ ଯେଉଁ କର୍ମଚାରୀମାନେ ୨୦୧୧ ମସିହା ଜୁଲାଇ ମାସ ୨୭ ତାରିଖ ପୂର୍ବରୁ ଅସ୍ଥାୟୀ କିମ୍ବା କଣ୍ଟିନଜେଣ୍ଟରେ କାମ କରୁଛନ୍ତି, ତାଙ୍କର ଯଦି ଏହି ତାରିଖ ସୁଦ୍ଧା ୬ ବର୍ଷ ପୂରଣ ହେଉଥାଏ, ତାହେଲେ ସେମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦିଆଯିବା ପାଇଁ ନିଷ୍ପତ୍ତି ହେଲା। ବ୍ୟାଙ୍କର ଏଚ୍‌ଆର ପଲିସି-୨୦୧୧ରେ ଅର୍ଡର ନଂ- ୧୫୨୫୧/ ତାରିଖ ୨୭-୭-୧୧ରେ ସେମାନଙ୍କୁ ସ୍ଥାୟୀ କରିବା ପାଇଁ ନିର୍ଦେଶନାମା ଜାରି କରାଗଲା। ଏହାଛଡ଼ା ସେହି ତାରିଖ ପରଠାରୁ ଯେଉଁ କର୍ମଚାରୀମାନେ ବ୍ୟାଙ୍କରେ ନିଯୁକ୍ତି ପାଇଥିବେ ସେମାନଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ବିବିସିସି ବ୍ୟାଙ୍କର ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଜିଷ୍ଟ୍ରାରଙ୍କ କୌଣସି ଚିଠି କିମ୍ବା ସର୍କୁଲାରକୁ ଖାତିର ନ କରି ନିଜ ମନ ମୁତାବକ କାମ କରିଚାଲିଲେ। ତେବେ ରେଜିଷ୍ଟ୍ରାରଙ୍କ ନିର୍ଦେଶାନୁଯାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପଟ୍ଟନାୟକ ନିକଟରେ ବ୍ୟାଙ୍କରେ ବେଆଇନ୍‌ ଭାବେ ନିଯୁକ୍ତି ପାଇଥିବା ୩୬ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର କରିଛନ୍ତି।

ଅନ୍ୟପକ୍ଷରେ ଏବେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ୨୦୧୨ ମସିହା ନଭେମ୍ବର ୧୯ରେ ସମ୍ପୃକ୍ତ ମହିଳା କର୍ମଚାରୀ ନାବାର୍ଡ ଦ୍ବାରା ଅସ୍ଥାୟୀ ଭାବେ ପାକ୍‌ସ ଡେଭ୍‌ଲପ୍‌ମେଣ୍ଟ ସେଲ୍‌(ପିଡିସି)ରେ ସହାୟକ କର୍ମଚାରୀ(ପିଅନ) ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସମ୍ପୃକ୍ତ ମହିଳା କମର୍ଚାରୀଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ମନଇଚ୍ଛା ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଜଣାପଡ଼ିଛି। ୨୦୧୯ ଫେବ୍ରୁଆରି ୨୮ ତାରିଖରେ ବ୍ୟାଙ୍କର ବୋର୍ଡ ମିଟିଂରେ ଏକ ରିଜୋଲ୍ୟୁସନ କରି ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ପିଅନ ପଦବିରୁ ବ୍ୟାଙ୍କ କର୍ମଚାରୀ ଭାବେ ପଦନ୍ନୋତି ଦିଆଯାଇଥିବା ବେଳେ ପୁଣି ଆଗାମୀ ବୋର୍ଡ ବୈଠକରେ ଆଉ ଏକ ରିଜୋ‌ଲ୍ୟୁସନ୍‌ କରି ତାହା ମଞ୍ଜୁର କରିବା ପାଇଁ ମସୁଧା ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଯାହାର ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବୋର୍ଡର ସମସ୍ତ ବୈଠକରେ ହେଉଥିବା ଅଧିବେଶନ ବିବରଣୀର ନକଲ ଓଡ଼ିଶା ସମବାୟ ସମିତିର ରେଜିଷ୍ଟ୍ରାର(ଆରସିଏସ୍‌)ଙ୍କୁ ପ୍ରେରଣ କରିବାର ନିୟମ ରହିଥିବା ବେଳେ ପୂର୍ବ ବୈଠକରେ ତାହା କରାଯାଇନାହିଁ। ବ୍ୟାଙ୍କ କର୍ତ୍ତୃପକ୍ଷ ଓଡ଼ିଶା ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ରେଜିଷ୍ଟ୍ରାରଙ୍କୁ ଅନ୍ଧାରରେ ରଖି ବର୍ଷବର୍ଷ ଧରି ନିଜର ମନମାନି ଚଳାଇଥିବା ବେଳେ ରେଜିଷ୍ଟ୍ରାର କିମ୍ବା ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏ ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।