ବାଲେଶ୍ୱର: ନିଜକୁ ପୁଲିସ କହି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଛଡ଼ାଇ ନେଲେ ଦୁଇ ବାଇକ୍‌ଆରୋହୀ ଯୁବକ

ସୋର: ଶନିବାର ସକାଳ ପ୍ରାୟ ୯: ୩୦ରେ ସୋର କୋର୍ଟଛକରୁ ନିଜକୁ ପୁଲିସ କହି ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଜଣେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ନେଇ ଯାଇଛନ୍ତି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଜଗନ୍ନାଥପୁର ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟକର୍ମୀ ତଥା ସ୍ଥାନୀୟ ଟ୍ରେଜେରି କଲୋନିରେ ବସବାସ କରୁଥିବା ସବିତାମଣି ଜେନା ଅଫିସ୍‌କୁ ଯାଉଥିବା ବେଳେ କୋର୍ଟଛକ ନିକଟରେ କଳା ରଙ୍ଗର ମଟରସାଇକେଲ୍‌ ଚଳାଇ ଦୁଇଜଣ ଅଚିହ୍ନା ଯୁବକ ଆସି ତାଙ୍କୁ ଅଟକାଇ ଥିଲେ।

ସେମାନେ ସବିତାମଣିଙ୍କୁ କହିଲେ କି, ଆମେ ପୁଲିସ ଅଧିକାରୀ। ଗତ ରାତିରେ ଏ ଅଞ୍ଚଳରେ ସିଲା ନାମ୍ନା ଜଣେ ମହିଳାଙ୍କୁ ସୁନା ଅଳଙ୍କାର ପାଇଁ ହତ୍ୟା କରାଯାଇଛି। ତାଙ୍କ ଘର କେଉଁଠି? ଆମେ ତଦନ୍ତ କରିବାକୁ ଆସିଛୁ। ଆପଣ ମଧ୍ୟ ପିନ୍ଧିଥିବା ଅଳଙ୍କାର ଓହ୍ଲାଇ ପକାନ୍ତୁ। ପ୍ରଥମେ ସବିତା ପିନ୍ଧିଥିବା ସୁନା ଗହଣା ଓହ୍ଲାଇବାକୁ ଅମଙ୍ଗ ହେଉଥିଲେ। ପୁଲିସ କଥା ମାନୁନାହଁ କହି ସେମାନେ ଧମକାଣ ଦେଖାଇବାରୁ ସବିତା ଅଳଙ୍କାର ସବୁ ଓହ୍ଲାଇଲେ। ସବୁ ଗହଣାକୁ ଏକାଠି କରିବା ବେଳେ ବାଇକ୍‌ ଆରୋହୀ ଯୁବକ ଦୁହେଁ ତାଙ୍କ ହାତରୁ ସେସବୁ ଝାମ୍ପି ନେଇଥିଲେ। ସେଠାରେ ଗୋଟାଏ କାଗଜ ପୁଡ଼ିଆ ଫିଙ୍ଗି ଦେଇ- ଏଥିରେ ତୁମ ସୁନା ଗହଣା ଅଛି କହି ସେମାନେ ଘଟନାସ୍ଥଳରୁ ଚାଲିଯାଇଥିଲେ।

ସବିତା କାଗଜ ପୁଡ଼ିଆ ଖୋଲି ଦେଖିଲା ବେଳକୁ ସେଥିରେ କିଛି ମାଟିଗୋଡ଼ି ଛଡ଼ା ଆଉ କିଛି ନ ଥିଲା।

ସବିତାମଣି ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର