ବାଲେଶ୍ବର: ରାଜ୍ୟର ଯେତେ ସଂଗଠନ ସଂପର୍କରେ ଆସିଛି, ବାଲେଶ୍ବର ରକ୍ତଦାତା ସଂଘ ରକ୍ତ ସଂଗ୍ରହ କ୍ଷେତ୍ରରେ ସବୁବେଳେ ଆଖିଦୃଶିଆ ହୋଇରହିଛି। ରକ୍ତଦାତା ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି। ବିଜ୍ଞାନ ଯୁଗରେ ସବୁକଥା ମଣିଷ କରିପାରିଛି, କିନ୍ତୁ ରକ୍ତ ତିଆରି କାରଖାନା କରିପାରିନାହିଁ। ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି, ସେ ରକ୍ତ ପାଇଁ ଆଉ ଜଣଙ୍କ ଉପରେ ନିର୍ଭର କରିଥାନ୍ତି। ନିଜର ଅହଙ୍କାରକୁ ଦମନ କରିବା ପାଇଁ ଈଶ୍ବର ବି ଏଭଳି ଏକ ଉଦାହରଣ ତିଆରି କରିଛନ୍ତି। ତେଣୁ ବିନା ରକ୍ତରେ ଚିକିତ୍ସା ଅସମ୍ଭବ ବୋଲି ଆଜି ବାଲେଶ୍ବର ସହର ସ୍ଥିତ ଭେନିଆ ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀରେ ଅତିଥିମାନେ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି।
ସଂଘର ସଭାପତି କମଲ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯୋଗଦେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ, ରକ୍ତର ବିକଳ୍ପ କିଛି ନାହିଁ। ଯେଉଁମାନେ ରକ୍ତ ଦେଉଛନ୍ତି, ସେମାନେ ଏକପ୍ରକାର ତପସ୍ୟା କରୁଛନ୍ତି ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ରକ୍ତଦାତାଙ୍କୁ ଈଶ୍ବରଙ୍କ ପ୍ରତିନିଧି ବୋଲି କହିଥିଲେ। ମା’ମାନେ ନିଜ ପିଲାଙ୍କୁ ରକ୍ତ ଦେବାକୁ ମନା ନକରି ସେମାନଙ୍କୁ ଉତ୍ସାହିତ କରନ୍ତୁ, ଗୋଟିଏ ୟୁନିଟ୍ ରକ୍ତଦାନ କଲେ କେମିତି ତିନୋଟି ଖୁସି ମିଳିଥାଏ, ସେ ସଂପର୍କରେ ମଧ୍ୟ ବୁଝାଇଥିଲେ। ସେ ଆହୁରି କହିଥିଲେ, ରକ୍ତଦାନ ଅଭିଯାନ ସେଇଦିନ ସଫଳ ହେବ, ଯେଉଁଦିନ ବାଲେଶ୍ବର ମୁସଲମାନ ବ୍ୟକ୍ତି ପୁରୀର ଦଇତାପତିଙ୍କ ପୁଅକୁ ରକ୍ତଦେଇ ଜୀବନ ରକ୍ଷା କରିବ। ରକ୍ତଦାନ ସହିତ ଭୋଟ୍ ଦାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ମଧ୍ୟ ଦେଇଥିଲେ।
ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ରକ୍ତ ବିନା କାହାକୁ ମାରିବାକୁ ଦେବା ନାହିଁ ବୋଲି ସମସ୍ତଙ୍କୁ ଆହ୍ବାନ ଦେଇ କହିଥିଲେ। ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ପ୍ରକୃତ ରକ୍ତର ବନ୍ଧୁ ସିଏ, ଯିଏ ରକ୍ତଦେଇ ଜଣଙ୍କର ଜୀବନ ବଂଚାଇଥାନ୍ତି ବୋଲି କହିଥିଲେ। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇ ରକ୍ତ ଦେଇ ରକ୍ତଦାତା କିଭଳି ଶାରୀରିକ ଭାବେ ଲାଭବାନ ହୋଇଥାନ୍ତି ସେ ସଂପର୍କରେ ବିସ୍ତୃତଭାବେ ବୁଝାଇଥିଲେ। ବିଶେଷକରି, ରକ୍ତଦାନର ସ୍ବାସ୍ଥ୍ୟଗତ ଆବଶ୍ୟକତା ସମ୍ପର୍କରେ କହିଥିଲେ।ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ପୁରୁଣା ରକ୍ତଦାତାଙ୍କ ସହିତ କିଭଳି ଅଧିକ ନୂଆ ରକ୍ତଦାତା ସୃଷ୍ଟି କରାଯିବ ସେ ସଂପର୍କରେ ଗୁରୁତ୍ବ ଦେଇଥିଲେ। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଯୋଗଦେଇ ‘ସମ୍ବାଦ ଆମଓଡ଼ିଶା’ ରକ୍ତଦାନର ଅଭିଯାନକୁ ସାକର କରିପାରିଛି ବୋଲି କହିଥିଲେ। ଜିଲ୍ଲା ରକ୍ତକେନ୍ଦ୍ରର ଡା. ବସନ୍ତ କୁମାର ଉପାଧ୍ୟାୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ପଦ୍ମଲୋଚନ ଦତ୍ତ ସଂଘକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।
ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ବାନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ସ୍ବାଗତ ସମ୍ବାଷଣ ରଖିଥିବା ବେଳେ ଡା. କୁମାର ଗୋପାଲ ଅତିଥି ପରିଚୟ ଦେଇଥିଲେ। ସାଧାରଣ ସଂପାଦକ ଇଂ. ହୃଷିକେଶ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଘର ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ। ସହଯୋଗୀ ମନୋରଂଜନ ଦାସ, ଦେବାଶିଷ ପାଣି ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିଲେ। ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀକୁ ସଂଘର ଉପସଭାପତି ସୁବ୍ରତ କୁମାର ରଣା, ଲକ୍ଷ୍ମୀଧର ବାରିକ, ସୁମନ୍ତ କୁମାର ଜେନା, ଉପଦେଷ୍ଟା ରବି ରାଉତଙ୍କ ସହିତ ଅନ୍ୟ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।