ଚର୍ଚ୍ଚାରେ ବାଲେଶ୍ୱର ଉପନିର୍ବାଚନ ରାଜନୀତି : ବିଜେପିର ପ୍ରାର୍ଥୀ ଆପାତତଃ ଚୂଡ଼ାନ୍ତ; ବିଜେଡି ଓ କଂଗ୍ରେସରେ ଛକାପଞ୍ଝା
ଗତଥର ହାରିଥିବା କେହି ଦଳର ପ୍ରାର୍ଥୀ ହେବେନି: ଜୀବନପ୍ରଦୀପ
ଭୁବନେଶ୍ୱର, (ଅରବିନ୍ଦ ଦାସ): ଆସନ୍ତା ଉପନିର୍ବାଚନ ପାଇଁ ବାଲେଶ୍ବର ସଦର ଆସନକୁ ନେଇ ବିଜେଡି ଓ କଂଗ୍ରେସ ଦଳରେ ଛକାପଞ୍ଝା ଲାଗିରହିଥିବା ବେଳେ ବିଜେପି ପରଲୋକଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସଙ୍କୁ ପ୍ରାର୍ଥୀ କରୁଥିବା ନିଷ୍ପତ୍ତି ବସ୍ତୁତଃ ଚୂଡ଼ାନ୍ତ ହୋଇଛି।
ବାଲେଶ୍ବର ଜିଲ୍ଲାର ସାଙ୍ଗଠନିକ ଦାୟିତ୍ବରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଉଭୟ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଗୋଷ୍ଠୀ ସହ ଘନଘନ ଆଲୋଚନା କରୁଥିଲେ ହେଁ ସେ ନେଇ ଦଳ କୌଣସି ନିଷ୍ପତ୍ତି ନେଇନଥିବା ଜଣାଯାଇଛି। ତେବେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଶନିବାର ଗଣମାଧ୍ୟମକୁ ଜୀବନପ୍ରଦୀପ ଦାଶ ଯାହା ସୂଚନା ଦେଇଛନ୍ତି ସେଥିରୁ ଅନେକ କଥା ସ୍ପଷ୍ଟ ହୋଇଛି। ‘ଗତଥର ହାରିଥିବା କାହାକୁ ଦଳ ପ୍ରାର୍ଥୀ କରିବ ନାହିଁ; ତେଣୁ ସେ ଏଥର ଲଢ଼ିବେନି, ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବେ’ ବୋଲି ଶ୍ରୀ ଦାଶ କହିଛନ୍ତି। ଏହି ନିୟମ ଅନୁସାରେ ତାଙ୍କ ବିରୋଧୀ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ଟିକେଟ ମିଳୁନଥିବା ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି। ଯଦି ମୋତେ ଟିକେଟ ମିଳୁନାହିଁ, ମୋ ବିରୋଧୀ ରବୀନ୍ଦ୍ରଙ୍କୁ ମଧ୍ୟ ନମିଳୁ ବୋଲି ଏତଦ୍ବାରା ସେ ପରୋକ୍ଷରେ ଦଳକୁ ବାର୍ତ୍ତା ଦେଇଛନ୍ତି। ତେବେ ଦଳୀୟ ନିଷ୍ପତ୍ତି ବିଷୟରେ ସୂଚନା ଦଳର ରାଜ୍ୟସ୍ତରର କେହି ନେତା ନଦେଇ ଜୀବନପ୍ରଦୀପ ନିଜେ ଦେବା କଥାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ରବୀନ୍ଦ୍ର ଜେନା ମଧ୍ୟ ପତ୍ନୀ ସୁବାସିନୀଙ୍କ ସହ ଇତିମଧ୍ୟରେ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କ ସହ ଘନଘନ ବୈଠକ କରାଉଛନ୍ତି। ବାଲେଶ୍ବରରେ ଡେରା ପକାଇଥିବା ଦଳର ରାଜ୍ୟ ନେତାମାନେ ସୁବାସିନୀଙ୍କ ପ୍ରାର୍ଥିତ୍ବ ସପକ୍ଷରେ ଅନ୍ୟମାନଙ୍କୁ ମନାଉଥିବା ମଧ୍ୟ ଖବର ମିଳୁଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା ମଧ୍ୟ ସୁବାସିନୀଙ୍କ ପ୍ରାର୍ଥିତ୍ବ ଚୂଡ଼ାନ୍ତ ହେଉଥିବା କହିଛନ୍ତି। ତେବେ ଜୀବନପ୍ରଦୀପଙ୍କ ସୂଚନାରେ ଉହ୍ୟ ରହିଥିବା ଏକ ଅନୁମାନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଆଉ ଏକ ସଙ୍କେତ ମଧ୍ୟ ଦେଉଛି। ଯଦି ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ କିମ୍ବା ସେମାନଙ୍କ ପରିବାରରୁ ଅନ୍ୟ କାହାକୁ ଟିକେଟ ଦିଆନଯିବା ଭଳି ନିଷ୍ପତ୍ତି ହୁଏ, ଜୀବନପ୍ରଦୀପ, ରବୀନ୍ଦ୍ର କିମ୍ବା ସୁବାସିନୀଙ୍କ ଭିନ୍ନ ଅନ୍ୟ କାହାକୁ ଦଳ ପ୍ରାର୍ଥୀ କରିବ। ସେପରି ସ୍ଥଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚର୍ଚ୍ଚାକୁ ଆସିଥିବା ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପର୍କୀୟ ଅରିନ୍ଦମଙ୍କୁ ଟିକେଟ ମିଳିବା ମଧ୍ୟ ବିଚିତ୍ର ନୁହେଁ ବୋଲି କୁହାଯାଉଛି। ଶନିବାର ବିଳମ୍ବିତ ରାତିରେ କିମ୍ବା ରବିବାର ଦଳର ପ୍ରାର୍ଥିତ୍ବ ନେଇ ରାଜ୍ୟ ନେତୃତ୍ବ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଆଭାସ ମିଳୁଛି।
ବିଜେଡି ପରି କଂଗ୍ରେସ ମଧ୍ୟ ଏବେ ବି ପ୍ରାର୍ଥିତ୍ବକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନାହିଁ। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ତଥା ଗତ ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀ ନବଜ୍ୟୋତି ଦଳରୁ ପ୍ରାର୍ଥୀ ହେବେ ବୋଲି ପ୍ରଥମରୁ ସମସ୍ତେ ଭାବୁଥିଲେ। ତେବେ ସେ ଦୈାଡ଼ରେ ନାହାନ୍ତି ବୋଲି ନିଜେ ସ୍ପଷ୍ଟ କରିବା ପରଠାରୁ ଅନ୍ୟମାନଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଆସିଛି। ମୂଳରୁ ପ୍ରସ୍ତୁତିରେ ପଛେଇଯାଇଥିବା କଂଗ୍ରେସ ଶନିବାର ରାଜ୍ୟ ପ୍ରଭାରୀ ଡ. ଏ.ଚେଲ୍ଲାକୁମାରଙ୍କ ବାଲେଶ୍ବର ଗସ୍ତ ପରେ ପୁଣି ଦଳୀୟ ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଯାଉଛି। ସର୍ବଶେଷ ସୂଚନା ଅନୁସାରେ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ଦଳୀୟ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଓ ଟିକେଟ ନପାଇ କିଛିଦିନ ପାଇଁ ଦଳ ଛାଡ଼ିଥିବା ଯୁବନେତା ବିକ୍ରମ ପଣ୍ଡାଙ୍କ ମଧ୍ୟରୁ କାହାକୁ ଜଣକୁ ଟିକେଟ ମିଳିବା ସମ୍ଭାବନା ରହିଛି। ତେବେ ବିକ୍ରମ ପଣ୍ଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବରର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କ ଅନୁଗତ ହୋଇଥିବାରୁ ତାଙ୍କୁ ଟିକେଟ ମିଳିବା କଷ୍ଟ ବୋଲି ମଧ୍ୟ ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ମାନସ ଦାସପଟ୍ଟନାୟକ ପ୍ରାର୍ଥୀ ହେବେ ନାହିଁ ବୋଲି ନିଜ ତରଫରୁ ଦଳକୁ ଜଣାଇଦେଇଛନ୍ତି। ନବଜ୍ୟୋତିଙ୍କୁ ପ୍ରାର୍ଥୀ କଲେ ଦଳ ବିଜେଡି ଓ ବିଜେପି ସହ ତାଳ ଦେଇ ଜୋରଦାର ଲଢ଼େଇ କରିବା ସମ୍ଭାବନା ଥିବାରୁ ତାଙ୍କୁ ରାଜି କରାଇବା ପାଇଁ ଦଳର ଏକ ଗୋଷ୍ଠୀ ପ୍ରଭାରୀ ଡ.ଚେଲ୍ଲାକୁମାରଙ୍କୁ ଅନୁରୋଧ କରୁଥିବା ଜଣାଯାଇଛି। ତେବେ ନବଜ୍ୟୋତି ରାଜି ହେବା ସମ୍ଭାବନା କମ୍ ଥିବାରୁ ଦଳ ପୂର୍ବରୁ ଲୋକସଭା ଆସନରେ ଏକ ଜାତୀୟ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଜଣେ ମହିଳାଙ୍କୁ ମଇଦାନକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ମାନସ ଦତ୍ତଙ୍କ ପ୍ରାର୍ଥିତ୍ବକୁ ନେଇ ବିଜେପି ଆପାତତଃ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛି। ବାଲେଶ୍ବର ସଦର ବ୍ଲକ୍ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେବାରୁ ମଝିରେ ୪୮ ଘଣ୍ଟା ତାଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ଏପରିକି ବିଜେଡି ଟିକେଟରୁ ବଞ୍ଚିତ ହେଲେ ତାଙ୍କ ମେଣ୍ଟର ବୋଲାଯାଉଥିବା ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବିଜେପିକୁ ଫେରି ଟିକେଟ ପାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଥିଲା। ତେବେ ଶୁକ୍ରବାର ନାରାୟଣ ପ୍ରଧାନ ପୁଣିଥରେ ଦଳକୁ ଫେରିଆସିବା ପରେ ଉଭୟଙ୍କୁ ନେଇ ଏପରି କଳ୍ପନାଜଳ୍ପନାର ଅବସାନ ଘଟିଥିଲା। ମାନସଙ୍କ ପ୍ରାର୍ଥିତ୍ବକୁ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅନାଗ୍ରହ ସତ୍ତ୍ବେ ବିଜେପି ପକ୍ଷରେ ଏବେ ଆଉ କିଛି ବିକଳ୍ପ ନଥିବା କୁହାଯାଉଛି।