ବାଲେଶ୍ୱର : ପ୍ରଚାରରେ କମ୍ପୁଛି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ। ନଭେମ୍ବର ୩ ତାରିଖ ଉପନିର୍ବାଚନ ଲାଗି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ସବୁ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ଓ ତୁଙ୍ଗ ନେତାଙ୍କ ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦିନରାତି ଏକ କରିଦେଇଛନ୍ତି।

Advertisment

ଗୁରୁବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କଂଗ୍ରେସର ରାଜ୍ୟ ପ୍ରଭାରୀ ଡ.ଏ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ତଥା ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ। ଏମାନେ ଦଳୀୟ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିଥିଲେ। ନେତାମାନେ କହିଥିଲେ, କଂଗ୍ରେସ ସରକାର ସମୟରେ ବାଲେଶ୍ବରରେ ଶିଳ୍ପ, କୃଷି, ଶିକ୍ଷା, ରୋଜଗାର, ଗାଁ ଓ ସହରର ବିକାଶ ତଥା ଆଇନଶୃଙ୍ଖଳା କ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ରାଜ୍ୟରେ ୨୧ ବର୍ଷର ନବୀନ ସରକାର ଓ କେନ୍ଦ୍ରରେ ୭ ବର୍ଷର ମୋଦୀ ସରକାର ସମୟରେ ଏହି ବିକାଶପ୍ରକ୍ରିୟା ରସାତଳକୁ ଚାଲିଯାଇଛି। କରୋନା ମୁକାବିଲା‌ରେ କେନ୍ଦ୍ର-ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫେରିଥିବା ଦାଦନ ଶ୍ରମିକଙ୍କୁ କାମ ଦେଇ ପାରିଲେନି। କଂଗ୍ରେସ ନେତାମାନେ ରୋଡ୍‌ ସୋ ବି କରିଥିଲେ।

ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଲେଶ୍ବର ଆସି ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପା‌ଇଁ ମାରାଥନ୍‌ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ଗୋଲକ ମହାପାତ୍ର, ଖାରବେଳ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପ୍ରମୁଖ ପ୍ରଚାରର ମଙ୍ଗ ଧରିଥିଲେ। ସଂଧ୍ୟାରେ ଶ୍ରୀମତୀ ଷଡ଼ଙ୍ଗୀ ବାଲେଶ୍ବରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଜିଲ୍ଲା ବିକାଶରେ ସଠିକ୍‌ ଯୋଜନା ନଥିବାବେଳେ ବିକାଶମୂଳକ କାମଗୁଡ଼ିକ କେବେ ସରିବ, ତା’ର କୌଣସି ନିର୍ଦ୍ଦିଷ୍ଟ ରୋଡ଼ମ୍ୟାପ୍‌ ହୋଇନଥିବା ଅଭିଯୋଗ ଆଣି ସେ ସରକାରଙ୍କୁ ଘେରିବା ସହ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଶାସକଦଳକୁ ଉପଯୁକ୍ତ ଜବାବ ଦେବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟପଟେ ବିଜେଡିର ଏକାଧିକ ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ନେତା ବାଲେଶ୍ବରରେ ଡେରା ପକାଇ ଦଳୀୟ ପ୍ରାର୍ଥୀ ସ୍ବରୂପ ଦାସଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇଛନ୍ତି।