ବାଲେଶ୍ୱର ରଖିପାରିଲାନି ବିଜେପି

ବିଜୟ ଦେଲାନି ଅନୁକମ୍ପା, କଡ଼ା ଟକ୍କର ଦେଲେ
ଅମାନତ ହରାଇଲା କଂଗ୍ରେସ
ଚର୍ଚ୍ଚା ତୁଳନାରେ ବେଣୁଧର ଭୋଟ୍‌ ପାଇଲେନି

ବାଲେଶ୍ୱର : ଉପନିର୍ବାଚନରେ ବାଲେଶ୍ବର ସଦର ଆସନକୁ ବଜାୟ ରଖିବାରେ ବିଜେପି ବ୍ୟର୍ଥ ହୋଇଛି। ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ଭାବେ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରି ଦଳ ଅନୁକମ୍ପା ଭୋଟ୍‌ ହାତେଇବାର ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ବ୍ୟର୍ଥ ଯାଇଛି। ଫଳରେ, ୨୦୧୯ ସାଧାରଣ ନିର୍ବାଚନରେ ହରାଇଥିବା ଆସନକୁ ପୁଣିଥରେ ବିଜେଡି ଫେରିପାଇଛି। ପ୍ରଥମଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ସ୍ବରୂପ ଦାସ ମଧ୍ୟ ବିଜୟ ହାସଲ କରିବା ପାଇଁ ସକ୍ଷମ ହୋଇଛନ୍ତି। ଅପରପକ୍ଷେ, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ଯେତିକି ଚର୍ଚ୍ଚାକୁ ଆସିଥିଲେ ସେତିକି ବି ଭୋଟ୍‌ ପାଇନାହାନ୍ତି।

ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ବିଜୟ ପରେ ସ୍ଥାନୀୟ ନେତା, କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ସ୍ବରୂପ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ହେଉଛି ବିକାଶର ବିଜୟ। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ଜାରି ରଖିବା ପାଇଁ ବାଲେଶ୍ବରବାସୀ ତାଙ୍କୁ ‌ବିପୁଳ ଭୋଟରେ ଜିତାଇଛନ୍ତି। ଏଥିପାଇଁ ସେ ସଦର ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଦଳର ସମସ୍ତ ନେତା, କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଜେପି ପ୍ରାର୍ଥୀ ମାନସ ଦତ୍ତ ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରି ବାଲେଶ୍ବରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ସହ ସେ ସବୁବେଳେ ଥିଲେ ଏବଂ ଆଗକୁ ମଧ୍ୟ ରହିବେ। ନିର୍ବାଚନରେ ହାରଜିତ ରହିଛି। ଆଜି ହାର୍‌ ହୋଇଛି, ଆସନ୍ତାକାଲି ନିଶ୍ଚିତ ଜିତ୍‌ ହେବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ପରାଜୟରେ ନିରାଶ ହୋଇନାହାନ୍ତି। ପୂର୍ବଭଳି ସେ ଜନସେବା ଜାରି ରଖିବେ ଏବଂ ବାଲେଶ୍ବରର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ବର ସଦର ଆସନକୁ ନିଜ ସପକ୍ଷରେ ଆଣିବା ପାଇଁ ବିଜେଡିର ସଂଖ୍ୟାଧିକ ମନ୍ତ୍ରୀ, ବିଧାୟକ ପୂରା ଦମ୍‌ରେ ଲାଗିପଡ଼ିଥିଲେ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶର ବାର୍ତ୍ତା ସହିତ ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପ୍ରତି ରହିଥିବା ଅନୁକମ୍ପା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କ୍ରେଜ୍‌କୁ ଆୟୁଧ କରି ବି‌ଜେପି ପ୍ରତିଦ୍ବନ୍ଦ୍ବିତା କରୁଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମଦନମୋହନ ଦତ୍ତ ୧୩ ହଜାର ୪୦୬ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାଶଙ୍କୁ ପରାଜିତ କରିଥିଲେ। ସ୍ବର୍ଗତ ଦତ୍ତଙ୍କୁ ୭୪ ହଜାର ୮୧୫ ଭୋଟ ମିଳିଥିବାବେଳେ ଜୀବନପ୍ରଦୀପଙ୍କୁ ମିଳିଥିଲା ୬୧ ହଜାର ୪୦୯ ଭୋଟ। ତେବେ ଗତ ସାଧାରଣ ନିର୍ବାଚନରେ ସ୍ବର୍ଗତ ଦତ୍ତ ଯେତିକି ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ, ସଦ୍ୟ ସମାପ୍ତ ଉପନିର୍ବାଚନରେ ସ୍ବରୂପ ସେହି ବ୍ୟବଧାନକୁ କାଟିବାରେ ସଫଳ ହୋଇଛନ୍ତି।

ସ୍ବରୂପଙ୍କ ବିଜୟ ପରେ ଜିଲ୍ଲା ବିଜେଡି ଶିବିର ପୁଣି ଚଳଚଞ୍ଚଳ ହୋଇଉଠିଛି। ଆଜି ସନ୍ଧ୍ୟାରେ ବହୁସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଭୋଟ୍‌ ଗଣତି କେନ୍ଦ୍ର ଆଗରେ ଖୁସି ମନାଇଥିଲେ। ସୂଚନାଯୋଗ୍ୟ, ସଦର ବ୍ଲକର ୨୬ଟି ପଞ୍ଚାୟତ ଏବଂ ମ୍ୟୁନିସିପାଲିଟିର ୩୧ଟି ୱାର୍ଡରେ ଭୋଟ୍‌ ହୋଇଥିଲା। ମୋଟ ୧ ଲକ୍ଷ ୫୯ ହଜାର ୬୧୪ ଜଣ ଭୋଟ ଦେଇଥିବା ବେଳେ ମତଦାନ ହାର ୭୦.୬୯ ପ୍ରତିଶତ ହୋଇଥିଲା। ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ୱେୟାରହାଉସରେ ଭୋଟ୍‌ ଗଣତି ହୋଇଥିଲା। ମୋଟ୍‌ ୨ ଶହ ଜଣ କର୍ମଚାରୀ ଓ ଅଧିକାରୀ ଗଣନା ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର