ବାଲେଶ୍ୱରରେ ସରକାରଙ୍କୁ ଟାର୍ଗେଟ କରି ଗର୍ଜିଲେ ଧର୍ମେନ୍ଦ୍ର

ବାଲେଶ୍ୱରକୁ ମୋଦୀ ଦେଇଛନ୍ତି ୯୨୨.୪୮ କୋଟି
ସରକାର ଅପାରଗ, ବାହାରକୁ କାମ ପାଇଁ ଯାଉଛନ୍ତି ଯୁବକ
ରଣେନ୍ଦ୍ରଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କଲେ ପ୍ରତାପ
ସମ୍ବେଦନହୀନ ସରକାରକୁ ଭୋଟରେ ଜବାବ ଦେବାକୁ ଆହ୍ବାନ

ବାଲେଶ୍ୱର/ରୂପସା : କରୋନା ମହାମାରୀ ସମୟରେ ମୋଦୀ ସରକାର ଓଡ଼ିଶାକୁ ୨୨ ହଜାର ୨୬୭ କୋଟି ଟଙ୍କା ସହାୟତା ଦେଲେ। ସେଥିରୁ ବାଲେଶ୍ୱରକୁ ୯୨୨. ୪୮ କୋଟି ଟଙ୍କା ମିଳିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଡାଲି, ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍‌, ଜନଧନ ସହାୟତା ସହିତ ଅମ୍ଫାନ୍‌ ବାତ୍ୟା ପ୍ୟାକେଜ୍‌ ବି ଦିଆଗଲା। ବାହାର ରାଜ୍ୟରେ ଫସି ରହିଥିବା ଅସହାୟ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ସହ ସେମାନଙ୍କ ହାତରେ କାମ ଦେବା ପାଇଁ ବିଶେଷ ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଗଲା। ହେଲେ ରାଜ୍ୟରେ ଅପାରଗ, ସମ୍ବେଦନହୀନ ତଥା ଦାୟିତ୍ବହୀନ ସରକାର ଚାଲିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ନବୀନ ସରକାରଙ୍କ ୨୦ ବର୍ଷର ଲମ୍ବା ଶାସନରେ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବାଲେଶ୍ବର ସଦର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାରରେ ଆସି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସକାଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ରୂପ୍‌ସା ଦଲଦଲି ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ କହିଥିଲେ, ନରେନ୍ଦ୍ର ମୋଦୀଙ୍କ ବିଶ୍ବସ୍ତରରେ ନେତୃତ୍ବ, ଓଡ଼ିଶା ଲୋକମାନଙ୍କ ଅଗାଢ଼ ବିଶ୍ବାସର ପ୍ରତିଫଳନ ସ୍ବରୂପ ବାଲେଶ୍ବରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ‌କେନ୍ଦ୍ରମନ୍ତ୍ରୀ ହେବା ସହ ସ୍ବର୍ଗତ ମଦନମୋହନ ଦତ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସମୟ ଆସିଛି ଏ ଅଞ୍ଚଳକୁ ସମୃଦ୍ଧ କରି ଅର୍ଥନୈତିକ ପେଣ୍ଠସ୍ଥଳୀ ଭାବେ ଗଢ଼ିବାକୁ ପଡ଼ିବ। ଗାଁ ଗାଁରେ ଯୁବକଯୁବତୀମାନଙ୍କୁ ଏହିଠାରେ ରୋଜଗାର ଦିଆଯିବ। ଉଚ୍ଚଶିକ୍ଷା ପାଇଁ ଆଉ କେହି ବାହାରକୁ ଯିବେ ନାହିଁ। ଯେଉଁ ବାଲେଶ୍ବର ଦିନେ ଓଡ଼ିଆ ଭାଷ‌ାର ସୁରକ୍ଷା ଲାଗି ସଫଳ ନେତୃତ୍ବ ନେଇଥିଲା, ସେହି ମାଟି ଆଜି ଏକବିଂଶ ଶତାବ୍ଦୀରେ ପାଦ ଥାପିଛି। ବାଲେଶ୍ବରର ବୌଦ୍ଧିକ ସାରସ୍ବତ ତଥା ସଂଗ୍ରାମର ମାଟି ପୁନର୍ବାର ନୂଆ ରୂପ ନେବ। ବାଲେଶ୍ୱର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ସହର ଏବଂ ବ୍ୟାବସାୟିକ କେନ୍ଦ୍ର କରିବାକୁ ସେ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଉଭୟ ଦାୟିତ୍ବ ନେବେ। ଗତ ସାଧାରଣ ନିର୍ବାଚନରେ ସମସ୍ତେ ଯେମିତି ସ୍ବର୍ଗତ ମଦନମୋହନ ଦତ୍ତଙ୍କୁ ଭୋଟ୍‌ ଦେଇ ନିର୍ବାଚିତ କରିଥିଲେ, ଏଥର ମଧ୍ୟ ତାଙ୍କ ଅବର୍ତ୍ତମାନରେ ପୁଅ ମାନସଙ୍କୁ ବିପୁଳ ସମର୍ଥନ ଦେଇ ବାଲେଶ୍ବରର ବିକାଶଧାରାକୁ ଆଗେଇ ନେବାକୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।

ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଲେ, ବାଲେଶ୍ବର ଜିଲ୍ଲାରେ ବିଶ୍ବସ୍ତରୀୟ ମତ୍ସ୍ୟ ବ୍ୟବସାୟର କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ଜିଲ୍ଲାର ଲକ୍ଷାଧିକ ଲୋକ ଏଥିରେ ଆତ୍ମନିର୍ଭରଶୀଳ ହେବା ସହ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ତେବେ ବାଲେଶ୍ବରକୁ ଆତ୍ମନିର୍ଭର କରିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବାବେଳେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ତାହା ସଫଳ ହୋଇପାରୁନାହିଁ। ଆଜି ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଆବାସ, ସ୍ବଚ୍ଛ ଭାରତ ମିସନ୍ ପାଇଖାନା, ରାସନ୍‌, ରାସ୍ତାଘାଟ, ପାନୀୟଜଳ ଆଦି ସବୁଥିରେ ଦୁର୍ନୀତି, ଭ୍ରଷ୍ଟାଚାର ସୀମା ଟପିଛି। ଚିଟ୍‌ଫଣ୍ଡ ଟଙ୍କା କଥା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ମାତ୍ର ସିବିଆଇ ସ୍କାନର୍‌ରେ ଥିବା ଏବଂ ଗିରଫ ହୋଇଥିବା ସାଂସଦ, ବିଧାୟକ ଓ ମନ୍ତ୍ରୀମାନେ ଏବେ ବାଲେଶ୍ବରରେ ଡେରା ପକାଇ ନିଜ ପ୍ରାର୍ଥୀଙ୍କ ପାଇଁ ଦୁଆର ଦୁଆର ବୁଲି ଭୋଟ ମାଗୁଛନ୍ତି। ଏପରିକି ଶାସକ ଦଳର ଜଣେ ବରିଷ୍ଠ ମନ୍ତ୍ରୀ ପ୍ରଚାରବେଳେ ସ୍ବର୍ଗୀୟ ବିଧାୟକ ମଦନମୋହନଙ୍କ ବିୟୋଗକୁ ଏକ ସୁଯୋଗ କହି ଭୋଟ୍‌ ମାଗିବାକୁ ଭୁଲିନାହାନ୍ତି। ଏହା ଅତ୍ୟନ୍ତ ଦୁଃଖ ଓ ନିରାଶଜନକ ବୋଲି ସେ କହିଥିଲେ। ଆସନ୍ତା ୩ ତାରିଖ ଉପନିର୍ବାଚନରେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀବାସୀ ଏହାର କଡ଼ା ଜବାବ ଦେବେ ବୋଲି ସେ କହିଥିଲେ।

ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟାହ୍ନ ୧୨ଟା ୧୫ରେ ସାର୍ଥାସ୍ଥିତ ପଞ୍ଚମୀପଡ଼ିଆ‌ ସାଧରଣ ସଭାରେ ଯୋଗ ଦେଇଥିଲେ। ଅପରାହ୍ନ ସାଢେ ୫ଟାରେ ବାଲେଶ୍ବର ପୌରାଞ୍ଚଳର ବାଣେଶ୍ବର ମନ୍ଦିର ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ପ୍ରଧାନ ଉଦ୍‌ବୋଧନ ଦେବା ସହ ମାନସ ଦତ୍ତଙ୍କ ପାଇଁ ଭୋଟ୍‌ ମାଗିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଏହି ମାରାଥନ ପ୍ରଚାରରେ ପୂର୍ବତନ ମନ୍ତ୍ରୀ ତଥା ସଦର ନିର୍ବାଚନମଣ୍ଡଳୀର ପ୍ରଚାର ସମିତି ଅଧ୍ୟକ୍ଷ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବାଲେଶ୍ବରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପ୍ରାର୍ଥୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଭଦ୍ରକର ବରିଷ୍ଠ ବିଜେପି ନେତା ଅଭିମନ୍ୟୁ ଗୋଚ୍ଛାୟତ, ବଦ୍ରିନାରାୟଣ ଧଳ, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଧନା ଦିଆଯିବା ସହ ପଦଯାତ୍ରା ଓ ବାଇକ୍‌ ରାଲିର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର