ବାଲେଶ୍ବର ପୌରାଧ୍ୟକ୍ଷ ପ୍ରାର୍ଥୀ: ରଶ୍ମିରେଖା, ସବିତା କୋଟିପତି

ବାଲେଶ୍ବର: ବାଲେଶ୍ବର ପୌର ନିର୍ବାଚନରେ ଏଥର କୋଟିପତି ପ୍ରାର୍ଥୀଙ୍କ ସମେତ ସବୁଠୁ ଗରିବ ପ୍ରାର୍ଥୀ ବି ଅଛନ୍ତି। ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଭିତରେ ବିଜେପିର ରଶ୍ମିରେଖା ଦେବ ସବୁଠୁ ଧନୀ। ରଶ୍ମିରେଖା ଏବଂ ତାଙ୍କ ସ୍ବାମୀ ସୁଜିତ ଦେବଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ କୋଟି ୯୮ ଲକ୍ଷ ୧୨ହଜାର ୩୦୦ ଟଙ୍କ‌ାରୁ ଊର୍ଦ୍ଧ୍ବ ବୋଲି ଜଣାଯାଇଛି। ଅନ୍ୟପଟେ ସବୁଠୁ କମ୍‌ ଧନୀ ପୌରାଧ୍ୟକ୍ଷ ପ୍ରାର୍ଥୀ ହେଉଛନ୍ତି ଆମ୍‌ ଆଦମୀ ପାର୍ଟିର ‌  ସବିତାରାଣୀ ଦାସ। ତାଙ୍କ ପାଖରେ ମୋଟ ବ୍ୟାଙ୍କ ଜମା, ବୀମା, ବଣ୍ଡ, ସୁନାଗହଣା ଆଦିର ମୂଲ୍ୟ ୯ ଲକ୍ଷ ଟଙ୍କା। ଏହା ତାଙ୍କର ମୋଟ ସମ୍ପତ୍ତି ହୋଇଥିବା ବେଳେ ତାଙ୍କ ନାଁରେ କିମ୍ବା ତାଙ୍କ ସ୍ବାମୀଙ୍କ ନାଁରେ ଗାଡ଼ି କି ଘରବାଡ଼ି କିଛି ନଥିବା ସେ ତାଙ୍କ ସତ୍ୟାପାଠରେ ଦର୍ଶାଇଛନ୍ତି।

ବିଜେପି ପ୍ରାର୍ଥୀ ରଶ୍ମିରେଖାଙ୍କ ହାତରେ ୨ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ସ୍ବାମୀଙ୍କ ହାତରେ ରହିଛି ୪ ଲକ୍ଷ ଟଙ୍କା। ବିଭିନ୍ନ ବ୍ୟାଙ୍କରେ ଜମା ରାଶି, ବୀମା, ବଣ୍ଡ ଆଦି ସହ ସୁନାଗହଣାକୁ ମିଶାଇ ତାଙ୍କ ପାଖେ ୨୫ ଲକ୍ଷ ୭୯ ହଜାର ୭୬୦ ଟଙ୍କା ରହିଥିବା ବେଳେ ସ୍ବାମୀଙ୍କ ପାଖେ ୭୭ ଲକ୍ଷ ୩୨ ହଜାର ୫୪୦ ଟଙ୍କା ରହିଛି। ଅସ୍ଥାବର ସମ୍ପତ୍ତି(ଜମି, ଘରବାଡ଼ି, କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନ) ତାଲିକା‌ରେ ତାଙ୍କ ସ୍ବାମୀଙ୍କ ନାଁରେ କଷାଫଳ, ସାର୍ଥା ଏବଂ ମୂ‌‌ଳିସିଂ ଅଞ୍ଚଳ‌େର ୫୨ ଏକର ଚାଷଜମି ରହିଛି।

ବାଲେଶ୍ବର ସହରର ଗୋପାଳଗାଁ, ମାଣିଖମ୍ବ ଏବଂ ବାଗ୍‌ବୃନ୍ଦାବନ ଅଞ୍ଚଳରେ ଏକାଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା ବେଳେ ଏହାର ବର୍ତ୍ତମାନ ବଜାର ମୂଲ୍ୟ ୧୦ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ଧନଶାଳୀ ପୌରାଧ୍ୟକ୍ଷ ପ୍ରାର୍ଥୀ ତାଲିକାରେ ଦ୍ବିତୀୟରେ ରହିଛନ୍ତି ବିଜୁ ଜନତା ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀ  ସବିତା ସାହୁ। ସବିତା ଓ ତାଙ୍କ ସ୍ବାମୀଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୧୪ ଲକ୍ଷ ୯୦ ହଜାର ୫୭୮ ଟଙ୍କା। ତାଙ୍କ ହାତରେ ବର୍ତ୍ତମାନ ୭୦ ହଜାର ଟଙ୍କା ରହିଥିବା ବେଳେ ସ୍ବାମୀଙ୍କ ହାତରେ ୮୦ ହଜାର ଟଙ୍କା ରହିଛି। ବିଭିନ୍ନ ବ୍ୟାଙ୍କରେ ଜମାରାଶି ଓ ବୀମା ପଲିସି ବାବଦରେ ସବିତା ଏବଂ ତାଙ୍କ ସ୍ବାମୀଙ୍କ ନାଁରେ ୨୦ ଲକ୍ଷ ୧୫ ହଜାର ୫୭୮ ଟଙ୍କା ରହିଥିବା ବେଳେ ସବିତାଙ୍କ ନାଁରେ ୫ ଲକ୍ଷ ଟଙ୍କାର ଏକ ହ୍ୟୁଣ୍ଡାଇ କାର୍‌ ଏବଂ ୨୦ ହଜାର ଟଙ୍କାର ସ୍କୁଟି ରହିଛି।

ସେହିପରି ତାଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ସୁନାଗହଣା ରହିଥିବା ବେଳେ ସ୍ବାମୀଙ୍କ ନାଁରେ ୫୦ ହଜାର ଟଙ୍କାର ସୁନାଗହଣା ଥିବା ଦର୍ଶାଯାଇଛି। ଏହାବ୍ୟତୀତ ସବିତା ଓ ତାଙ୍କ ସ୍ବାମୀଙ୍କ ନାଁରେ ୭୨  ଲକ୍ଷ ୫୦ ହଜାର ଟଙ୍କାର ଜମି ଓ ଘରବାଡ଼ି ରହିଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସେହିପରି କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ପ୍ରଜ୍ଞାପାରମିତା ବିଶ୍ବାଳଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୪ ଲକ୍ଷ ୫ ହଜାର। ପ୍ରଜ୍ଞାପାରମିତାଙ୍କ ହାତରେ ୨୫ ହଜାର ଟଙ୍କା ଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କରେ ୪୩ ହଜାର ଓ ଏଚଡିଏଫ୍‌ସି ବ୍ୟାଙ୍କରେ ୬୩ ହଜାର ଟଙ୍କା ଜମାରାଶି ତାଙ୍କ ନାଁରେ ରହିଛି। ୨୦୧୩ ମସିହାରୁ ଏକ ପୁରୁଣା କାର୍ ତାଙ୍କ ନାଁରେ ରହିଥିବା ବେଳେ ଦେଢ଼ଲକ୍ଷ ଟଙ୍କାର ସୁନାଗହଣା ଅଛି।

ଭୁବନେଶ୍ବରରେ ତାଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଏକ ଜାଗା କିଣାଯାଇଛି ଏବଂ ତାଙ୍କ ନାଁରେ ୬୦ ହଜାର ଟଙ୍କାର ଋଣ ଉଠାଯାଇଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ଧନୀ ତାଲିକାରେ ଚତୁର୍ଥରେ ଥିବା ପୌରାଧ୍ୟକ୍ଷ ପ୍ରାର୍ଥୀ ହେଉଛନ୍ତି ଭାରତ ହିନ୍ଦୁ ମହାସଭାର ଚିତ୍ରାରାଣୀ ପାତ୍ର। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚିତ୍ରାରାଣୀଙ୍କ ହାତରେ ଟଙ୍କାଟିଏ ନଥିବା ବେଳେ କୌଣସି ବ୍ୟାଙ୍କରେ ସେ କିମ୍ବା ତାଙ୍କ ସ୍ବାମୀ ଟଙ୍କାଟିଏ ରଖିନାହାନ୍ତି। ତେବେ ଏକମାତ୍ର ସମ୍ପତ୍ତି ଭାବେ ସହଦେବଖୁଣ୍ଟା ଅଞ୍ଚଳରେ ଚିତ୍ରରାଣୀ ଏବଂ ତାଙ୍କ ସ୍ବାମୀଙ୍କ ନାଁରେ ଦୁଇଟି ପୁରୁଣା ଘର ରହିଥିବା ଦର୍ଶାଇଛନ୍ତି। ୧୯୮୦ ମସିହାରେ ନିର୍ମିତ ଏହି ଘରର ବର୍ତ୍ତମାନ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର