ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ: ୧୨ ଘଣ୍ଟା ପାଇଁ ବାଲେଶ୍ବର ବନ୍ଦ

ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିଲା, ରାଜରାସ୍ତାକୁ ଓହ୍ଲାଇଲେ ୫୦ରୁ ଅଧିକ ସଂଗଠନ

ବାଲେଶ୍ବର : ଜିଲ୍ଲା ପୁଲିସ୍‌ର ଅପାରଗତା ଯୋଗୁ ବାଲେଶ୍ବରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ପ୍ରାୟ ୫୦ରୁ ଅଧିକ ସଙ୍ଗଠନ ଓ ରାଜନୈତିକ ଦଳ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ଆନ୍ଦୋଳନକାରୀମାନେ ବାଲେଶ୍ବରର ସହରରେ ବିଭିନ୍ନ ବ୍ୟାଙ୍କ, ବୀମା, ଡାକ ଓ ସରକାରୀ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ, କୌଣସି କର୍ମଚାରୀ କାର୍ଯ୍ୟାଳୟକୁ ପ୍ରବେଶ କରି ପାରିନଥିଲେ। ବଡ଼ବଡ଼ ବ୍ୟବସାୟ କେନ୍ଦ୍ର, ପନିପରିବା, ଫଳ ଓ ମାଛ ମାକେଟ୍‌ ସଂପୂର୍ଣ୍ଣ ବନ୍ଦ ରହିଥିଲା। ରଜ ଛୁଟି ପରେ ଆଜି ଦିନ ୧୦ଟାରୁ ଅଫିସ୍‌ଗୁଡ଼ିକ ଖୋଲିବାର ଥିଲେ ମଧ୍ୟ କୌଣସି ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରି, ବ୍ୟାଙ୍କ୍ ବୀମା, ପୌର କାର୍ଯ୍ୟାଳୟ ଖୋଲି ପାରିନଥିଲା। ସହରରେ କେବଳ ୨ଚକିଆ ଯାନ ଚଳାଚଳ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ଓ ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ବନ୍ଦ ଥିବା ଦେଖାଯାଇଥିଲା। ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ମୋତିଗଞ୍ଜ ବଜାର ଓ ନୂଆ ବଜାରରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନଥିଲା। ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ, ଫାଣ୍ତି ଛକ, ଗୋଳାପୋଖରୀ ଛକ ଓ ବସ୍‌ଷ୍ଟାଣ୍ଡରେ ଆନ୍ଦୋଳନକାରୀ ଜିଲ୍ଲା ପୁଲିସ୍‌ର ଅପାରଗତା ବିରୋଧରେ ନାରାଦେଇ ରାସ୍ତା ଅବରୋଧ କରିଥିଲେ। ପରିବହନ ଶ୍ରମିକ, ଉଠାଦୋକାନୀ, ଅଟୋ, ଟ୍ୟାକ୍ସି ଓ ରିକ୍ସାଚାଳକମାନେ ଏହି ବନ୍ଦକୁ ମଧ୍ୟ ଦୃଢ଼ ସମର୍ଥନ ଜଣାଇଥିଲେ।

ବାଲେଶ୍ବର ସହରବାସୀଙ୍କର ପୁଲିସ୍‌ ପ୍ରତି ରହିଥିବା ଅସନ୍ତୋଷର ଏହା ପ୍ରତିଫଳନ ବୋଲି କୁହାଯାଇଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦି ରାଜ୍ୟ ସରକାର ବାଲେଶ୍ବର ଜିଲ୍ଲାରୁ ପୁଲିସ୍‌ ମୁଖ୍ୟ(ଏସ୍‌ପି)ଙ୍କୁ ବଦଳି କରି ତୁରନ୍ତ ଅପରାଧ ନିୟନ୍ତ୍ରଣ ଦିଗରେ ବିହିତ କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି, ତେବେ ଖୁବ୍‌ଶୀଘ୍ର ଜିଲ୍ଲା ବନ୍ଦ ଆହ୍ବାନ ଦିଆଯିବ ବୋଲି ଜିଲ୍ଲା ଓକିଲ ସଂଘ ଓ ସିଭିଲ୍ ସୋସାଇଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ସହରରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଥାନାଗୁଡ଼ିକୁ ଆଲର୍ଟ ରହିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର