ସମରେନ୍ଦ୍ର କୁଣ୍ଡୁ ଓ ଖାରବେଳ ସ୍ବାଇଁ ସର୍ବାଧିକ ୩ ଥର ଜିତିଛନ୍ତି

ଏକାଧିକ ଥର ଜିତିଥିବା ଅନ୍ୟତମ ସାଂସଦ ହେଲେ ଚିନ୍ତାମଣି ଜେନା (୨ଥର), ଖାରବେଳ ସ୍ବାଇଁ ସର୍ବାଧିକ ୧୧ ବର୍ଷ ବାଲେଶ୍ବରର ପ୍ରତିନିଧିତ୍ବ କରିଛନ୍ତି

ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ଜିଣି ଦୁଇଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ୧୯୭୭ରେ ମୋରାରଜୀ ଭାଇ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ସମରେନ୍ଦ୍ର କୁଣ୍ଡୁ ବୈଦେଶିକ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଅଟଳ ବିହାରୀ ବାଜପେୟୀ ତାଙ୍କ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ। ସେହିପରି ୨୦୦୯ରେ ଶ୍ରୀକାନ୍ତ ଜେନା ଡ.ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମେ ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲେ। ପରେ ତାଙ୍କୁ ଉକ୍ତ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦବି ସହ ଯୋଜନା, କାର୍ଯ୍ୟକ୍ରମ ରୂପାୟନ ଓ ପରିସଂଖ୍ୟାନ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ପାହ୍ୟା ମିଳିଥିଲା।

ଏହି ଆସନ ସହ ସମରେନ୍ଦ୍ର କୁଣ୍ଡୁଙ୍କର ସବୁଠୁ ଅଧିକ ଘନିଷ୍ଠ ସମ୍ପର୍କ ରହିଥିଲା। ସେ ମୋଟ ୭ ଥର ଏହି ଆସନରେ ଲଢ଼ି ୩ ଥର ଜିତିଥିଲେ।

ବିଜେପି ପ୍ରାର୍ଥୀ ଭାବେ ମହାମେଘବାହନ ଐର ଖାରବେଳ ସ୍ବାଇଁ ଏହି ଆସନରେ ମୋଟ ୫ଥର ଲଢ଼ିଥିଲେ। ୧୯୯୮, ୧୯୯୯ ଓ ୨୦୦୪ରେ କ୍ରମାଗତ ୩ଥର ଜିତି ହ୍ୟାଟ୍ରିକ କରିବା ସହ ସର୍ବାଧିକ ୧୧ ବର୍ଷ ଏହି ଆସନର ସାଂସଦ ଥିଲେ। ସେ ୧୯୯୬‌ ଓ ୨୦୦୯ରେ ପରାଜିତ ହୋଇଥିଲେ।

ଅଶୀ ଦଶକର ଆରମ୍ଭରେ ଏଆଇସିସି ସାଧାରଣ ସମ୍ପାଦକ ଭଳି କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ପଦବିରେ ରହିଥିବା ଜନନେତା ଶ୍ୟାମସୁନ୍ଦର ମହାପାତ୍ର ଦୁଇଥର ଲଢ଼ି ଥରେ ଜିତିଥିଲେ। ୧୯୭୧ରେ ସେ ଉଭୟ ବାଲେଶ୍ବର ଲୋକସଭା ଓ ରାଉରକେଲା ବିଧାନସଭା ଆସନରେ ଜିତିଥିଲେ। ସେଥର ବାଲେଶ୍ବର ଲୋକସଭା ଆସନ ରଖି ରାଉରକେଲା ବିଧାନସଭା ଆସନ ଛାଡ଼ିଦେଇଥିଲେ। ସୂଚନାଯୋଗ୍ୟ, ରାଉରକେଲା ଆସନରେ ହୋଇଥିବା ଉପନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପୂର୍ବତନ ପିସିସି ସଭାପତି ଚିନ୍ତାମଣି ଜେନା ମୋଟ ୩ଥର ଲଢ଼ି ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଏବର ସାଂସଦ ତଥା ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ତାଙ୍କର ପୁତୁରା ଅଟନ୍ତି।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରବୀନ୍ଦ୍ର ମୋହନ ଦାସ ମଧ୍ୟ ଥରେ (୧୯୬୨) ଏହି ଆସନରେ ପିଏସ୍‌ପି ଟିକଟରେ ଲଢ଼ି ପରାଜିତ ହୋଇଥିଲେ। ବିଶିଷ୍ଟ ରାଜନେତା ଅରୁଣ ଦେ’ ମଧ୍ୟ ଦୁଇଥର ଏହି ଆସନରୁ ବିଫଳ ପ୍ରୟାସ କରିଥିଲେ। ଏହି ଆସନରୁ ଲଢ଼ି ପରାଜିତ ହୋଇଥିବା ଅନ୍ୟ ଜଣାଶୁଣା ରାଜନେତା ହେଲେ:- ନିତ୍ୟାନନ୍ଦ ମହାପାତ୍ର, ନୀଳମଣି ରାଉତରାୟ, ପ୍ରସନ୍ନ କୁମାର ପାଲ, ମହେଶ୍ବର ବାଗ, ଯୁଗଳ ପଟ୍ଟନାୟକ, ଓ ପ୍ରତାପ ଷଡ଼ଙ୍ଗୀ।

ପୂର୍ବତନ ବିଧାୟକ ଡ.କାର୍ତ୍ତକେଶ୍ବର ପାତ୍ର ଓ କାର୍ତ୍ତିକ ମହାପାତ୍ର ଦୁଇଥର ଲେଖାଏଁ ଲଢ଼ି ଥରେ ଲେଖାଏଁ ଜିତିଥିଲେ।

ସମ୍ବନ୍ଧିତ ଖବର