ବାଲେଶ୍ୱର : ଘରର ମଝିଆବୋହୂ କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସାଧୀନ ଅଛନ୍ତି। ଏପଟେ ଗତକାଲି ଅପରାହ୍ଣଣରେ ଦେଢ଼ଶୂର, ରାତିରେ ଶ୍ବଶୁର ଏବଂ ଆଜି ସଂଧ୍ୟାରେ ଶାଶୂଙ୍କ ଜୀବନ ଚାଲିଗଲାଣି। ଏ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ବଙ୍କାଖଜୁରୀ ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ଖବର ଅନୁଯାୟୀ, ସହରର ବଙ୍କାଖଜୁରୀ ନିକଟ ମାଛଗୋଦାମ ଗଳିରେ ରହନ୍ତି ଜଣେ ଅବସରପ୍ରାପ୍ତ ପୋଷ୍ଟାଲ କର୍ମଚାରୀଙ୍କ ପରିବାର। ୪/୫ ଦିନ ପୂର୍ବରୁ ତାଙ୍କ ମଝିଆଁ ବୋହୂ ସ୍ତ୍ରୀ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ କଟକ ନିଆଯାଇ ସେଠାରେ ପରୀକ୍ଷା କରାଇବାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ପରିସ୍ଥିତିରେ ପରିବାର ବଡ଼ପୁଅ(୬୨)ଙ୍କର ଗତକାଲି ଅପରାହ୍ନରେ ହଠାତ୍ ମୃତ୍ୟୁ ଘଟିଥିଲା। ଏହାପରେ ରାତିରେ ପରିବାରର ମୁଖ୍ୟ ଅର୍ଥାତ୍ ସମ୍ପୃକ୍ତ ଅବସରପ୍ରାପ୍ତ ପୋଷ୍ଟାଲ କର୍ମଚାରୀ(୮୨) ଏବଂ ଆଜି ସଂଧ୍ୟାରେ ତାଙ୍କ ପତ୍ନୀ(୭୫)ଙ୍କର ମୃତ୍ୟୁ ଘଟିଛି। ପରିବାରର ଅଧିକାଂଶ ସଦସ୍ୟ ଥଣ୍ଡାଜ୍ବରରେ ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କୁ କରୋନା ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ମୃତ୍ୟୁ ହୋଇଥିବା ବଡ଼ପୁଅ ୧୫ ଦିନ ପୂର୍ବରୁ ଥଣ୍ଡାଜ୍ବରରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ କରୋନା ପରୀକ୍ଷା କରାଇ ନେଗେଟିଭ୍ ଥିବା କହି ଘରକୁ ପଠାଇ ଦେଇଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ସନ୍ଦୀପ୍ତ ଦାସ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଯୋାଗାଯୋଗ କରିଥିଲେ ମଧ୍ୟ କାହାରିଠାରୁ କିଛି ଉତ୍ତର ମିଳିନଥିବା ବେଳେ ମୃତକଙ୍କ ପରିବାର ଲୋକ ନିଜେ ନିଜେ ଶବସତ୍କାର କରାଇଛନ୍ତି। ଏ ସମ୍ପର୍କରେ ଟାଉନ୍ ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କୁ ଯୋଗାଯୋଗ କରିବାରୁ ଏଭଳି କୌଣସି ଖବର ତାଙ୍କ ନିକଟରେ ନଥିବା ସେ କହିଛନ୍ତି।
ବାଲେଶ୍ୱର : ଡାକ୍ତରଖାନାରେ କରୋନା ଆକ୍ରାନ୍ତ ମଝିଆଁ ବୋହୂ; ଦେଢ଼ଶୂର ଓ ଶାଶୂ-ଶ୍ୱଶୁରଙ୍କ ଆକସ୍ମିକ ମୃତ୍ୟୁ
/sambad/media/post_attachments/wp-content/uploads/2020/06/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)