ଚାକିରିରୁ ବିଦା ହେଲେ ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ବାଲେଶ୍ବର: ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଯୁବକ କୁମାର ମାଝୀ ସରକାରୀ ଚାକିରିରୁ ବିଦା​ ହୋଇଛନ୍ତି। ଉତ୍କଳ ବାଳାଶ୍ରମରେ ଶ୍ରୀ ମାଝୀ ଅଧୀକ୍ଷକ ଥିବା ସମୟରେ ଅନାଥ, ଗରିବ ଓ ଅସହାୟ ପିଲାଙ୍କ ପାଇଁ ବିଭିନ୍ନ ସାମଗ୍ରୀ କିଣା ବାବଦରେ ବ୍ୟାପକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପ୍ରାମାଣିକ ତଥ୍ୟ ପାଇବା ପରେ ପୂର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ଶ୍ରୀ ମାଝୀ ଏହାକୁ ଭ୍ରୁକ୍ଷେପ ନକରି ଜିଲ୍ଲାର ସମସ୍ତ କନ୍ୟାଶ୍ରମ ଓ ବାଳାଶ୍ରମରେ ନିଯୁକ୍ତି ପ୍ରଦାନ କରିଥିଲେ, ଯେଉଁଥିରେ ତାଙ୍କ ବିରୋଧରେ ଅର୍ଥ ଆଦାୟ ଭଳି ସଙ୍ଗିନ ଅଭିଯୋଗ ଆସିଥିଲା।

ନିକଟରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ(ସିସିଆଇ)ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଥିବା ବେଳେ ଶ୍ରୀ ମାଝୀ ପ୍ରତ୍ୟେକ ସିସିଆଇଠାରୁ ପିସି ଆଦାୟ କରିଥିଲେ। ଏ ସମ୍ପର୍କରେ ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଖୋଳତାଡ଼ ପରେ ଶ୍ରୀ ମାଝୀଙ୍କ ବିରୋଧରେ ମିଳିଥିବା ପ୍ରମାଣ ଆଧାରରେ ଆଜି ରାଜ୍ୟ ସରକାର ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନକୁ ତାଙ୍କ ବହିଷ୍କାର ସମ୍ପର୍କିତ ପତ୍ର ହସ୍ତଗତ ହେବା ପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜଣେ ସହକାରୀ ଜିଲ୍ଲାପାଳଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ୨୦୧୮ ମସିହାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଶ୍ରୀ ମାଝୀ ନିଯୁକ୍ତି ପାଇବା ପରେ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆସିଥିଲେ ମଧ୍ୟ ବିଭାଗ ତରଫରୁ ତଦନ୍ତ ଆଳରେ ସେଗୁଡ଼ିକୁ ଅଟକାଇ ଦିଆଯାଇଥିଲା। ଆଇନ୍‌ଜୀବୀ ତଥା ସୂଚନା ଅଧିକାରୀ କର୍ମୀ ପ୍ରଶାନ୍ତ କୁମାର ପ୍ରଧାନ ଆରଟିଆଇ ବଳରେ ସେସବୁ ତଥ୍ୟ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ। ତେବେ ଏହି ଘଟଣାରେ ଶ୍ରୀ ମାଝୀଙ୍କ ବ୍ୟତୀତ ଆହୁରି କିଛି ସରକାରୀ ଅଧିକାରୀ ସମ୍ପୃକ୍ତ ରହିଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର