ବାଲେଶ୍ବର ଜିଲ୍ଲା ପରିଷଦ ଆସନକୁ ନେଇ ଅଙ୍କକଷା: ରେମୁଣା, ସଦର ଓ ନୀଳଗିରି ଉପରେ ବିଜେଡିର ନଜର

ବାଲେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳରେ ଉଷ୍ମତା ପରିଲକ୍ଷିତ ହୋଇଛି। ଗତଥର ଭଳି ଜିଲ୍ଲା ପରିଷଦ ଆସନ ଯେପରି କମିନଯାଏ ସେଥିଲାଗି ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପି ମଧ୍ୟ ଗତ ନିର୍ବାଚନଠାରୁ ଅଧିକ ଆସନରେ ଜିତିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସେପଟେ କଂଗ୍ରେସ ନିଜର ସ୍ଥିତିକୁ ଦେଖି ଜିତିବାର ସମ୍ଭାବନା ଥିବା କିଛି ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନସମର୍ଥନ ଯୋଗାଡ଼ କରିବାକୁ ପ୍ରୟାସ ଚଳାଇଛି।

ବାଲେଶ୍ବର ଜିଲ୍ଲାରେ ମୋଟ୍‌ ୪୫ଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ଆସନ ହାତେଇଥିଲେ ମଧ୍ୟ ପୂର୍ବ ପଞ୍ଚାୟତ ନିର୍ବାଚନ ଅପେକ୍ଷା ୨ଟି ଆସନ ହରାଇଥିଲା। ଦଳ ୩୧ଟି ଆସନ ଦଖଲ କରିଥିବା ବେଳେ ବିଜେପି ୧୩ଟି ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତିଥିଲା। ଜିଲ୍ଲା ପରିଷଦ ସଭାପତି ଭାବେ ଭୋଗରାଇ ବ୍ଲକ ୩୧ ନମ୍ବର ଜୋନ୍‌ରୁ ନିବେଦିତା ମହାନ୍ତି ଏବଂ ଉପସଭାପତି ଭାବେ ସିମୁଳିଆ ବ୍ଲକ ୪୧ ନମ୍ବର ଜୋନ୍‌ରୁ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷ‌ରେ ରେମୁଣା, ନୀଳଗିରି ଓ ସଦର ବ୍ଲକରେ ଆଧିପତ୍ବ ଜାହିର କରିଥିଲା ବିଜେପି। ନୀଳଗିରି ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌ ଓ ରେମୁଣା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି କ୍ଲିନ୍‌ ସୁଇପ୍ କରିଥିବା ବେଳେ ସଦର ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ମଧ୍ୟ ୪ଟି ଜୋନ୍‌କୁ ନିଜ ଅକ୍ତିଆରକୁ ଆଣିଥିଲା। ଏହାଛଡ଼ା ସୋର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌ ଓ ବାହାନଗା ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ୍‌ରୁ ଗୋଟିଏ ଲେଖା ଆସନ ଜିତିଥିଲା। କଂଗ୍ରେସ ୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ୧୧ଟି ଆସନ ଜିତିଥିବା ବେଳେ ୨୦୧୭ ନିର୍ବାଚନରେ ବାହାନଗା ବ୍ଲକରୁ ଗୋଟିଏ ମାତ୍ର ଆସନ (୧୯ ନମ୍ବର ଜିଲ୍ଲା ପରିଷଦ) ଜୋନ୍‌ ଜିତିଥିଲା। ସେତେବେଳେ ବିଜେପି ଆଦୌ ଖାତା ଖୋଲି ପାରିନଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୨ ନିର୍ବାଚନରେ ବିଜେଡି ୩ଟି ଆସନ ଜିତି ଉମିଲତା ଦାସଙ୍କୁ ଜିଲ୍ଲା ପରିଷଦ ସଭାପତି କରାଇଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ସୁଧାଂଶୁ ଶେଖର ପଣ୍ଡାଙ୍କଠାରୁ ଅନେକ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା।

ତେବେ ଚଳିତ ନିର୍ବାଚନ ବେଶ୍‌ ରୋଚକ ହେବ। ଗତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ଦଖଲ କରିଥିଲା ସତ, କିନ୍ତୁ ସାଧାରଣ ନିର୍ବାଚନ ଉପରେ ତାର ପ୍ରଭାବ ପଡ଼ିଥିଲା। ସଦର ଓ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ଦୁଇଟି ବିଧାନସଭା ଆସନ ସହିତ ସାଂସଦ ପଦ ବି ହାତଛଡ଼ା ହୋଇଥିଲା। ଏବେ ବିଜେପି ପୂର୍ବରୁ ଜିତିଥିବା ଆସନ ସହ ଜିଲ୍ଲାର ଅନ୍ୟ ଆସନଗୁଡ଼ିକ ଉପରେ ନଜର ପକାଇଛି। ସେହିପରି ବିଜେଡି ମଧ୍ୟ କ୍ଲିନ୍ ସୁଇପ୍ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।

ସମ୍ବନ୍ଧିତ ଖବର