ଭଗବାନଙ୍କ ଭରସାରେ ବାଲେଶ୍ବର ବଡ଼ ଡାକ୍ତରଖାନା

କର୍ତ୍ତୃପକ୍ଷଙ୍କ ମଧ୍ୟରେ ରହୁନି ସମନ୍ବୟ, ନିଜ ଇଚ୍ଛାରେ ଆସୁଛନ୍ତି ପ୍ରଫେସର, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ମେଡିକାଲ କଲେଜର ହସ୍ପିଟାଲ କାର୍ଯ୍ୟକାରୀ ହେବା ପରଠୁ ଡାକ୍ତରଖାନା ପରିଚାଳନା ବ୍ୟବସ୍ଥାକୁ ନେଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଦୌ ସମନ୍ବୟ ରହୁନାହିଁ। ଯାହାର ଫାଇଦା ଉଠାଉଛନ୍ତି ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ। ଫଳରେ ରୋଗୀସେବା ଉପରେ ଏହାର ସିିଧାସଳଖ ପ୍ରଭାବ ପଡ଼ୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସୋମବାର ଅପରାହ୍‌ଣ ସମୟ ପ୍ରାୟ ୩ଟା। ବାଲେଶ୍ବର ସହର ଉପକଣ୍ଠ ଟିକିରାପାଳରୁ ଜଣେ ଅଜଣା ଯୁବକଙ୍କ ବାମ ଗୋଡ଼ ଟ୍ରେନ୍‌ରେ କଟି ଯାଇଥିବାରୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଟ୍ରମା ଓ ଅସ୍ଥିଶଲ୍ୟ ବିଭାଗକୁ ନିଆ‌ଯାଇଥିଲା। ହେଲେ ଗୁରୁୁତର ଯୁବକଜଣକ ସେଠାରେ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଛଟପଟ ହୋଇଥିବା ବେଳେ ତାଙ୍କୁ ଚିିକିତ୍ସା କରିବାକୁ ଡାକ୍ତର କିମ୍ବା ନର୍ସ କେହି ଆସିନଥିଲେ। ଏପରିକି ଏମର୍ଜେନ୍ସି ଡ୍ୟୁଟିରେ ଥିବା ଡାକ୍ତର ଅଭିଷେକ ମିଶ୍ରଙ୍କର ମଧ୍ୟ ଦେଖାନଥିଲା। ତେବେ ଗୁରୁୁତର ଯୁବକଙ୍କ ଅବସ୍ଥା ଦେଖି ସେଠାରେ ଲୋକମାନେ ପାଟି କରିବାରୁ କିଛି ସମୟ ପରେ ଡାକ୍ତର ସୁରେଶ ଚନ୍ଦ୍ର ପାଲ ଆସିଥିଲେ। ଏହାପରେ ସମ୍ପୃକ୍ତ ଯୁୁବକଙ୍କ ଅପରେସନ୍‌ କରାଯାଇଥିଲେ ହେଁ ଚିକିତ୍ସାରେ ଅହେତୁକ ବିଳମ୍ବ ହେତୁ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାଯାଇଛି।

ପ୍ରକାଶଥାଉକି, ଜିଲ୍ଲା ବଡ଼ ଡାକ୍ତରଖାନାରେ ଟ୍ରମା ଓ ଅସ୍ଥିଶଲ୍ୟ ବିଭାଗ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଭାଗ। ସଡ଼କ କିମ୍ବା ଅନ୍ୟ କୌଣସିି ଦୁର୍ଘଟଣାର ଶିକାର ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବ୍ୟକ୍ତି ଜରୁରୀକାଳୀନ ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି ହୋଇଥା‌ନ୍ତି। ତେଣୁ ସବୁବେଳେ ଏହି ବିଭାଗର ମୁଖ୍ୟ, ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସବୁ ସମୟରେ ଏଠାରେ ସଜାଗ ରହିବା ନିହାତି ଆବଶ୍ୟକ। କିିନ୍ତୁ ତାହା ନହୋଇ ଅସ୍ଥିଶଲ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅତନୁ ମହାନ୍ତି ନିଜେ ନିୟମିତ ଡ୍ୟୁଟିକୁ ଆସୁନଥିବା ବେଳେ ସପ୍ତାହକୁ ମାତ୍ର ୩ ଦିନ(ମଙ୍ଗଳବାର, ବୁଧବାର ଓ ଗୁରୁବାର) ଆସୁଛନ୍ତି। ‌ସେଥିପାଇଁ ଏହାର ପ୍ରଭାବ ଅନ୍ୟ ଡାକ୍ତର, ଏସ୍‌ଆର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପଡ଼ୁଛି। ମନଇଚ୍ଛା ସମସ୍ତେ କାମ କରୁଛନ୍ତି। ଯିଏ ଯେତେବେଳେ ଇଚ୍ଛା ଆସୁଛନ୍ତି ଏବଂ ମନଇଚ୍ଛା ଘଣ୍ଟାଘଣ୍ଟା ଧରି ନିଜ ବ୍ୟକ୍ତିଗତ କାମରେ ପଳାଉଛନ୍ତି। ଯେତେବେଳେ ବିଭାଗୀୟ ମୁଖ୍ୟ ଡାକ୍ତର ମହାନ୍ତି ନିଜେ ଅନୁପସ୍ଥିତ ରହୁଛନ୍ତି, ତାହେଲେ ଅନ୍ୟମାନଙ୍କ ଉପରେ ଲଗାମ କିିଏ ଲଗାଇବ ସେନେଇ ପ୍ରଶ୍ନ ଉଠିଛି।

ଗତ ଦୁଇଦିନ ପୂୂର୍ବରୁ ଏହିଭଳି ଏକ ଘଟଣା ଅସ୍ଥିଶଲ୍ୟ ବିଭାଗରେ ଘଟିଥିଲା। ଚାନ୍ଦିପୁର ରଣସାହି ଅଞ୍ଚଳରୁୁ ବିକର୍ତ୍ତନ ଦାସ ନାମକ ଜଣେ ବୟସ୍କ ଲୋକ ତାଙ୍କର ଆଣ୍ଠୁଜନିତ ସମସ୍ୟା ନେଇ ଏହିି ବିଭାଗକୁ ଆସିଥିବା ବେଳେ ଡ୍ୟୁଟିରେ ଥିବା‌ ଡାକ୍ତର ଅନୁପସ୍ଥିତ ଥିଲେ। ତେବେ ସେଠାରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଜଣେ ଯୁବକ ଡାକ୍ତରଙ୍କ ନାଁ ନେଇ ସମ୍ପୃକ୍ତ ବୟସ୍କ ବ୍ୟକ୍ତିଙ୍କୁ ଭୁଲ ଇଞ୍ଜେକସନ୍‌ଟିଏ ଦେଇଦେଲେ। ଏହାପରେ ବୟସ୍କ ବ୍ୟକ୍ତିଜଣକ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ସମ୍ପର୍କୀୟ ପ୍ରବଳ ଅସନ୍ତୋ‌ଷ ପ୍ରକାଶ କରିଥିଲେ। ତେଣୁ ଅସ୍ଥିଶଲ୍ୟ ବିଭାଗର ଏହି ଅବ୍ୟବସ୍ଥା ଯୋଗୁ କେବଳ ଆଜିର ଟିକିରାପାଳ କିମ୍ବା ଦୁଇଦିନ ତଳର ରଣସାହି ଘଟଣା ନୁହେଁ ବରଂ ପ୍ରତି ଦିନେ ଦୁଇଦିନ ଅନ୍ତରରେ ବିଭାଗରେ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଉନଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଏଭଳି ଘଟଣା ସିଡିଏମ୍‌ଓ କିମ୍ବା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଲେ ସେମାନଙ୍କ ତରଫରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପରସ୍ପର ଉପରକୁ ଦାୟିତ୍ବ ଠେଲୁଛନ୍ତି। ସିଡିଏମ୍‌ଓଙ୍କୁ ପଚାରିଲେ ସେ କହୁଛନ୍ତି ଏ ବାବଦରେ ଆମେ ବୁଝୁନାହୁଁ ମେଡିକାଲ କଲେଜ ହସ୍ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ପଚାରନ୍ତୁ। ସେପଟେ ମେଡିକାଲ କଲେଜ ହସ୍ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ପଚାରିଲେ ସେ ସିଡିଏମ୍‌ଓଙ୍କୁ ଭେଟି ଜଣାଇବାକୁ କହୁଥିବା ଅଭିଯୋଗ ହୋଇଛି। ତେବେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ଡାକ୍ତରଖାନାଗୁଡ଼ିକର କେବଳ ଭିତ୍ତିଭୂମି ବିକାଶ କରିଦେଲେ ହେବନି, ଏହାର ସୁପରିଚାଳନା ପାଇଁ ଜଣେ ଦାୟିତ୍ବସମ୍ପନ୍ନ ଚିକିତ୍ସାଧିକାରୀ ନିଯୁକ୍ତ ହେବା ସହ ବିଶେଷଜ୍ଞ, ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉପରେ ଅଙ୍କୁଶ ରହିବା ଉଚିତ୍‌। ନହେଲେ ସରକାରୀ ଚିକିତ୍ସା ସୁବିଧା ଉପରେ ଜନସାଧାରଣଙ୍କ ଭରସା ତୁଟିଯିବ। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର