ବାହାନଗା/ଭୋଗରାଇ: ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜୀବଜଗତ ପାଇଁ ବିପଦ ଘନେଇ ଆସୁଛି। ନିୟମିତ ବ୍ୟବଧାନରେ ଓଡ଼ିଶା ଛୋଟବଡ଼ ବାତ୍ୟାକୁ ସାମନା କରୁଛି। ଯାହାର ପ୍ରଭାବ ରାଜ୍ୟର ଅନ୍ୟ ଉପକୂଳ ଅଞ୍ଚଳ ସହ ବାଲେଶ୍ବର ଉପକୂଳରେ ମଧ୍ୟ ପଡ଼ୁଛି। ଫଳରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ତେବେ ସମ୍ଭାବ୍ୟ ସୁନାମି ପ୍ରଭାବିତ ତାଲିକାରେ ବାଲେଶ୍ବର ଜିଲ୍ଲାର ୫ଟି ବ୍ଲକ୍ ଅନ୍ତର୍ଗତ ୪୧ଟି ପଞ୍ଚାୟତର ୧୦୧ଟି ଗ୍ରାମ ରହିଛି। ସମ୍ଭାବ୍ୟ ସୁନାମି ଯୋଗୁ ଜିଲ୍ଲାର ୧ ଲକ୍ଷ ୨୧ ହଜାର ୫୩୬ ଜଣ ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍ଡମା) ତଥ୍ୟ ଅନୁସାରେ ପରିବେଶର ସନ୍ତୁଳନ ବିଗୁଡୁଥିବାରୁ ସମୁଦ୍ର ଉପକୂଳ ଅଞ୍ଚଳଗୁଡ଼ିକ ସୁନାମି ଦ୍ବାରା ବ୍ୟାପକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ତାଲିକାରେ ବାଲେଶ୍ବରର ନାମ ମଧ୍ୟ ରହିଛି। ସୁନାମି ହେଲେ ଜିଲ୍ଲାର ଭୋଗରାଇ, ବାଲିଆପାଳ, ରେମୁଣା, ସଦର ଓ ବାହାନଗା ବ୍ଲକ୍ କ୍ଷତିଗ୍ରସ୍ତ ହେବ।
ସମ୍ଭାବ୍ୟ ସୁନାମି ପ୍ରଭାବିତ ତାଲିକାରେ ୫ ବ୍ଲକ୍
ପ୍ରଭାବିତ ହୋଇପାରନ୍ତି ୧.୨୧ଲକ୍ଷ ଲୋକ
ଭୋଗରାଇ ବ୍ଲକ୍ର ୭ଟି ପଞ୍ଚାୟତ ଅଧୀନ ୧୬ଟି ଗ୍ରାମର ୧୭ ହଜାର ୨୭୨ରୁ ଅଧିକ ଲୋକ ପ୍ରଭାବିତ ହେବାକୁ ଥିବା ବେଳେ ବାଲିଆପାଳ ବ୍ଲକ୍ର ୯ଟି ପଞ୍ଚାୟତ ଅଧୀନ ୯ଟି ଗ୍ରାମର ୩୦ ହଜାର ୫୫୩ ଜଣ, ରେମୁଣା ବ୍ଲକ୍ର ୩ଟି ପଞ୍ଚାୟତ ଅଧୀନ ୬ଟି ଗ୍ରାମର ୬ ହଜାର ୭୦୮ ଜଣ, ସଦର ବ୍ଲକ୍ର ୧୭ଟି ପଞ୍ଚାୟତ ଅଧୀନ ୫୧ଟି ଗ୍ରାମର ୪୯ ହଜାର ୫୬୪ ଜଣ ଏବଂ ବାହାନଗା ବ୍ଲକ୍ର ୫ଟି ପଞ୍ଚାୟତ ଅଧୀନ ୧୯ଟି ଗ୍ରାମର ୧୭ ହଜାର ୪୩୯ ଜଣ ଲୋକ ପ୍ରଭାବିତ ହେବାର ଅଶାଙ୍କା ରହିଛି। ଗବେଷକ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଓ ସୁକାନ୍ତ ପାତ୍ର ବାଲେଶ୍ବରର ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ଅଳ୍ପବହୁତ ଜଳବାୟୁ ପରିବର୍ତ୍ତନ ଫଳରେ ଲୋକମାନେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବା ଦେଖାଗଲାଣି। ପରିବେଶ ପ୍ରଦୂଷଣ, ଜଙ୍ଗଲ କ୍ଷୟ ପରି ଯେଉଁସବୁ କାରଣଗୁଡ଼ିକ ରହିଛି, ସେଗୁଡ଼ିକର ନିରାକରଣ ନେଇ ଚିନ୍ତା କରିବାକୁ ପଡ଼ିବ। ଲୋକଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସହ ସ୍ଥାୟୀ ବିକାଶ ଏବଂ ସନ୍ତୁଳିତ ବିକାଶ ଉପରେ ଗୁରୁତ୍ବ ଦିଆଯିବା ଦରକାର। ଏପରି ହେଲେ ହୁଏତ ସୁନାମି ପରି ଦୁର୍ବିପାକକୁ କିଛି ମାତ୍ରାରେ ରୋକାଯାଇପାରିବ। ବାଲେଶ୍ବର ଉପରେ ଥିବା ସୁନାମି ବିପଦ ନେଇ ସରକାର ଓ ପ୍ରଶାସନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ହେବା ଦରକାର। କିପରି ପ୍ରଦୂଷଣ ହ୍ରାସ ହାଇପାରିବ ଏବଂ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରାଯାଇପାରିବ, ତାହା ସୁନିଶ୍ଚିତ ହେବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/dgdgadgazvc-2025-09-29-04-21-52.jpg)