କରୋନା ମୁକାବିଲା : ବାଲେଶ୍ବର ବଡ଼ ଡାକ୍ତରଖାନାରେ ହାତଟେକା ଅବସ୍ଥା

ବାଲେଶ୍ବର : ମାରାତ୍ମକ ‘କରୋନା’ ଭୂତାଣୁକୁ ନେଇ ଏବେ ସମଗ୍ର ବିଶ୍ବ ଆତଙ୍କିତ। ସ୍ଥିତି ଉଦ୍‌ବେଗଜନକ ଥିବାବେଳେ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଜଣେ ଇଞ୍ଜିନିୟର ଦଂପତିଙ୍କୁ କରୋନା ସଂକ୍ରମିତ ସନ୍ଦେହରେ ଗତକାଲି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ଏ ନେଇ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ଚିକିତ୍ସାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପ୍ରତିଷେଧକ ମାର୍ଗଦର୍ଶିକା (ଆଡଭାଇଜରି) ଜାରି କରିସାରିଛନ୍ତି। ହେଲେ ବାଲେଶ୍ବର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ସରକାରଙ୍କ ଏହି ମାର୍ଗଦର୍ଶିକା ନାଲିଫିତାରେ ବନ୍ଧା ପଡ଼ିଛି।

ବାଲେଶ୍ବର ଜିଲ୍ଲାକୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଲାଗିଥିବାବେଳେ ୬୦ କିମି ଦୂର ଭଦ୍ରକରେ ରହିଛି ଆନ୍ତର୍ଜାତିକ ଧାମରା ବନ୍ଦର। ପ୍ରତିଦିନ ବାଲେଶ୍ବର ରେଳ ଷ୍ଟେସନ୍‌ ଦେଇ ପ୍ରାୟ ୧୪୦ ଟ୍ରେନ୍‌ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଯିବାଆସିବା କରୁଛି। ଏହି ଦୃଷ୍ଟିରୁ ଦୈବାତ ଯଦି କେହି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହେଲେ ପ୍ରଥମେ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯିବ। କିନ୍ତୁ ଏଥିପାଇଁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ବ୍ୟବସ୍ଥା ଯାହା, ସେଥିରେ ଖାଲି ହାତ ଟେକିଦେବା କଥା। ଅବଶ୍ୟ କରୋନା ପାଇଁ ଡାକ୍ତରଖାନା ମେଡିସିନ୍‌ ୱାର୍ଡରେ ୧୦ ଶଯ୍ୟାବିଶିଷ୍ଟ ଏକ ସ୍ବତନ୍ତ୍ର ୱାର୍ଡ କରାଯାଇଛି। କିନ୍ତୁ ସନ୍ଦିଗ୍ଧ ରୋଗୀଙ୍କ ‌ନମୁନା ପରୀକ୍ଷା ପାଇଁ ଏଠାରେ ସ୍ବତନ୍ତ୍ର କିଟ୍‌ କିମ୍ବା ପର୍ସନାଲ୍‌ ପ୍ରୋ‌ଟେକ୍ଟିଭ ଇକ୍ୟୁପ୍‌ମେଣ୍ଟ ଉପଲବ୍ଧ ନାହିଁ। ସବୁଠୁ ବଡ଼କଥା ହେଲା, ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ଦିଆଯିବାକୁ ଥିବା ସ୍ବତନ୍ତ୍ର ପ୍ରଶିକ୍ଷଣ ଏ ପର୍ଯ୍ୟନ୍ତ କାହାକୁ ଦିଆଯାଇନାହିଁ। ଅନ୍ୟପକ୍ଷରେ ଡାକ୍ତରଖାନା ସମେତ ସହରର କୌଣସି ସ୍ଥାନରେ ସଚେତନମୂଳକ ବ୍ୟାନର, ପୋଷ୍ଟର ଲଗାଯାଇନାହିଁ। ପ୍ରଶ୍ନ ଉଠୁଛି, ଯଦି କୌଣସି କରୋନା ସନ୍ଦିଗ୍ଧ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିବେ ତେବେ ତାର ମୁକାବିଲା କରାଯିବ କେମିତି? ଏ ସଂପର୍କରେ ସିଡିଏମ୍‌ଓ ଡାକ୍ତର ବାନାର୍ଜୀ ପ୍ରସାଦ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରାଯିବାବେଳେ ଆଜି ଜିଲ୍ଲାପାଳ ଏଥିପାଇଁ ଏକ ବୈଠକ ଡାକିଥିବା କହିଥିଲେ।

ଅନ୍ୟପକ୍ଷରେ ବୁଧବାର ଆଜି ସନ୍ଧ୍ୟାରେ ଏକ ତରବରିଆ ବୈଠକ ଡକାଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କରୋନା ସଂକ୍ରାନ୍ତରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରିବା ସହ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ବୈଠକରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ପିଡି-ଡିଆରଡିଏ ରାମଚନ୍ଦ୍ର ଜେନା, ସିଡିଏମ୍‌ଓ ଡା. ଚକ୍ରବର୍ତ୍ତୀ, ମେଡିକାଲ କଲେଜ-ହସ୍‌ପିଟାଲର ବରିଷ୍ଠ ଡାକ୍ତର ଓ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର