ବାଲେଶ୍ୱର ବିଧାୟକ ‘ମଙ୍ଗୁଭାଇ’ ଚାଲିଗଲେ

ବିଧାନସଭା, ବିଜେପି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି, ଜନ୍ମମାଟିରେ ‌ଶେଷକୃତ୍ୟ ଆଜି

ଭୁବନେଶ୍ୱର/ବାଲେଶ୍ୱର : ବରିଷ୍ଠ ବିଜେପି ନେତା ତଥା ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ(୬୧)ଙ୍କର ଆଜି ପରଲୋକ ଘଟିଛି। ସମସ୍ତଙ୍କ ମଧ୍ୟରେ ମଙ୍ଗୁଭାଇ ଭାବେ ପରିଚିତ ଶ୍ରୀ ଦତ୍ତ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ନିର୍ବାଚନମଣ୍ଡଳୀ ବାଲେଶ୍ବର ସମେତ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

୨୦୧୯ ସାଧାରଣ ନିର୍ବାଚନ ପରେ ପରେ ଶ୍ରୀ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଆରମ୍ଭ କରିଥିଲା।

ଯକୃତଜନିତ (ଲିଭର) ରୋଗ‌ରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀ ଓ ଭୁବନେଶ୍ବର ଏମ୍‌ସ ହସ୍‌ପିଟାଲରେ ବାରମ୍ବାର ଭର୍ତ୍ତି ହୋଇଥିଲେ। ଗତ କିଛି ଦିନ ହେଲା ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଭୁବ‌ନେଶ୍ବର ଏମ୍‌ସ ଏବଂ ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ସାଢ଼େ ୯ଟା ବେଳେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ଘଟିଥିବା ନେଇ ପୁଅ ମାନସ ଦତ୍ତ ସୂଚନା ଦେଇଥିଲେ।

ସ୍ବର୍ଗତ ଦତ୍ତଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଥିବ ଶରୀର ଉପରେ ବିଜେପି ଦଳୀୟ ପତାକା ଘୋଡ଼ାଇ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ। ଦଳର ବହୁ ବରିଷ୍ଠ ନେତା, ରାଜ୍ୟ ପଦାଧିକାରୀ, ସାଂସଦ ଓ ବିଧାୟକମାନେ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବହୁ ବିଧ‌ାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଦତ୍ତଙ୍କୁ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍ ଅନର୍‌ ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ସ୍ବର୍ଗତ ଦତ୍ତଙ୍କ ପାର୍ଥିବ ଶରୀର ବାଲେଶ୍ବର ସହର ପରମିଟଘାଟସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ଶୋକାକୁଳ ଜନତା ତାଙ୍କର ଶେଷଦର୍ଶନ କରିଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଶ୍ରଦ୍ଧାସୁମନ ଅର୍ପଣ ପରେ ବାଲିଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି। ସ୍ବର୍ଗତ ଦତ୍ତଙ୍କର ଏକମାତ୍ର ଝିଅ ବିବାହ କରିଥିବା ବେଳେ ପତ୍ନୀ ଓ ପୁଅ ଅଛନ୍ତି।

ନିଜ ନିର୍ବାଚନମଣ୍ଡଳୀରେ ‘ମଙ୍ଗୁ ଭାଇ’ ନାମରେ ପରିଚିତ ଶ୍ରୀ ଦତ୍ତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟରୁ ପ୍ରତିଦ୍ବନ୍ଦ୍ବିତା କରି ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ୨୦୦୨ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକ ୩୯ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ। ଖାଲି ସେତିକି ନୁହେଁ, ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସେ ରେମୁଣା ବ୍ଲକର ଅଧ୍ୟକ୍ଷ ମଧ୍ୟ ଥିଲେ।

ପ୍ରଥମ ଥର ବିଧାୟକ, ତାହା ପୁଣି ମାତ୍ର ଗୋଟିଏ ବର୍ଷ। ସ୍ବଳ୍ପ ଅବଧି ମଧ୍ୟରେ ବି ନିଜ ନିର୍ବାଚନମଣ୍ଡଳୀର ଅନେକ ସମସ୍ୟା ଓ ପ୍ରସଙ୍ଗକୁ ସେ ସଫଳ ଭାବରେ ବିଧାନସଭାରେ ଉପସ୍ଥାପିତ କରିପାରିଥିଲେ। ବିଧାନସଭା ଷ୍ଟାଣ୍ଡିଂ କମିଟିର ସେ ସଦସ୍ୟ ମଧ୍ୟ ଥିଲେ।

ବାଲେଶ୍ବର ବିଧାୟକଙ୍କ ଅକାଳ ନିଧନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ଯୁବନେତା ତଥା ବାଲେଶ୍ବର କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ବହୁ ରାଜନେତା ଓ ବ୍ୟକ୍ତିବିଶେଷ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର