ବାଲେଶ୍ବର ପୌର ପରିଷଦ: ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା

ବାଲେଶ୍ବର: ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ହେବାରୁ ପୌର ପରିଷଦ ନିର୍ବାଚନକୁ ଆଖି ପକାଇଥିବା ବିଜେପିକୁ ଆଜି ବାଲେଶ୍ବରରେ ଶକ୍ତ ଝଟ୍‌କା ଲାଗିଛି। ପୌର ପରିଷଦର ୩୧ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଭାବେ ଉର୍ମିଳା ଦାସମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏଠାରୁ ବିଜେଡି ପ୍ରାର୍ଥୀ ରଞ୍ଜିତା ମହାପାତ୍ର ଅପ୍ରତିଦ୍ବନ୍ଦ୍ବୀ ହୋଇ ବିଜୟ ଲାଭ କରିଥିବା ଜଣାଯାଇଛି।

ନାମାଙ୍କନ ପ୍ରତ୍ୟାହାର କଲେ ଦଳରୁ ଟିକଟ୍‌ ପାଇଥିବା ପ୍ରାର୍ଥୀ

ଅପ୍ରତିଦ୍ବନ୍ଦ୍ବୀ ଭାବେ ଗୋଟିଏ ୱାର୍ଡ ଅକ୍ତିଆର କଲା ବିଜେଡି

ମଇଦାନରେ ୫ ପୌରାଧ୍ୟକ୍ଷ ଓ ୧୨୨ କାଉନ୍‌ସିଲର ପ୍ରାର୍ଥୀ

ଉଲ୍ଲେଖଯୋଗ୍ୟ ଯେ, ଚଳିତ ପୌର ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେବା ଲାଗି ପ୍ରାର୍ଥୀ ଚୟନ କରାଯିବା ପୂର୍ବରୁ ବାଲେଶ୍ବର ପୌର ନିର୍ବାଚନ ପ୍ରଭାରୀ ଦାୟିତ୍ବରେ ଥିବା ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବିଜେଡିର ପୂର୍ବତନ ପୌର ଉପାଧ୍ୟକ୍ଷାଙ୍କ ସମେତ କିଛି କାଉନସିଲରଙ୍କୁ ବିଜେପିରେ ସାମିଲ କରାଇଥିଲେ। ସେହି ଅନୁସାରେ ସେମାନଙ୍କୁ ବିଭିନ୍ନ ୱାର୍ଡ‌େର ବିଜେପି ଟିକଟରେ ପ୍ରାର୍ଥୀ ମଧ୍ୟ କରାଯାଇଛି। ହେଲେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଆଜିର ଘଟଣାରେ ବିଜେପି ହାତରୁ ଗୋଟିଏ ୱାର୍ଡ କମିଯାଇଥିବା ବେଳେ ଉକ୍ତ ୱାର୍ଡରେ ପୌରାଧ୍ୟକ୍ଷ ଭୋଟ୍‌ ପାଇଁ କିପରି ପ୍ରଚାର ହେବ ଏବଂ ଭୋଟ ଆସିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଗୋଟିଏ ଆସନ ଅପ୍ରତିଦ୍ବନ୍ଦ୍ବୀ ହୋଇଯାଇଥିବାରୁ ବିଜେଡି ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ବାଲେଶ୍ବର ପୌର ପରିଷଦର ୩୧ଟି ୱାର୍ଡ ପାଇଁ କାଉନସିଲର ପଦବି ଲାଗି ମୋଟ ୧୩୩ ଜଣ ଯୋଗ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସୋମବାର ୬ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ପୌରାଧ୍ୟକ୍ଷ ପଦ ପାଇଁ ପୂର୍ବତନ ପୌରାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀଙ୍କ ପତ୍ନୀ ସଂଧ୍ୟା ଚକ୍ରବର୍ତ୍ତୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ୨୫ ନମ୍ବର ୱାର୍ଡର ପାର୍ଥସାରଥୀ ଆଶ୍‌, ୨୨ ଜଣ ୱାର୍ଡର ସଞ୍ଜୟ ବେହେରା, ୫ ନମ୍ବର ୱାର୍ଡର ଜୟସ୍ମିତା ମାଝୀ, ୬ ନମ୍ବର ୱାର୍ଡର ଶିବ ମାଝୀ ମଧ୍ୟ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଏବେ ବାଲେଶ୍ବର ପୌର ପରିଷଦର ୩୧ଟି ୱାର୍ଡ ପାଇଁ ମୋଟ ୧୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାଯାଇଛି।

ତେବେ ଆଜିଠାରୁ ସବୁ ଦଳର ପ୍ରାର୍ଥୀମାନେ ବିଭିନ୍ନ ୱାର୍ଡକୁ ଯାଇ ‌ଡୋର ଟୁ ଡୋର କାମ୍ପେନିଂ, ପଥପ୍ରାନ୍ତ ସଭା, ମାଇକ୍‌ ପ୍ରଚାର ଆଦି ମାଧ୍ୟମରେ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରିଥିବା ଦେଖା‌ଯାଇଛି।

ସମ୍ବନ୍ଧିତ ଖବର