୧୪୬ ବର୍ଷର ବାଲେଶ୍ୱର ପୌର ପରିଷଦ: ଦ୍ୱିତୀୟ ଥର ପାଇଁ ଦେଖିବ ମହିଳା ପୌରାଧ୍ୟକ୍ଷ!

ମହିଳାଙ୍କ ହାତରେ ସହର ବିକାଶ, ସବୁ ଦଳରେ ମାନସମନ୍ଥନ

ବାଲେଶ୍ୱର : ପଞ୍ଚାୟତ ଭୋଟ୍‌ ପରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ସବୁଠୁ ବଡ଼ କଥା ହେଲା, ପାଖାପାଖି ୩୦ ବର୍ଷ ପରେ ଏଥର ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ଯେଉଁଠି କାଉନସିଲରଙ୍କ ବଦଳରେ ଭୋଟରମାନେ ବାଛିବେ ସେମାନଙ୍କ ପସନ୍ଦର ପୌରାଧ୍ୟକ୍ଷ। ପୌର ଅଧ୍ୟକ୍ଷ ପଦ ପାଇଁ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇଉଠିଛି। ବାଲେଶ୍ବର ପୌରଧ୍ୟକ୍ଷ ପଦ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ବିଭିନ୍ନ ଦଳରୁ ମହିଳା ଆଶାୟୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

୧୮୭୬ ମସିହାରେ ସ୍ଥାପିତ ବାଲେଶ୍ବର ପୌରପାଳିକା ଅଧ୍ୟକ୍ଷ ଆସନ ୧୩୨ ବର୍ଷ ପରେ ଅର୍ଥାତ ୨୦୦୮ ମସିହାରେ ମହିଳାଙ୍କ ପାଇଁ ସଂରକ୍ଷିତ ହେଲା। ସେତେବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ସଂଖ୍ୟାଧିକ କାଉନସିଲରଙ୍କ ସମର୍ଥନ ପାଇ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ବର୍ତ୍ତମାନର ବାଲେଶ୍ବର ବିଧାୟକ ସ୍ବରୂପ ଦାସଙ୍କ ବଡ଼ଭାଇ ସ୍ବର୍ଗତ ସନତ ଦାସଙ୍କ ପତ୍ନୀ ସୁଜାତା ଦାସ। ଉପାଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥିଲେ କଂଗ୍ରେସରୁ କାଉନସିଲର ଜିତିଥିବା ମନୋଜ ରାଉତ। ତା’ ପୂର୍ବରୁ ୧୯୯୭ ଓ ୨୦୦୩ ମସିହା ପୌର ନିର୍ବାଚନରେ ଅଧ୍ୟକ୍ଷ ଆସନ ସନତଙ୍କ ଅକ୍ତିଆରରେ ରହିଥିବା ବେଳେ ପୌର ଉପଧ୍ୟକ୍ଷା ଆସନରେ ଶକୁନ୍ତଳା ସିଂ ଓ ବିଳାସିନୀ ବେହେରା ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ପୌରାଧ୍ୟକ୍ଷ ଆସନ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ଆଲୋକ ସାହୁ ଏହି ପଦରେ ନିର୍ବାଚିତ ହୋଇଥିଲେ ଏବଂ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ମହିଳା କାଉନସିଲର ରଶ୍ମୀରେଖା ଦେବ। ବାଲେଶ୍ବର ପୌର ପରିଷଦରେ ପୂର୍ବରୁ ୩ ଜଣ ମହିଳା ଉପାଧ୍ୟକ୍ଷା ଆସନରେ ବସିସାରିଛନ୍ତି। ତେବେ ପୌରାଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହା ମହିଳା ନେତୃତ୍ବଙ୍କ ପାଇଁ ଆଗକୁ ବଢ଼ିବା ଲାଗି ଏକ ସୁଯୋଗ ବୋଲି କୁହାଯାଉଛି। ଯଦିଓ ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ରଖିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ମହଲତ ଦିଆଯାଇଛି, କିନ୍ତୁ କ୍ଷମତାସୀନ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଏହାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଗଲାଣି। କେଉଁ ମହିଳା ନେତୃତ୍ବଙ୍କୁ ପ୍ରାର୍ଥୀ କଲେ ଅଧିକ ସମର୍ଥନ ମିଳିବ ଓ ପୌରାଧ୍ୟକ୍ଷ ଆସନ ଅକ୍ତିଆର କରିହେବ, ସେ ନେଇ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଦେଲେଣି।

ଏହାମଧ୍ୟରେ ସହରାଞ୍ଚଳ ରାଜନୈତିକ ଚିତ୍ରରେ ଅନେକ ପରିବର୍ତ୍ତନ ହୋଇଛି। ବିଭିନ୍ନ ଦଳରେ ମହିଳାନେତ୍ରୀ ଓ କର୍ମୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବାବେଳେ ଅନେକ ଶିକ୍ଷିତା ମହିଳା ରାଜନୀତିରେ ସକ୍ରିୟ ଅଛନ୍ତି। ମିଶନ୍‌ ଶକ୍ତି ଅଧୀନରେ ଶତାଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟ ଗଢ଼ିଉଠିଛି। ତେଣୁ ଏଥର ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନେ ସବୁ ଦଳରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ୩୧ ୱାର୍ଡ ବିଶିଷ୍ଟ ବାଲେଶ୍ବର ପୌରପାଳିକାରେ ୨୦୧୩ ମସିହା ନିର୍ବାଚନରେ ୧୮ ଜଣ ମହିଳା କାଉନସିଲର ନିର୍ବାଚିତ ହୋଇଥିଲେ। ତେଣୁ କୌଣସି ଦଳରେ ମହିଳା ନେତ୍ରୀଙ୍କ ଅଭାବ ନାହିଁ। କେବଳ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଅପେକ୍ଷା। ଯଦି ସେଥିରେ ମହିଳା ପଦ ସଂରକ୍ଷିତ ରହିଲା, ତାହେଲେ ବାଲେଶ୍ବର ପୌରାଞ୍ଚଳବାସୀ ଦ୍ୱିତୀୟ ଥର ପାଇଁ ଜଣେ ମହିଳା ପ୍ରତିନିଧିଙ୍କୁ ଦେଖିବାକୁ ପାଇପାରିବେ।

ସମ୍ବନ୍ଧିତ ଖବର