ବିଦ୍ରୋହୀଙ୍କୁ ମନାଇବାକୁ ବିଜେଡିର ଜୋରଦାର ପ୍ରୟାସ
ଅନ୍ତଃକନ୍ଦଳ ଯୋଗୁଁ ଫିକା ପଡ଼ିଲାଣି ବିଜେପି ରଣନୀତି
ଦୁର୍ବଳ ସ୍ଥିତି ଥାଇ ବି ଘର ଘର ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ
ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦମଦାର ବିଜୟ ପରେ ଏବେ ପୌର ଦଖଲ କରିବାକୁ ଶାସକ ବିଜୁ ଜନତା ଦଳର ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ନେତାଙ୍କ ଠାରୁ କର୍ମୀଙ୍କ ଯାଏ ସମସ୍ତେ ଦିନରାତି ଏକ କରି ଦଳ ତରଫରୁ କରାଯାଇଥିବା ପୌର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି। ଅଧିକାଂଶ ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ମନାଇବାକୁ ପାଇଁ ଦଳ ସ୍ବତନ୍ତ୍ର ଭାବେ କିଛି ବରିଷ୍ଠ ନେତାଙ୍କୁ ନିୟୋଜିତ କରିଥିବା ଜଣାଯାଇଛି।
ବାଲେଶ୍ବର ପୌରପାଳିକାରେ ୩୧ଟି ୱାର୍ଡ ମଧ୍ୟରୁ ସବୁ ୱାର୍ଡରେ ବିଜେଡି ପ୍ରାର୍ଥୀ ଦେଇଛି। ତେବେ ଅଧିକାଂଶ ୱାର୍ଡରେ ଦଳ ତରଫରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖି ଟିକଟ ନପାଇବାରୁ ସେମାନେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଯାହାକୁ ନେଇ ଦଳ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ୱାର୍ଡ ନମ୍ବର ୯ରେ ଦଳ ତରଫରୁ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସେହି ୱାର୍ଡରେ ଟିକଟ ପାଇବାରୁ ବଞ୍ଚିତ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ରୀ ରାଉତଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ଦଳର ଯୁବନେତା ସଂଜୀବ କୁମାର ଦାସ। ୱାର୍ଡ ନମ୍ବର ୧୭ରେ ଉତ୍ପଳ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସେଠାରୁ ଟିକେଟ୍ ଆଶାୟୀ ଥିବା ଦଳର ପୂର୍ବତନ କାଉନସିଲର ସ୍ବର୍ଗତ ମୁନୁମଣି ନାୟକଙ୍କ ସ୍ବାମୀ ଅସିତ କୁମାର ନାୟକ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୧ ନମ୍ବର ୱାର୍ଡ ଗତଥର ବିଜେପି ଅକ୍ତିଆର କରିଥିବା ବେଳେ ଚଳିତଥର ଏଠାରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ଦଳ ପାଇଁ ବିଦ୍ରୋହୀ ପ୍ରାର୍ଥୀ ପ୍ରତିବନ୍ଧକ ସାଜିଛନ୍ତି। ଏଠାରେ ବିଜେଡି ଶ୍ରଷ୍ଠାଶ୍ରୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ବିରୋଧ ପରି ମନୀଷା ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଚାର କରୁଛନ୍ତି। ୨୩ ନମ୍ବର ୱାର୍ଡରେ ଶଶୀରେଖା ମହାନ୍ତି ବିଜେଡିରୁ ଟିକଟ ପାଇଥିବା ବେଳେ ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ଅନ୍ନପୂର୍ଣ୍ଣା ମହନୀ ପ୍ରାର୍ଥୀ ହୋଇଛନ୍ତି। ୨୯ ନମ୍ବର ୱାର୍ଡରେ କାର୍ତ୍ତିକ ଚନ୍ଦ୍ର ସାହୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସେଠାରୁ ଟିକଟ ଆଶାୟୀ ଥିବା ଅନୁପ କୁମାର ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଜୋରଦାର ପ୍ରଚାର କରୁଥିବା ଦେଖାଯାଇଛି।
ଦଳରେ ସକ୍ରିୟ ସଦସ୍ୟ ଥାଇ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀମାନଙ୍କର ଏଭଳି କାର୍ଯ୍ୟ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହିଭଳି ଆଉ କେତେକ ୱାର୍ଡରେ ମଧ୍ୟ ଶାସକଦଳର ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ କଣ୍ଟା ସାଜିଛନ୍ତି। ତେଣୁ ଦୁଇଜଣଙ୍କ କଳିରେ ତୃତୀୟ ପକ୍ଷଙ୍କ ବିଜୟ ନ୍ୟାୟରେ ସମ୍ପୃକ୍ତ ୱାର୍ଡଗୁଡ଼ିକରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଯେପରି ଫାଇଦା ଉଠାଇ ନ ପାରିବେ ସେନେଇ ଦଳ ପ୍ରଥମେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବା ଆରମ୍ଭ କରିଛି। ସାଧାରଣତଃ ସେମାନେ ସ୍ଥାନୀୟ ନେତୃତ୍ବଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ଦଳର ରାଜ୍ୟସ୍ତରରୁ ବରିଷ୍ଠ ନେତାମାନେ ଆସି ମନାଇବାକୁ ପ୍ରୟାସ ଜାରି ରଖିଥିବା ଦେଖାଯାଇଛି। କିଛି ବିଦ୍ରୋହୀ ପ୍ରାର୍ଥୀ ସେମାନଙ୍କୁ ବିଭିନ୍ନ ପ୍ରକାର କାରଣ ଦେଖାଯାଇ ଦଳ ତରଫରୁ ଭୟଭୀତ କରାଯାଉଥିବା ଅଭିଯୋଗ ଆଣିଥିବା ବେଳେ ଦଳ ତାହା ଖଣ୍ଡନ କରିଛି।
ସେପଟେ ବିଜେଡିକୁ କଡ଼ା ଟକ୍କର ଦେବା ଲାଗି ରଣନୀତି ପ୍ରସ୍ତୁତ କରି ସବୁ ୱାର୍ଡରେ ପ୍ରାର୍ଥୀ ଦେଇଥିଲା ଭାରତୀୟ ଜନତା ପାର୍ଟି। ହେଲେ ପ୍ରଥମ ଦିନରୁ ଦଳ ୩୧ ନମ୍ବର ୱାର୍ଡରେ ଝୁଣ୍ଟିଥିଲା। ନାମାଙ୍କନ ପ୍ରତ୍ୟାହାର ଦିନ ଦଳର ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରି ବିଜେଡିରେ ଯେତେବେଳେ ସାମିଲ ହେଲେ ସେତେବେଳେ ଦଳକୁ ଶକ୍ତ ଝଟ୍କା ଲାଗିଥିଲା। ଏହାପରେ ବର୍ତ୍ତମାନ ମଇଦାନ ସରଗରମ ବେଳେ ଦଳର ଯେଉଁ ନେତାମାନେ ପ୍ରଚାର କଲେ ପ୍ରାର୍ଥୀ ଓ କର୍ମୀ ଅଧିକ ଉତ୍ସାହିତ ହୁଅନ୍ତେ ସେମାନଙ୍କର ଏଯାଏ ଦେଖାଦର୍ଶନ ମିଳିଲା ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟସ୍ତରରେ ଥିବା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତି ଖାସ୍ କରି ବାଲେଶ୍ବର ପୌରପାଳିକା ପ୍ରଚାରରେ ଆଦୌ ଦେଖିବାକୁ ମିଳୁ ନାହିଁ। କେବଳ ଦଳର ପୌରାଧ୍ୟକ୍ଷା ପ୍ରାର୍ଥୀ ରଶ୍ମିରେଖା ଦେବଙ୍କ ସହ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ କୁମାର ଦତ୍ତ ପ୍ରଚାରରେ ବୁଲୁଥିବା ବେଳେ ଅନ୍ୟ ନେତୃବୃନ୍ଦଙ୍କର ଅନୁପସ୍ଥିତି ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଥିବା ଆଲୋଚନା ହେଉଛି।
ସେହିପରି କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସମେତ ମାତ୍ର ୧୨ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇଛି। ଏକଦା ବାଲେଶ୍ବର ପୌରପାଳିକା କଂଗ୍ରେସ ପାଇଁ ଗଡ଼ ସାଜିଥିବା ବେଳେ ଆଜି ଏଭଳି ସ୍ଥିତି ହୋଇଛି ଯେ, ଦଳ ତରଫରୁ ପ୍ରାର୍ଥୀ ଦିଆଯାଇଥିବା ୱାର୍ଡଗୁଡ଼ିକରେ ଠିକ୍ ଭାବେ ବ୍ୟାନର, ପୋଷ୍ଟର ଏବଂ ହୋଡିଂ ସୁଦ୍ଧା ଲାଗିପାରି ନଥିବା ଦେଖିବାକୁ ମିଳିଛି। କାଉନସିଲର ପ୍ରାର୍ଥୀମାନେ ନିଜ ନିଜ ସ୍ତରରେ ସେମାନଙ୍କ ପ୍ରଚାର କରୁଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀ ପ୍ରଜ୍ଞା ପାରମିତା ବିଶ୍ବାଳ ବିଭିନ୍ନ ୱାର୍ଡ ବୁଲି ଦଳର ପ୍ରାର୍ଥୀ ଏବଂ ନିଜ ପାଇଁ ଭୋଟ୍ ମାଗୁଥିବା ଦେଖାଯାଇଛି।