ସ୍ଥାଣୁ ଅବସ୍ଥାରେ ବାଲେଶ୍ବର ପୌରପାଳିକା

ବାଲେଶ୍ବର: ବାଲେଶ୍ବର ମୁନିସିପାଲିଟିରେ ଅଚଳାବସ୍ଥା ଦେଖାଦେଇଛି। ଆର୍ଥିକ ନେଣଦେଣ ବନ୍ଦ ଥିବାରୁ ଗଦା ହେଲାଣି ଫାଇଲ୍‌। ତ୍ବରାନ୍ବିତ ହୋଇପାରୁନି କି କାମ ବି ଠିକ୍‌ ସମୟରେ ଆରମ୍ଭ ହୋଇପାରୁନାହିଁ। ସେପଟେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳୁନାହିଁ। କାର୍ଯ୍ୟରତ କର୍ମଚାରୀଙ୍କ କଥା ଛାଡ଼, ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବି ବିଳମ୍ବରେ ଆସୁଛି। ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ବଦଳି ହୋଇଯିବା ପରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥିବା ଜଣାଯାଇଛି। କହିବାକୁ ଗଲେ ମୁନିସିପାଲିଟି ସ୍ଥାଣୁ ଅବସ୍ଥାରେ ଗତି କରୁଛି। ଏହି ସମସ୍ୟାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଉପଜିଲ୍ଲାପାଳ ଶ୍ରୀ ପାଟିଲଙ୍କ ବଦଳି ହେବା ପରେ ମୁନିସିପାଲିଟିର ଆର୍ଥିକ ନେଣଦେଣ ଠପ୍‌ ହୋଇଯାଇଛି। ଦାୟିତ୍ବରେ ରହିଥିବା ସହକାରୀ ଉପଜିଲ୍ଲାପାଳ ଜିଲ୍ଲାର ୫ଟି ବିଭାଗ ଦାୟିତ୍ବରେ ରହିଛନ୍ତି। ଯାହାଫଳରେ ସବୁ ବିଭାଗ କଥା ବୁଝି କାମ କରିବା ସମ୍ଭବପର ହେଉନାହିଁ। ସହକାରୀ ଉପଜିଲ୍ଲାପାଳଙ୍କ ହାତରେ ଆର୍ଥିକ ନେଣଦେଣର କ୍ଷମତା ବି ନାହିଁ। ଯାହାଫଳରେ ସବୁ ଫାଇଲ୍‌ ବ୍ଲକ୍‌ ହୋଇ ପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ କର୍ମଚାରୀଙ୍କୁ ୩/୪ ତାରିଖରେ ଦରମା ମିଳୁଥିଲା ବେଳେ ଏବେ କିନ୍ତୁ କିଛିମାସ ହେବ ବହୁ ବିଳମ୍ବରେ ଦରମା ପଡ଼ୁଛି। ଗୋଟିଏ ପଟେ ମୁନିସିପାଲିଟିର ଅଧାରୁ ଅଧିକ ପଦବି ଫାଙ୍କା ପଡ଼ିଥିବା ବେଳେ ଜଣେ କର୍ମଚାରୀଙ୍କ ଉପରେ ୩/୪ଟି ବିଭାଗର ଭାର ନ୍ୟସ୍ତ ରହିଛି। ଏହା ଉପରେ ପୁଣି ଦରମା ଠିକ୍‌ ସମୟରେ ନ ପଡ଼ିବାରୁ ଅସନ୍ତୋଷ ବୃଦ୍ଧି ପାଇଛି।

ମୁନିସିପାଲଟିର ସ୍ବଚ୍ଛ ସାଥୀଙ୍କୁ ମଧ୍ୟ ଦରମା ଠିକ୍‌ ସମୟରେ ଦିଆଯାଉନାହିଁ। ପୂର୍ବରୁ ଏମାନଙ୍କୁ ମାସର ୨୦/୨୧ ତାରିଖରେ ଦରମା ଦିଆଯାଉଥିବା ବେଳେ ଏହା ଭିତରେ ମାସେ ବିତିବାକୁ ବସିଲାଣି। ହେଲେ ଦରମା ଦିଆଯାଇନାହିଁ। ପେନ୍‌ସନ୍‌ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ଧାରଉଧାର କରି ଚଳୁଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଯୋଜନା ବାଲେଶ୍ବର ମୁନିସିପାଲିଟିରେ ଏକ ପ୍ରକାର ଫେଲ୍‌ ମାରିଛି ବୋଲି ନିଜ ନାମ ଗୋପନ ରଖି ମୁନିସିପାଲିଟିର ବହୁ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିବାକୁ ଯାଇ କହିଛନ୍ତି। ତେବେ ଏସଂପର୍କରେ ନୂତନ ଜିଲ୍ଲାପାଳ ଗୁରୁତ୍ବ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର