ଭୁବନେଶ୍ବର: ଆଜି ସକାଳେ ବାଲେଶ୍ବରରୁ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ସଂପର୍କରେ ପ୍ରାଥମିକ ସୂଚନା ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି ସଂପ୍ରତି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ପୂର୍ବରୁ ବାଲେଶ୍ବରରେ ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ନିକଟ ସଂପର୍କୀୟ। ଏଥିସହ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳକ ଅଛନ୍ତି। ଦୁଇ ମହିଳାଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୩୮ ବର୍ଷ ଓ ୨୬ ବର୍ଷ। ତେବେ ଆକ୍ରାନ୍ତ ନାବାଳକଙ୍କ ବୟସ ୧୨ ବର୍ଷ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।
ଉଲ୍ଲେଖଯୋଗ୍ୟ, ଗତକାଲି ବାଲେଶ୍ବରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଥିଲା। ଉକ୍ତ ଶିଶୁଟି ରାଜ୍ୟର ସର୍ବକନିଷ୍ଠ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ବାଲେଶ୍ବର ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ନୀଳଗିରି ରାଜବରହମପୁର ଥାନା ଅଞ୍ଚଳର ଏହି ଦୁଇ ବର୍ଷର ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଗତକାଲି ଚିହ୍ନଟ ଅନ୍ୟ ଆକ୍ରାନ୍ତ ୩୨ ବର୍ଷ ବୟସର ଜଣେ ଯୁବକ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
First Health Update of 21st April, 2020
5 New Positive Cases Found in Balasore.
Total No of Positive Cases: 79
(All Close Relatives of previous positive case.)
34 Yrs Female, 38 Yrs Male, 12 Yrs Male, 34 Yrs Female & 26 yrs Male.
— I & PR Department, Odisha (@IPR_Odisha) April 21, 2020
ଆଜି ସକାଳେ ଓଡ଼ିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ସୂଚନା ଦିଆଯାଇଥିଲା । ଏମାନେ ସମସ୍ତେ ବାଲେଶ୍ବରର ବୋଲି ଜଣାପଡ଼ିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ସକାଳୁ ପ୍ରଥମେ ୭ ଜଣ ଓ ଅପରାହ୍ନରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି।
ଗତକାଲି ସକାଳୁ ଭଦ୍ରକ ଜିଲ୍ଲାରୁ ୫ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅପରାହ୍ନରେ ଯାଜପୁର ଜିଲ୍ଲାରୁ ୫ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।
ତେବେ ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।