ବାଲେଶ୍ୱର : ଲକ୍ଷେ ଟଙ୍କା ଲାଞ୍ଚ ନେଇ ଗତକାଲି ଭିଜିଲାନସ୍ ହାତରେ ଧରାପଡ଼ିଥିବା ବାଲେଶ୍ୱର ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ବାଇଁ ଶନିିବାର ଜେଲ୍ ଯାଇଛନ୍ତି। ଜଣେ ପିଅନ ଦୀର୍ଘ ବର୍ଷ ଧରି ପୂର୍ତ୍ତ ବିଭାଗରେ କିଭଳି ଅଡିଟର୍ ଭଳି ପଦରେ ଅବସ୍ଥାପିତ ହୋଇ ମୋଟା ଅଙ୍କର ଲାଞ୍ଚ ମାଗିବାକୁ ଦୁଃସାହସ କରୁଥିଲେ ତାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ବିଭାଗୀୟ ପଦାଧିକାରୀଙ୍କ ବିନା ପ୍ରୋତ୍ସାହନରେ ଏଭଳି କାର୍ଯ୍ୟ କେବେ ସମ୍ଭବ ନୁହେଁ। ଏମିତିକି ଶ୍ରୀ ସ୍ବାଇଁ ଜେରା ବେଳେ ଲାଞ୍ଚ ଟଙ୍କା ବିଭାଗୀୟ ଅଧିକାରୀଙ୍କ ପାଇଁ ନେଉଥିଲେ ବୋଲି ଭିଜିଲାନ୍ସ ଆଗରେ ମାନିବା ପରେ ପୂର୍ତ୍ତ ବିଭାଗର ବଡ଼ ବାବୁମାନଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।
ସୂଚନାଥାଉକି, ଶୁକ୍ରବାର ଦିନ ଭିଜିଲାନ୍ସ ପଦ୍ମନାଭଙ୍କୁ ଜେରା କରିବା ବେଳେ ପୂର୍ତ୍ତ ବିଭାଗରେ ୧୯୯୬ ମସିହାରୁ ସେ ଅଡିଟର ପଦରେ କାମ କରୁଥିବା କହିଥିଲେ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଅଧିକାଂଶ ସରକାରୀ ପ୍ରକଳ୍ପର କାଗଜପତ୍ର, କ୍ୟାସବୁକ୍ ଓ ହିସାବ ତାଙ୍କ ପାଖରେ ରହୁଥିଲା ବୋଲି ସ୍ବୀକାର କରିଥିଲେ। କେବଳ ସେତିକି ନୁହେଁ, ଟେଣ୍ଡରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ ବାବଦରେ ଅମାନତ ଅର୍ଥ ଗ୍ରହଣ କରିବା, ପରବର୍ତ୍ତୀ ସମୟରେ ତାକୁ ଫେରାଇବା ସହିତ ବିଭିନ୍ନପ୍ରକାରର ଆର୍ଥିକ କାରବାର ତାଙ୍କ ମାଧ୍ୟମରେ କରାଯାଉଥିବା ସେ ମାନିଛନ୍ତି। ପୂର୍ତ୍ତ ବିଭାଗ-୨ ସହିତ ପୂର୍ତ୍ତ ବିଭାଗ-୧ କାର୍ଯ୍ୟାଳୟରେ ମଧ୍ୟ କାମ କରୁଥିଲେ ଶ୍ରୀ ସ୍ବାଇଁ। ପୂର୍ତ୍ତ ବିଭାଗ ଜରିଆରେ ସରକାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଶହ ଶହ କୋଟି ଟଙ୍କାର କାମ କରୁଥିବା ବେଳେ ବିଭାଗର ବଡ଼ବାବୁମାନେ ବହୁ ସାବଧାନତା ଅବଲମ୍ବନ କରି ପିଅନ, ଚପରାସୀ ଓ ତଳିଆ କର୍ମଚାରୀଙ୍କୁ ଏଥିରେ ମୋହରା ବନାଇଥିବା ଜଣାପଡ଼ିଛି। କାରଣ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଆଦି ବିଭାଗରେ କିପରି ପିସି କାରବାର ହୋଇଥାଏ, ତାହା କାହାକୁ ଅଛପା ନୁହେଁ। ପିଅନ ପଦ୍ମନାଭ ସ୍ବାଇଁ ଏକ ଉଦାହରଣ ମାତ୍ର। ତେବେ ଗତକାଲି ପଦ୍ମନାଭ ଧରାପଡ଼ିବା ଏବଂ ବିଭାଗୀୟ ଅଧିକାରୀଙ୍କର ତାଙ୍କର ସହ ସମ୍ପୃକ୍ତି ଥିବା କହିବା ପରେ ବାବୁଙ୍କ ଛାତି ଧଡ଼ପଡ଼ ହେଲାଣି। କାଳେ କେତେବେଳେ ଭିଜିଲାନ୍ସ ପଚରାଉଚରା ପାଇଁ ନୋଟିସ୍ କରିବ, ସେ ଆଶଙ୍କାରେ ସଭିଁଏ ଥରହର।
ସେପଟେ ଭିଜିଲାନ୍ସ ଏସ୍ପି ନରହରି ନାୟକ କହିଛନ୍ତି, ଜଣେ ତଳିଆ କର୍ମଚାରୀ କେବେ ବି କାହାର ବିନା ଅନୁମତିରେ ଏତେ ବଡ଼ କାମ କରିବାକୁ ସାହସ କରିପାରିବନି। ତା’ ଛଡ଼ା ଶ୍ରୀ ସ୍ବାଇଁ ଏତେବର୍ଷ ଧରି କେମିତି ଅଡିଟର୍ ଭାବେ କାମ କରୁଥିଲେ ଏବଂ ତାଙ୍କୁ କିଏ ଅନୁମତି ଦେଇଥିଲା ତାର ଯାଞ୍ଚ ଚାଲିଛି। ଯେଉଁ ଉପରିସ୍ଥ ଅଧିକାରୀଙ୍କ ନାଁ ସିଏ ନେଇଛନ୍ତି ସେମାନଙ୍କୁ ଖୁବଶୀଘ୍ର ତଦନ୍ତ ପରିସରକୁ ଅଣାଯିବ। ଆଜି ଭିଜିଲାନ୍ସ ପକ୍ଷରୁ ଜଣେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ସେ ଅଫିସ୍କୁ ଆସିନଥିବା ଶ୍ରୀ ନାୟକ କହିଛନ୍ତି। ପୂର୍ତ୍ତ କାର୍ଯ୍ୟାଳୟରେ ଅନେକ ଫାଇଲ ସହ ପିଅନ ପଦ୍ମନାଭ ବସୁଥିବା ଟେବୁଲର କମ୍ପ୍ୟୁଟର ସିଷ୍ଟମ୍ ମଧ୍ୟ ଜବତ କରାଯାଇଥିବା ଏସ୍ପି କହିଛନ୍ତି। କୌତୁହଳ କଥା ହେଉଛି, ଭିଜିଲାନ୍ସ ଭୟରେ ଆଜି ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟ ପରିସର ଖାଁ ଖାଁ ଥିଲା। ଅଧିକାଂଶ କର୍ମଚାରୀ ଓ ଅଧିକାରୀ ଅଫିସ ନ ଆସି ବର୍ଷା ବାହାନାରେ ଘରେ ରହିଯାଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ପିଅନ ପଦ୍ମନାଭ ଧରାପଡ଼ିବା ପରେ ଭିଜିଲାନ୍ସ ସ୍କାନରରେ ଏବେ ବିଭାଗର ବଡ଼ ବଡ଼ବାବୁମାନେ ରହିଛନ୍ତି।