ବାଲେଶ୍ୱର ସଦର ଉପନିର୍ବାଚନ : ଏକାଠି ହୋଇପାରୁନାହାନ୍ତି ରବୀନ୍ଦ୍ର-ଜୀବନଙ୍କ ଗୋଷ୍ଠୀ

ବାଲେଶ୍ୱର : ବାଲେଶ୍ବର ସଦର ଆସନ ଉପନିର୍ବାଚନ ପାଇଁ ଅଣ୍ଟା ଭିଡ଼ି ସାରିଲେଣି ୩ ପ୍ରମୁଖ ଦଳ। ଯଦିଓ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କେବଳ ବାକି ରହିଛି, ଶାସକ ବିଜେଡିର ପ୍ରାର୍ଥିତ୍ବକୁ ନେଇ କିନ୍ତୁ ଚର୍ଚ୍ଚା ଥମୁନି। ଅନ୍ୟ ଦୁଇ ଦଳରେ ପ୍ରାର୍ଥିତ୍ବକୁ ନେଇ ଏତେଟା ସମସ୍ୟା ନ ଥିଲେ ମଧ୍ୟ ବିଜେଡିର ଦୁଇ ଗୋଷ୍ଠୀ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତଃକନ୍ଦଳର ସମାଧାନ ଏଯାଏ ହୋଇପାରିନି।

ବିଜେଡିର ଜଣେ ବିଧାୟକଙ୍କ କହିବା ମୁତାବକ, ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଶାସକ ଦଳ ହେତୁ ଦଳରେ ଅଧିକ ଆଶାୟୀ ରହିବା ସ୍ବାଭାବିକ। ଉପନିର୍ବାଚନ ପାଇଁ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀଙ୍କ ନାଁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ପ୍ରତିଦିନ ଦୁହିଁଙ୍କ ନେତୃତ୍ବରେ କର୍ମୀ ସମ୍ମିଳନୀ, ବୈଠକ ଓ ସଭାସମିତି ହେଉଛି। ବିଭିନ୍ନ ପଞ୍ଚାୟତଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଅନ୍ୟଦଳର କର୍ମୀଙ୍କୁ ଆଣି ମିଶ୍ରଣ ପର୍ବ କରାଯାଉଛି। ହେଲେ ଏହିସବୁ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାବେ ରବୀନ୍ଦ୍ର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ଏବଂ ତାଙ୍କ ଅନୁଗତ କୁହାଯାଉଥିବା ବାଲେଶ୍ୱର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଆଲୋକ ସାହୁ, ସଦର ବ୍ଲକର ବର୍ତ୍ତମାନର ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଡାକୁନାହାନ୍ତି। ଜୀବନପ୍ରଦୀପ ପ୍ରାର୍ଥୀ ପାଇଁ ଅନ୍ୟତମ ଦାବିଦାର ଥିବାରୁ ଏବଂ ନାରାୟଣ, ଆଲୋକ ତାଙ୍କ ଗୋଷ୍ଠୀର ହୋଇଥିବାରୁ ରବୀନ୍ଦ୍ର ସେମାନଙ୍କୁ ଅଣଦେଖା କରୁଥିବା କୁହାଯାଉଛି। ଯାହାକୁ ନେଇ ସେମାନଙ୍କ ମନରେ ପ୍ରବଳ କ୍ଷୋଭ ସୃଷ୍ଟି ହୋଇଛି। ନିକଟରେ ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଦଳର ତୃଣମୂଳ ସ୍ତରରେ ଥିବା କିଛି ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କୁ ଧରି ରାଜ୍ୟନେତୃତ୍ବଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ। ସଦର ଆସନରୁ ଜୀବନପ୍ରଦୀପ ଥରେ ବିଜେପିରୁ ଏବଂ ଅନ୍ୟ ଦୁଇପାଳି ବିଜେଡି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବାଲେଶ୍ୱର ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ଫଳ କରିଥିଲା। ତେଣୁ ତାଙ୍କୁ ଉପେକ୍ଷା କରାଗଲେ ଉପନିର୍ବାଚନ ଜିତିବା ସହଜ ନହୋଇପାରେ ବୋଲି ବିଧାୟକ ଜଣକ ନିଜ ମତ ରଖିଛନ୍ତି।

ରବୀନ୍ଦ୍ର ଓ ଜୀବନଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ବିବାଦ ଦେଖି ନିକଟରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ଦଳର ସାଙ୍ଗଠନିକ ସମ୍ପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବପ୍ରକାଶ ଦାସ (ବବି) ବାଲେଶ୍ୱର ଆସି ଆଲୋଚନା କରିଛନ୍ତି। ଗତ ନିର୍ବାଚନରେ ଏହି ଆସନ ବିଜେପି ଅକ୍ତିଆରରେ ଥିଲା। ଏଥର ଉପନିର୍ବାଚନ ପାଇଁ ଦଳର ସୁପ୍ରିମୋ ଯାହାକୁ ପ୍ରାର୍ଥୀ କରିବେ, ତାକୁ ସମସ୍ତେ ମାନି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଉଭୟ ନେତା ପରାମର୍ଶ ଦେଇଥିଲେ। ସେପଟେ ପ୍ରତିଦ୍ବନ୍ଦ୍ବୀ ବିଜେପି ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରିବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିଜେପିର ଅଧିକାଂଶ ନେତା ଓ କର୍ମୀମାନେ ପ୍ରଚାର କାମକୁ ଜୋରଦାର କରିଛନ୍ତି। ମାତ୍ର ଶାସକଦଳରେ ଅନ୍ତଃକନ୍ଦଳ ତୁଟୁନାହିଁ। ଯାହାଫଳରେ ଜୀବନ ଓ ରବୀନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଓ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି।

ସମ୍ବନ୍ଧିତ ଖବର