ଭୁବନେଶ୍ବର: ହାରିଗଲା ବାଲେଶ୍ବରର ସାହସୀ ଝିଅ । ନୀରବି ଗଲା ନ୍ୟାୟ ପାଇଁ ନିଆଁ ଜାଳି ଆତ୍ମାହୁତି ଉଦ୍ୟମ କରିଥିବା ଗୋଟେ ଦୃଢମନା ଝିଅ । ଭାବିଥିଲା କଲେଜରେ ସିନା ତା କଥା କେହି ଶୁଣିଲେନି କିନ୍ତୁ ଆତ୍ମାହୁତି କଲେ କାଳେ ସାରା ଦୁନିଆ ଶୁଣିବ, ସମାଜ ତାକୁ ନ୍ୟାୟ ଦେବ । କିନ୍ତୁ ହାଏ ସିଏ କଣ ଜାଣିଥିଲା ତା ଜୀବନ ଏମିତି ଅସମୟରେ, ଅଦିନରେ ଝରିପଡିବ ବୋଲି । ତା ଜୀବନ ଦୀପ ଏମିତି ଅଧ ରାତିରେ ଲିଭିଯିବ ବୋଲି । 

Advertisment

ହଁ ଆଜ୍ଞା – ବାଲେଶ୍ବର ଭୋଗରାଇର ସୌମ୍ୟାଶ୍ରୀ ବିଶି, ଏଫଏମ କଲେଜର ଶିକ୍ଷକ ରୂପୀ ରାକ୍ଷସର ଲୋଲୁପ ଦୃଷ୍ଟିରୁ ବର୍ତ୍ତିବାକୁ ଏବଂ ତାକୁ ଦଣ୍ଡ ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କ ଆଗରେ ଦାବି ଉଠାଇଥିଲେ । ଜୁନ ୩୦ରେ ପ୍ରିନ୍ସିପାଲଙ୍କ ଚାମ୍ବରରେ ଆଲୋଚନା ହେଲା । ଏଥିସହ ଜୁଲାଇ ୧ରେ ସୋସିଆଲ ମିଡିଆରେ ଏ ବାବଦରେ ପୋଷ୍ଟ କଲେ । ମୁଖ୍ଯମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଟ୍ୟାଗ କରିଥିଲେ, ଜୁଲାଇ ୨ରେ ଆତ୍ମାହୁତି ଧମକ ଦେଇଥିଲେ । ହେଲେ କେହି ଶୁଣି ନଥିଲେ ବରଂ ଓଲଟି ତାଙ୍କୁ ଚାପ ପକାଇଥିଲେ ଅଭିଯୋଗ ଉଠାଇ ନେବାକୁ । ଜଣେ ସୈତାନକୁ ଶାସ୍ତି ନଦେଇ ଯେତେବେଳେ ଜଣେ ନିରୀହ ଝିଅକୁ ମାନସିକ ନିର୍ଯାତନା ଦିଆଗଲା ସେତେବେଳେ ବାଧ୍ଯହୋଇ  ଜୁଲାଇ ୧୨ ତାରିଖରେ ପ୍ରିନ୍ସିପାଲ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ । ୧୨ ତାରିଖ ସଞ୍ଜରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଗଲା ଆଉ ୬୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ୧୪ ତାରିଖ ରାତି ୧୧.୪୬ରେ ଆଖି ବୁଜିଲେ ସୌମ୍ୟାଶ୍ରୀ ।

ନିଜକୁ ନ୍ୟାୟ ଦେବାକୁ ପ୍ରଥମେ କଲେଜ କର୍ତ୍ତୃପକ୍ଷ, ପରେ ବ୍ଯବସ୍ଥା, ପୋଲିସ ପ୍ରଶାସନ, ସରକାର ଏବଂ ପରେ ଆତ୍ମାହୁତି ପରେ ଜୀବନ ପାଇଁ ମୃତ୍ୟୁ ସହ ଲଢେଇ.. ସାହସୀ ସତ ଯେତେ ହେଲେ ବି ଝିଅଟା, କେତେ ଆଉ ଲଢିଥାନ୍ତା. ଲଢି ଲଢି ଶେଷରେ ହାରିଗଲା । 

ଜୀବନ ମରଣ ସହ ସଂଘର୍ଷ ପରେ ଗତକାଲି ରାତିରେ ଆଖି ବୁଜିଛନ୍ତି ପୀଡ଼ିତା । ବାଲେଶ୍ୱର ଏଫଏମ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯାତନାର ଶିକାର ହେବା ପରେ ଶନିବାର ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସଙ୍କଟପୂର୍ଣ୍ଣ ଅବସ୍ଥାରେ ଏମ୍ସ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡିଯାଇଥିଲା । ୯୮ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । ଏମ୍ସର ୧୦ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ବି ଏପର୍ଯ୍ୟନ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ଆସିନଥିଲା । ଛାତ୍ରୀଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିଲା । 

ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ବିଳମ୍ବିତ ରାତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କ ମୃତଦେହକୁ ତାଙ୍କ ନିଜ ଘର ବାଲେଶ୍ବର ଭୋଗରାଇ ଅଞ୍ଚଳକୁ ନିଆଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଇତି ମଧ୍ଯରେ ପୈତୃକ ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ଆଖିରେ ଲୁହ, ଛାତିରେ କୋହ ।