ବାଲେଶ୍ୱର: ସ୍ୱତନ୍ତ୍ର ରେଳ ଡିଭିଜନ ଘୋଷଣା ରେଳ ବଜେଟ୍‌ରେ ସ୍ଥାନ ପାଇବ ତ ?

୨ଦଶନ୍ଧି ଧରି ଦାବି ହୋଇଆସୁଛି

ବାଲେଶ୍ବର : ବାଲେଶ୍ବରରେ ସ୍ବତନ୍ତ୍ର ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ଗତ ୨ଦଶନ୍ଧି ଧରି ଦାବି ହୋଇଆସୁଛି। ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ଶ୍ରୀକାନ୍ତ ଜେନା, ରବୀନ୍ଦ୍ର ଜେନା ଏପରିକି ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ବହୁ ନେତା ଉତ୍ତର ଓଡ଼ିଶାବାସୀଙ୍କ ଏହି ନ୍ୟାଯ୍ୟ ଦାବି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। ନିକଟ ଅତୀତରେ ବାଲେଶ୍ବରର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ରେଳମନ୍ତ୍ରୀଙ୍କୁ ବାଲେଶ୍ବରରେ ସ୍ବତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା ନେଇ ଏକାଧିକ ଚିଠି ଲେଖି ସାରିଲେଣି।

ପୂର୍ବରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ନେଇ ଥିଲା ଦକ୍ଷିଣ-ପୂର୍ବ ରେଳପଥ। ମାତ୍ର ସମ୍ବଲପୁର, ଖୋର୍ଦ୍ଧା, ଵାଲ୍ଟିୟର ଡିଭିଜନ ପୂର୍ବତଟ ରେଳପଥ ଅଧୀନକୁ ଯିବାପରେ ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅଧୀନରେ ରହିଗଲା ଓଡ଼ିଶାର ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲା। ମାତ୍ର ୪ ପ୍ରତିଶତ ରେଳପଥକୁ ଖଡ଼ଗପୁର ଅଧୀନରେ କାହିଁକି ରଖାଗଲା ତାହା ଏବେ ବି ଏକ ଅସମାହିତ ପ୍ରଶ୍ନ ହୋଇରହିଛି। ସଂପ୍ରତି ଓଡ଼ିଶା ଉପକୂଳରେ ଏକାଧିକ ବନ୍ଦର ସ୍ଥାପନ ହେବାକୁ ଯାଉଥିବା ବେଳେ ପୁଞ୍ଜିନିବେଶ ପାଇଁ ବଡ଼ବଡ଼ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କଲେଣି। ଏହି ଦୃଷ୍ଟିରୁ ଅଞ୍ଚଳର ଗୁରୁତ୍ବ ଆଗକୁ ନିଶ୍ଚୟ ବଢ଼ିବ।

India Rail Info

ବାଲେଶ୍ବରରେ ରେଳ ଡିଭିଜନ ପ୍ରତିଷ୍ଠା ହେଲେ ଖଣିଜ ସଂପଦରେ ଭରପୂର ମୟୂରଭଂଜର ବିକାଶ ତ୍ବରାନ୍ବିତ ହେବା ସହ ଭଦ୍ରକର ଧାମରା ଓ ବାଲେଶ୍ବରର ସୁବର୍ଣ୍ଣରେଖା ବନ୍ଦର ପାଇଁ ଅଧିକ ସହାୟକ ହୋଇପାରିବ। ସେହିପରି ପର୍ଯ୍ୟଟନର ବିକାଶ ଦୃଷ୍ଟିରୁ ନୀଳଗିରିରୁ ମୟୁରଭଞ୍ଜ ଓ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ଯାଏ ଏବଂ ଏହି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠଗୁଡ଼ିକୁ ସଂଯୁକ୍ତ କରି ରେଳଲାଇନ ନିର୍ମାଣ ପ୍ରସଙ୍ଗ ମଧ୍ୟ କେବଳ ପ୍ରସ୍ତାବରେ ହିଁ ସୀମିତ ରହିଛି। ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳୁଥିବା ବେଳେ ତାହା କେବେ ପୂରଣ ହେବ ତାକୁ ଜିଲ୍ଲାବାସୀ ଚାତକ ପରି ଚାହିଁ ବସିଛନ୍ତି। ଅନୁରୂପ ଭାବେ ରୁପ୍ସା-ବାଙ୍ଗିରିପୋଷି ରେଳଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ ନେଇ ବାରମ୍ବାର ଆଲୋଚନା ହୋଇଛି। ଏହି ରେଳଲାଇନ ନିର୍ମାଣ ହେଲେ ଜାମସେଦପୁରକୁ ଦୂରତା କମିବା ସହିତ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇପାରନ୍ତା।
ତେଣୁ ମଙ୍ଗଳବାର ରେଳ ବଜେଟ ଆସୁଥିବାରୁ ସେ ନେଇ ଉତ୍ତର ଓଡ଼ିଶାବାସୀ ବେଶ୍‌ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର