ବାତ୍ୟା ଅମ୍ଫାନକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି 

ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫାନକୁ ନେଇ ଆଜି ସକାଳେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ।

ମୁଖ୍ୟତଃ କୃଷି ଓ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା ହୋଇଥିବା ବେଳେ ବାତ୍ୟାର ମୁକାବିଲା ଓ ବାତ୍ୟା ପରର ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିଲା। ତେବେ ଆଜିର ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ତଳିଆ ଅଞ୍ଚଳ କିମ୍ବା ତଟବର୍ତ୍ତୀ ଅଞ୍ଚଳରେ କଚ୍ଚାଘରେ ରହିଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଘର ପରିବର୍ତ୍ତେ ମେଡିକାଲ ଆଣିବା ବ୍ୟବସ୍ଥା ଆରମ୍ଭ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅନ୍ୟପଟରେ ଗତକାଲି ୨ଟି ଏନଡିଆରଏଫ ଟିମ ଅତିରିକ୍ତ ଭାବରେ ପହଞ୍ଚିଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିସହିତ ଓଡ୍ରାଫ ଟିମକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ଅଗ୍ନିଶମ ବିଭାଗର ସମ୍ବଲପୁର ଓ ବ୍ରହ୍ମପୁରରୁ ୧୫ଟି ଟିମ ପହଞ୍ଚିବା ପରେ ସେମାନଙ୍କୁ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନକୁ ପଠାଯାଇଛି। ବାଲେଶ୍ୱରର ୫ଟି ବ୍ଲକର ୧୩୬ଟି ପଞ୍ଚାୟତରେ ୨ଲକ୍ଷ ୯୦ହଜାରରୁ ଅଧିକ ଲୋକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିବା ପାଇଁ ତତ୍ପର ହୋଇଉଠିଛି।

ତେବେ ଆଜିର ସ୍ଥିତି ଦେଖି ସମସ୍ତଙ୍କୁ ସ୍ଥାନାନ୍ତରିତ କରାଯିବା ନେଇ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଏଥିପାଇଁ ୫୮୭ଟି ବିଦ୍ୟାଳୟ ଗୃହ ଓ ପକ୍କ୍କାଘର ମଧ୍ୟ ଚିହ୍ନଟ କରାଯାଇଛି ।

ସମ୍ବନ୍ଧିତ ଖବର