କାମରେ ଲାଗିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ଓ ଗରିବ ଲୋକ

ବାଲେଶ୍ବର: କରୋନା ମହାମାରୀ ସମଗ୍ର ଦେଶ ତଥା ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ରୋଜଗାର ଆଶାରେ ଯେଉଁମାନେ ବାହାର ରାଜ୍ୟକୁ ଯାଇଥିଲେ କିମ୍ବା ନିଜ ଗାଁରେ ଥିଲେ, ଲକଡାଉନ କଟକଣା ଯୋଗୁଁ ପରିବାର ଚଳାଇବା ଚିନ୍ତାରେ ହାତବାନ୍ଧି ଘ‌େର ବସିଥିଲେ। ଏହି ପରିପ୍ରେକ୍ଷୀରେ ସରକାର ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ବାରା ପ୍ରତି ଗାଁକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଗରିବ ଚାଷୀମୁଲିଆଙ୍କ ହାତକୁ କାମ ଯୋଗାଇ ଦିଆଯାଉଛି।

ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ୍‌ଏନ୍‌ଆରଇଜିଏ ଦ୍ବାରା ‌ଜିଲ୍ଲାର ପ୍ରତି ପଞ୍ଚାୟତରେ ରାସ୍ତାଘାଟ ନିର୍ମାଣ, ପୋଖରୀ ଓ ନାଳ ଖନନ ସହ ମରାମତି କାମ ଆରମ୍ଭ ହୋଇଥିବା ବେଳେ ସେଥିରେ ପ୍ରବାସୀ ଓଡ଼ିଆ ଓ ଗରିବ ଚାଷୀମୁଲିଆ ଶ୍ରେଣୀର ଲୋକମାନଙ୍କୁ ନିୟୋଜିତ କରାଯାଇଛି। ଖଇରା ବ୍ଲକ ଅଚ୍ୟୁତିପୁର ପଞ୍ଚାୟତରେ ଶତାଧିକ ଶ୍ରମିକ ସାମାଜିକ ଦୂରତ‌ା ରକ୍ଷା କରିବା ସହିତ ମାସ୍କ ଲଗାଇ ଖୁବ ଉତ୍ସାହ ସହକାରେ  କାମ କରୁଥିବା ଦେଖିବାକୁ ମିଳିଥିଲା। ବାହାର ରାଜ୍ୟରୁ ପଞ୍ଚାୟତକୁ ଫେରିବାକୁ ଥିବା ପ୍ରବାସୀମାନଙ୍କ ପାଇଁ ୬ଟି ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା। ବେଙ୍ଗାଲୁରୁ, ବମ୍ବେ, ଦିଲ୍ଲୀ, କଲିକତା, ହାଇଦ୍ରାବାଦ ଭଳି ସହରରୁ ପ୍ରାୟ ୧୫୪ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିବା ପରେ ସେମାନଙ୍କୁ ୧୪ଦିନ ଲେଖାଏଁ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେଠାରୁ ବାହାରିବା ପରେ ସେମାନଙ୍କୁ ଏହି ସବୁ କାମରେ ନିୟୋଜିତ କରିବା ସହ ରୋଜଗାର ଯୋଗାଇ ଦିଆଯାଉଥିବା ସରପଞ୍ଚ ମାୟାଧର ଦାସ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଏହି ପଞ୍ଚାୟତର ଗଞ୍ଜ, ନନ୍ଦପୁର, ଓହଡ ଓ ଶିରିପୁର ଗ୍ରାମରେ ୪ଟି ରାସ୍ତାର ନିର୍ମାଣ କାମ ଚାଲିଥିବା ବେଳେ ଏଥିପାଇଁ ୧୯ ଲକ୍ଷ ଖର୍ଚ୍ଚ କରାଯାଉଛି। ପ୍ରତିଦିନ ୧୨୫ ଲୋକଙ୍କୁ ଏହି କାମରେ ନିୟୋଜନ କରାଯାଉଛି। ସେଥିରୁ ୯୮ ଜଣ ବାହାରୁ ଫେରିଥିବା ପ୍ରବାସୀ ଓଡ଼ିଆ ଥିବା ସରପଞ୍ଚ ଶ୍ରୀ ଦାସ କହିଛନ୍ତି। ତେବେ ୨୨ଦିନ ଧରି ଏହି କାମ ଜାରି ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ପ୍ରକଳ୍ପ କାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ସରପଞ୍ଚ ଶ୍ରୀ ଦାସ ନିଜେ ଉପସ୍ଥିତ ରହି ଏହି କାମ ପରିଚାଳନା କରୁଥିବା ବେଳେ ଖଇରା ବ୍ଲକ ଉନ୍ନୟନ ଅଧିକାରୀ ଦେବପ୍ରସାଦ ବଳ ସେଠାକୁ ଗସ୍ତ କରି କାମର ତଦାରଖ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର