ବାଲେଶ୍ବର: ଓଡ଼ିଶାର ୬୧ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ବର ସହରରେ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ୪ଜଣ ଅଧିକାରୀଙ୍କୁ ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ କରାଯାଇଛି। ଏମାନଙ୍କ ଭିତରୁ ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଣୟ ଜେନାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିମଳ ବ୍ୟବସ୍ଥାର ଦାୟିତ୍ବରେ ଦିଆଯାଇଛି।
ଠିକ୍ ସେହିପରି ସଦର ତହସିଲଦାର ପଞ୍ଚାନନ ପାତ୍ର ଆଇନଶୃଙ୍ଖଳା ବ୍ୟବସ୍ଥାର ଦାୟିତ୍ବରେ ରହିବେ। ଅପରପକ୍ଷରେ ପ୍ରାଥମିକ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ଅର୍ନ୍ତଯ୍ୟାମୀ ମିଶ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ବରେ ରହିବେ। ଉପ ଜିଲ୍ଲାପାଳ ନୀଲୁ ମହାପାତ୍ର ଉପରୋକ୍ତ ତିନି ଅଧିକାରୀଙ୍କ କାର୍ଯ୍ୟର ତଦାରଖ କରିବେ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବୈଠକରେ କରୋନା ଆକ୍ରାନ୍ତଙ୍କ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହାସହିତ ସେହି ଅଞ୍ଚଳ ସହ ୩ଟି ୱାର୍ଡ ଯଥାକ୍ରମେ ୧୮, ୨୮ ଓ ୨୯କୁ ସଂଯୋଗ କରୁଥିବା ୯ଟି ପଏଣ୍ଟରେ ସିଲ୍ କରାଯାଇଛି।
ପ୍ରତ୍ୟେକ ରାସ୍ତା ଆରମ୍ଭରେ ପୁଲିସ ମୁତୟନ ହୋଇଛନ୍ତି। କେବଳ ଅଥରାଇଜଡ଼ ପର୍ସନଙ୍କ ବ୍ୟତୀତ ଏହି ସାହିକୁ କୌଣସି ବ୍ୟକ୍ତି ପ୍ରବେଶ କରିବା କିମ୍ବା ସାହିରୁ କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଚିହ୍ନଟ କରାଯିବ। ଆବଶ୍ୟକତା ଅନୁସାରେ କଣ୍ଟେନମେଣ୍ଟ ଜୋନର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।
ଆଜି ସକାଳେ ସେ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୁଦ୍ଧିକରଣ କରାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନରେ ଆସୁଥିବା ପ୍ରାୟ ୪୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଉପଜିଲ୍ଲାପାଳ ନୀଲୁ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bls3.jpg)