ବାଲେଶ୍ବର: କରୋନା ମୁକାବିଲା ପାଇଁ ଆଜି ବାଲେଶ୍ବର ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଜ୍ୟୋତି ହସ୍ପିଟାଲ୍ ଦ୍ବାରା ପରିଚାଳିତ ଏହି କୋଭିଡ୍-୧୯ ହସ୍ପିଟାଲକୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଅନୁଦାନ ଦେଇଛି । ଏହି ହସ୍ପିଟାଲରେ ୧୦୦ଟି ବେଡ୍ ସହ ୨୦ଟି ଭେଣ୍ଟିଲେଟର ଥିବା ଆଇସିୟୁ ରହିଛି। ଏହାଛଡ଼ା ୮ଟି ଏଚଡିୟୁ ବେଡ୍ ରହିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ବାମପଦାସ୍ଥିତ ନୋସି ବିଜନେସ ପାର୍କ ଓ ଜ୍ୟୋତି ହସ୍ପିଟାଲକୁ ବଛାଯାଇଥିଲା। ଇତିମଧ୍ୟରେ ନୋସିକୁ ଆମ୍ରି ହସ୍ପିଟାଲର ଏକ ଟିମ୍ ବୁଲି ଯାଇଛନ୍ତି। ହେଲେ ନୋସିରେ କୋଭିଡ୍-୧୯ ହସ୍ପିଟାଲ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ ନଥିବାରୁ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାରକୁ ନିଆଯିବ ବୋଲି କୁହାଯାଇଛି। ତେବେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ଜ୍ୟୋତି ହସ୍ପିଟାଲ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା।