ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ୧୫ କରୋନା ଆକ୍ରାନ୍ତ ଭୋଗରାଇ ଅଞ୍ଚଳର, ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ

ବାଲେଶ୍ଵର: ଆଜି ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ତଥ୍ୟ ମିଳିଛି। ଏମାନେ ସମସ୍ତେ ଭୋଗରାଇ ଅଞ୍ଚଳର ଏବଂ ସେମାନେ ଏକାଧିକ  ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ନେଇ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ୧୫ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇବାର ବନ୍ଦୋବସ୍ତ କରୁଛନ୍ତି।

ପୂର୍ବରୁ ଜଣେ ବୃଦ୍ଧଙ୍କ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସି ଏହି ୧୫ଜଣ  ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର