ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ  ପ୍ରସଙ୍ଗରେ କଂଗ୍ରେସ ଓ ସମଭାବାପନ୍ନ ଧର୍ମନିରପେକ୍ଷ ବାମପନ୍ଥୀ ଦଳଗୁଡିକ ଏକାଠି ହୋଇ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଆସନ୍ତା ୧୮ ତାରିଖ ଲୋକସେବା ଭବନରେ ଗଣ ବିକ୍ଷୋଭ କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ସାଂପ୍ରଦାୟିକ ବିଜେପିର ନେତୃବୃନ୍ଦ ଓ ଏହାର ଛାମୁଆ ସଂଗଠନ ଏବିଭିପିର କାର୍ଯ୍ୟକର୍ତ୍ତା ଏହି ଲୋମହର୍ଷଣକାରୀ ଘଟଣାରେ କାଠଗଡାକୁ ଟଣାହୋଇଆସିଛନ୍ତି। 

ଘଟଣାର ନ୍ୟାୟିକ ତଦନ୍ତ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସୋମବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ବୈଠକରେ ଚେତାବନୀ ଦିଆଯାଇଛି। ଆଗକୁ କଲେଜ ନିର୍ବାଚନ ଥିବାରୁ କ୍ୟାମ୍ପସମାନଙ୍କରେ ହେଲ୍ପଡେସ୍କ ନାମରେ ଅଣଛାତ୍ରମାନେ ପଶି ନୂଆପିଲାଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଓ ସେଥିରେ କଲେଜ କର୍ତ୍ତୃପକ୍ଷ ସହଯୋଗ କରୁଛନ୍ତି। ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସଂଗଠିତ ଗଣଦୁଷ୍କର୍ମ ଘଟଣା ସମେତ ନିକଟ ଅତୀତରେ ଗୋପାଳପୁର ପରି ଏକାଧିକ ଅନୁରୂପ କାଣ୍ଡ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

ଗତ କିଛିଦିନ ମଧ୍ୟରେ ରାଜ୍ୟରେ ଘଟିଥିବା ୧୦ଟି ଅଭାବନୀୟ ଘଟଣା ଯୋଗୁଁ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ହରାଇଛନ୍ତି। କିଟ୍ ଛାତ୍ରୀ ଆତ୍ମହତ୍ୟା, ନୀଳଗିରୀ ବିଧାୟକଙ୍କ ଅଶାଳୀନ କାର୍ଯ୍ୟକଳାପ, ଶିମିଳିପାଳରେ ଆଦିବାସୀଙ୍କ ଉପରେ ନିର୍ଯାତନା, ଗୋପାଳପୁର ଓ ଧରାକୋଟ ଘଟଣା, ବିଏମସିରେ ବର୍ବରତା, ରଥଯାତ୍ରାରେ ଅଘଟଣ ଓ ବାଂଲାଦେଶୀ ଆରୋପ କରି ଅତ୍ୟାଚାର ପରି କ୍ରମାଗତ ଅଭାବନୀୟ ଘଟଣା ସରକାରଙ୍କ ଚରମ ବିଫଳତା ବୋଲି କୁହାଯାଇଥିଲା।

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ରାଜ୍ୟବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ, ଗଣଧାରଣା, ଏପରିକି ରାଜଭବନ ଆଗରେ ଧାରଣା ଦିଆଯିବାକୁ ନିଷ୍ପତ୍ତି ସପକ୍ଷରେ ବୈଠକରେ ସହମତି ହୋଇଥିଲା। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିରୋଧରେ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ବାଲେଶ୍ବର ଘଟଣା ପ୍ରସଙ୍ଗରେ ହେବାକୁ ଥିବା ଏହି ଆନ୍ଦୋଳନର ନେତୃତ୍ବ ମୁଖ୍ୟ ଦଳ କଂଗ୍ରେସ ନେବା ସପକ୍ଷରେ ନିମ୍ନମତେ ମତପ୍ରକାଶ ପାଇଥିଲା:-

୧) ଘଟଣା ର ନ୍ୟାୟିକ ତଦନ୍ତ  କରାଯାଉ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।

୨) ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ।

୩) ଅଭିଯୁକ୍ତ ଅଧ୍ୟାପକଙ୍କ ପରି କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ।

ସୋମବାର ଅପରାହ୍ନରେ କଂଗ୍ରେସ ଭବନ ରେ ଅନୁଷ୍ଠିତ ଏହି ମିଳିତ ବୈଠକରେ କଂଗ୍ରେସ ଦଳ ତରଫରୁ  ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚଂଦ୍ର କାଡାମ୍, ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ,ସିପିଆଇ ତରଫରୁ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ସିପିଆଇ(ଏମ୍) ତରଫରୁ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ଦାଶ, ଯମେଶ୍ୱର ସାମନ୍ତରା, ସିପି ଆଇ(ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

BJP | BJD | congress