ଭୁବନେଶ୍ବର: ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍‌ ଡେଥ୍‌) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବିନୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି। ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି। ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ତାଙ୍କର ଶ୍ବାସନଳୀ, ହୃତ୍‌ପିଣ୍ଡ, ବୃକକ୍‌ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ଶେଷରେ ଆଜି ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଶୋକ, 

ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଖବର ଶୁଣି ମୁଁ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ବ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ନିମନ୍ତେ ଶକ୍ତି ପ୍ରଦାନ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଯିବ। ଏଥି ପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି। ମୃତକଙ୍କ ପରିବାର ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଚିକିତ୍ସାଧୀନ ଛାତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ: ସରକାର

ଏମ୍‌ସରେ ଛକାପଞ୍ଝା: ଆମ୍ବୁଲାନ୍ସ ଆଗରେ ଶୋଇପଡ଼ିଲେ ବିଜେଡି କର୍ମୀ, ପୁଲିସ ସହ ଧସ୍ତାଧସ୍ତି, ଧାରଣା ଦେଲେ କଂଗ୍ରେସ କର୍ମକର୍ତ୍ତା

fshsfhfshfsxb

ଭୁବନେଶ୍ବର: ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ରାତିଅଧରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା, ହାଇଡ୍ରାମା ଦେଖିବାକୁ ମିଳିଥିଲା। ଆମ୍ବୁଲାନ୍ସରେ ମୃତଦେହ ହସ୍ପିଟାଲରୁ ପୋଷ୍ଟମର୍ଟମ୍‌ ରୁମ୍‌କୁ ନେଲା ବେଳେ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ବାଟ ଓଗାଳିଥିଲେ। ଲୁଚାଛପା ଭାବେ ମୃତଦେହ ବାହାରକୁ ନେବା ପାଇଁ ଷଡ୍‌ଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। 

fshffsxvbvb

ରାତି ପ୍ରାୟ ୧୨ଟା ୩୦ରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଚିକିତ୍ସକ ଦଳ। କୌଣସି ଅଘଟଣ ଆଶଙ୍କାରେ ସଙ୍ଗେ ସଙ୍ଗେ ଏମ୍‌ସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ। ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ୧୨ଟା ୪୫ ବେଳକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ଆକାଶ ଦାସନାୟକ, ଈରାଶିଷ ଆଚାର୍ଯ୍ୟ, ବାବୁ ସିଂହ, ଅମର ନାୟକଙ୍କ ସମେତ ଶାସକ ଦଳର ବହୁ ନେତା ଏମ୍‌ସରେ ପହଞ୍ଚିଥିଲେ। ସେମାନେ ଭିତରକୁ ଯାଇ ଏମ୍‌ସର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଖବର ପାଇ ବିଜେଡିର ବହୁ ‌ଯୁବ ଓ ଛାତ୍ର ନେତା ଏମ୍‌ସ ପରିସରରେ ପହଞ୍ଚିଥିଲେ। ସରକାର ଲୁଚାଣିଆ ଭାବେ ଶବ ସଂସ୍କାର କରିବାକୁ ଷଡ୍‌ଯନ୍ତ୍ର କରୁଛନ୍ତି  ବୋଲି ଆରୋପ ଲଗାଇ ପ୍ରତିବାଦ ଆରମ୍ଭ କରିଦେଇଥିଲେ। ଏମ୍‌ସ ଭିତରେ ଶାସକ ଦଳର ନେତା ଓ କର୍ମୀ କାହିଁକି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଧୀରେ ଧୀରେ ବିଜେଡିର ନେତା ଓ କର୍ମୀଙ୍କ ସଂଖ୍ୟା ବଢ଼ିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିଲା। ରାତି ପ୍ରାୟ ୧ଟା ୩୦ରେ ପୋଷ୍ଟମର୍ଟମ୍‌ ରୁମ୍‌କୁ ନେବା ପାଇଁ ପଛ ଦ୍ବାରରେ ଆମ୍ବୁଲାନ୍ସରେ ମୃତଦେହ ରଖାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ବାହାରିଲା ବେଳେ ବିଜେଡି କର୍ମକର୍ତ୍ତାମାନେ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ। ପୁଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ଠେଲାପେଲା ଆରମ୍ଭ ହୋଇଥିଲା। ପ୍ରାୟ ୧୦ ମିନିଟ୍‌ ଧସ୍ତାଧସ୍ତି ପରେ ଆମ୍ବୁଲାନ୍ସ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ପୋଷ୍ଟମର୍ଟମ୍ ରୁମ୍‌ ପାଖକୁ ଯାଇଥିଲା।  ରାତି ପ୍ରାୟ ୧ଟା ୪୫ ବେଳକୁ କଂଗ୍ରେସର ଯୁବ ଓ ଛାତ୍ର ନେତାମାନେ ଏମ୍‌ସରେ ପହଞ୍ଚିଥିଲେ। ସେମାନେ ମଧ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଏହା ପରେ ଉଭୟ ବିଜେଡି ଓ କଂଗ୍ରେସ କର୍ମକର୍ତ୍ତାମାନେ ପୋଷ୍ଟମର୍ଟମ୍‌ ରୁମ୍‌ ସାମନାରେ ଧାରଣା ଦେଇଥିଲେ। ଭିତରେ ପୋଷ୍ଟମର୍ଟମ୍‌ ଚାଲିଥିଲା ବେଳେ ବାହାରେ ବିରୋଧୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।