କଟକ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଦ୍ବାରା ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପୀଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶେଷରେ ଛାତ୍ରୀଙ୍କ ଜୀବନ ଯାଇଥିଲା। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯିବା ଆବଶ୍ୟକ। ହାଇକୋର୍ଟଙ୍କ ତତ୍ତ୍ବାବଧାନ‌ରେ ଏସ୍‌ଆଇଟି ତଦନ୍ତ ହେଲେ ସତ ପଦାକୁ ଆସିବ। ଅଧ୍ୟାପକ, ମହାବିଦ୍ୟାଳୟ ପ୍ରଶାସନ, ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ରହିଥିବା ୨୦୧୫ର ନିୟମାବଳୀ ପାଳନ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରାଯିବା 

Advertisment

ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଶିଶୁ ଓ ମହିଳା ଶାଖା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଉ। ୟୁଜିସି ପକ୍ଷରୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ତଲବ କରାଯିବା ସହିତ ଅନୁଷ୍ଠାନର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୟୁଜିସି ନିୟମାବଳୀ, ୨୦୧୫ ଅନୁସାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଆବେଦନକାରୀ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ବନ୍ଦ ଡାକରା ଦିଆଯାଉଛି। ଏହା ଦ୍ବାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ, ମହିଳା କମିସନ, ୟୁଜିସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା  ଆରମ୍ଭ କରିଛନ୍ତି। ରାଜ୍ୟ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏଭଳି ସ୍ଥିତିରେ ଆଇନଗତ ପଦକ୍ଷେପ ନ ନେଇ ବନ୍ଦ ଡାକରା ଦିଆଯିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏସ୍‌ସିବିରେ ଜ୍ୟୋତିପ୍ରକାଶଙ୍କୁ ୩ ଘଣ୍ଟା ପଚରାଉଚରା
ବାଲେଶ୍ବରରେ ବି ତନାଘନା

କଟକ/ବାଲେଶ୍ବର: ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଦେବା ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଭେଟିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। କ୍ରାଇମ୍‌ବ୍ରାଞ୍ଚର ଦୁଇଜଣିଆ ଟିମ୍ କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ଜ୍ୟୋତିପ୍ରକାଶଙ୍କୁ ସେଦିନର ଘଟଣା ସମ୍ପର୍କରେ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛନ୍ତି।  ଆଜି ଦିନ ପ୍ରାୟ ଗୋଟିଏ ବେଳେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣିଆ ଟିମ୍ କଟକ ବଡ଼ଡାକ୍ତରଖାନାରେ ପହଞ୍ଚିଥିଲା। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ବର୍ଣ୍ଣ ଆଇସିୟୁର ବେଡ୍ ନଂ ୯ରେ ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଲେ, ସେ ସଂପର୍କରେ ପଚାରିଥିଲେ। ଏହା ସହିତ ଜ୍ୟୋତିପ୍ରକାଶଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି। ଅପରାହ୍‌ଣ ପ୍ରାୟ ୪ଟା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ବଡ଼ଡାକ୍ତରଖାନାରୁ ଫେରିଥିଲା। ଜ୍ୟୋତିପ୍ରକାଶଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।

ସେହିପରି ଆଜି କ୍ରାଇମ୍‌ବ୍ରାଞ୍ଚର ଏକ ତିନିଜଣିଆ ଟିମ୍‌ ବାଲେଶ୍ବର ଫକୀରମୋହନ କଲେଜକୁ ଯାଇଥିଲା। ଟିମ୍‌ରେ ଆଇଜି ଏସ୍‌. ସାଇନି, ଡିଏସ୍‌ପି ଇମନ କଲ୍ୟାଣ ନାୟକ, ଇନ୍‌ସ୍ପେକ୍ଟର ପାଞ୍ଚାଳୀ ରାଉତ ଓ ଜଣେ କନେଷ୍ଟବଳ ରହିଥିଲେ। ବାଲେଶ୍ବର ଡିଏସ୍‌ପି ତପସ୍ବିନୀ କୁଅଁର ଓ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କଲେଜର କର୍ମଚାରୀ ଓ ଆଇସିସି କମିଟିର ସଦସ୍ୟଙ୍କୁ ୫ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପଚରାଉଚରା କରିବା ସହ ଘଟଣାସ୍ଥଳ ତଦାରଖ କରିଥିଲେ। ତେବେ କେହି ଗଣମାଧ୍ୟମକୁ ଅଧିକ କିଛି ସୂଚନା ଦେଇ ନଥିଲେ। ଡିଏସ୍‌ପି ଶ୍ରୀମତୀ କୁଅଁର କହିଥିଲେ, ମାମଲାଟି ସମ୍ବେଦନଶୀଳ। ତେଣୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି।