ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମଦାହ ମାମଲାରେ ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧରେ ୫୦୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ୧୨୦ ଜଣ ସାକ୍ଷୀଙ୍କ ନାମ ମଧ୍ୟ ରହିଛି। ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସ୍ପି ଇମନ୍ କଲ୍ୟାଣ ନାୟକ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହିତ ଆଜି ସନ୍ଧ୍ୟାରେ ବାଲେଶ୍ବର ଆସି ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ଠିକ୍ ୬୦ ଦିନରେ ୨ ଅଭିଯୁକ୍ତ ଏଫ୍ଏମ୍ କଲେଜ ବିଏଡ୍ ବିଭାଗର ତତ୍କାଳୀନ ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁ ଏବଂ ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଉକ୍ତ କଲେଜର ପୂର୍ବତନ ଛାତ୍ର ଶୁଭ୍ରସମ୍ବିତ ନାୟକ ଏବଂ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ବିରୋଧରେ ଆଜି ଚାର୍ଜସିଟ୍ ଦାଖଲ ହୋଇ ନଥିବା ଜଣାପଡ଼ିଛି।
ତଦନ୍ତ ଠିକ୍ ଭାବେ ହୋଇ ନଥିବା ଅଭିଯୋଗ କଲେ ଓକିଲ
ଅପରପକ୍ଷରେ କ୍ରାଇମ୍ବ୍ରାଞ୍ଚ ତରବରିଆ ଭାବେ ଚାର୍ଜସିଟ୍ ଦାଖଲ କରିଥିବା ଏବଂ ତଦନ୍ତ ଠିକ୍ ଭାବେ ହୋଇନଥିବା ଅଭିଯୋଗ କରି ତତ୍କାଳୀନ ଅଧ୍ୟକ୍ଷ ଶ୍ରୀ ଘୋଷଙ୍କ ଓକିଲ ଗୁରୁପ୍ରସାଦ ବେହେରା ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି, ଚାର୍ଜସିଟ୍ ଦାଖଲ ହୋଇସାରିବା ପରେ ମଧ୍ୟ ତଦନ୍ତ ପାଇଁ ସମୟ ରହିଛି, କ୍ରାଇମ୍ବ୍ରାଞ୍ଚ ଆହୁରି ପ୍ରମାଣ ଯୋଗାଡ଼ କରିବ ବୋଲି ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ଏପରିକି ମୃତ ଛାତ୍ରୀ ଓ ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ମଧ୍ୟରେ ହୋଇଥିବାର କଥାବାର୍ତ୍ତାର କଲ୍ ରେକର୍ଡିଂ ଲାବୋରେଟୋରିକୁ ଆଜି ପଠାଇବା ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ କୋର୍ଟକୁ ନିବେଦନ କରିଛି। ତେଣୁ ତରବରିଆ ଭାବେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଏଥିରୁ ଜଣାପଡ଼ୁଛି ବୋଲି ଓକିଲ ଶ୍ରୀ ବେହେରା କହିଛନ୍ତି। ଗତ ଜୁଲାଇ ୧୨ରେ ପୀଡ଼ିତା ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟ ପାଇବାର ଆଶା ହରାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିଥିଲେ। ସଂପୃକ୍ତ ଛାତ୍ରୀଙ୍କୁ ବିଏଡ୍ ଏଚ୍ଓଡି ସମୀର ସାହୁ ନିର୍ଯାତନା ଦେଉଥିବା ଅଭିଯୋଗ ରହିଥିଲା। ଆତ୍ମଦାହ ଦିନ ହିଁ ସମୀରଙ୍କୁ ଗିରଫ କରାଯାଇଥିବା ବେଳେ ଜୁଲାଇ ୧୪ରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଥିଲା। ଅଗଷ୍ଟ ୩ରେ ଅଭିଯୁକ୍ତ ଶୁଭ୍ରସମ୍ବିତ, ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।