ଭୁବନେଶ୍ୱର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡି ଆନ୍ଦୋଳନକୁ ଜୋର୍ଦାର କରିଛି। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦଳ ଆଜି ଲୋକସେବା ଭବନ ଘେରାଉ କରିବା ସମୟରେ ଲୋୟର ପିଏମ୍ଜି ରଣକ୍ଷେତ୍ର ପାଲଟିଥିଲା। ପୁଲିସ-ବିଜେଡି ନେତାମାନେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ବିଜେଡି କର୍ମୀଙ୍କ ଉପରକୁ ପୁଲିସ ପାଣି ସହ ଲୁହବୁହା ଗ୍ୟାସ୍, ରବର ବୁଲେଟ୍ ମାଡ଼ କରିଥିଲା। ଯେଉଁଥିରେ ବିଜେଡି ନେତା ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇ, ସାଂସଦ ସୁଲତା ଦେଓ ଆହତ ହୋଇଛନ୍ତି। ତିନିଜଣ ଯାକ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଛବି ମାହାଲି, ନୀଳମାଧବ ମହାନ୍ତି, ସଙ୍କେତ ରାୟଙ୍କ ସମେତ ଶତାଧିକ ବିଜେଡି କର୍ମୀ ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଆନ୍ଦୋଳନ ସମୟରେ ପାଞ୍ଚ ଜଣ ପୁଲିସ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଖବର ସଂଗ୍ରହ କରୁଥିଲା ବେଳେ ଦୁଇ ଜଣ ସାମ୍ବାଦିକ ବି ଆହତ ହୋଇଛନ୍ତି। ବିଜେଡିର ଲୋକସେବା ଭବନ ଘେରାଉ ଡାକରା ପରେ ଆଜି ହଜାର ହଜାର କର୍ମୀ ସକାଳ ୯ଟା ବେଳକୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇଥିଲେ। ସାରା ରାଜ୍ୟରୁ ବିଜେଡି କର୍ମୀମାନେ ବସ୍, ଟ୍ରେନ୍, କାର୍ ଯୋଗେ ପହଞ୍ଚିବା ପରେ ପୂର୍ବାହ୍ନରେ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବରିଷ୍ଠ ନେତାମାନଙ୍କ ନେତୃତ୍ବରେ କର୍ମୀମାନେ ଆଗକୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇବାକୁ ପୁଲିସ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଥିଲା। ପୂର୍ବରୁ ତିନିଟି ବାରିକେଡ୍ କରୁଥିବା ପୁଲିସ ଆଜି ୫ଟି ବାରିକେଡ୍ କରି ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। ତେବେ ସେମାନେ ପ୍ରଥମ ବାରିକେଡ୍ ଭାଙ୍ଗି ଦେଇଥିଲେ। ଦ୍ବିତୀୟ ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ବିନା ସୂଚନାରେ ପୁଲିସ ପକ୍ଷରୁ ପାଣି ମାଡ଼ ଆରମ୍ଭ ହୋଇଥିଲା। ପରେ ପରେ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ପ୍ରୟୋଗ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ପକ୍ଷରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯାଇ ନ ଥିବା ବେଳେ ପୁଲିସର ହଠାତ୍ ପାଣି ଓ ଗ୍ୟାସ୍ ମାଡ଼କୁ କେହି ବୁଝି ପାରି ନ ଥିଲେ। ଯେଉଁଥିରେ ବିଜେଡି ନେତା ଓ କର୍ମୀମାନେ ଆହତ ହୋଇଥିଲେ। ପୁଲିସ ବରିଷ୍ଠ ନେତା ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କୁ ଉଠାଇ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ପାଖାପାଖି ଏକ ଘଣ୍ଟା ଛକାପଞ୍ଝା ପରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ।
ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ, ଛାତ୍ରୀ ଆତ୍ମାହୁତି ଘଟଣା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ସରକାର ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହେଲେ। ସରକାର ଭୟଭୀତ ହୋଇ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କଲେ। ସରକାର କାହାକୁ ସୁରକ୍ଷା ଦେବାକୁ ଓ କ’ଣ ଲୁଚାଇବାକୁ ଚାହୁଛନ୍ତି? ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ତଦନ୍ତକୁ ସ୍ବଚ୍ଛ ରଖିବାକୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ପୀଡ଼ିତା ଛାତ୍ରୀଙ୍କୁ ଦୁଇ କୋଟି ଟଙ୍କା ଦେବାକୁ ଶ୍ରୀ ସାହୁ ଦାବି କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି। ବିଜେଡି ସଭାପତିଙ୍କ ଆହ୍ବାନ କ୍ରମେ ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ବିଧାୟକ, ମେୟର, କର୍ପୋରେଟର, ଯୁବ, ଛାତ୍ର, ମହିଳା, ସଂଖ୍ୟାଲଘୁ, ଏସ୍ସି ସେଲ, ଏସ୍ଟି ସେଲ, କୃଷକ ସେଲ୍ ସମେତ ସାଧାରଣ ଜନତା ବିକ୍ଷୋଭରେ ସାମିଲ ହୋଇଥିଲେ।
ଲୋକସେବା ଭବନ ଘେରାଉ ସମୟରେ ସଂଗଠିତ ଆକ୍ରମଣକୁ ବିଜେଡି ନିନ୍ଦା କରିଛି। ଅପରାହ୍ଣରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି ଯେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ ପୁଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି। ଏହାଦ୍ୱାରା ରାଜ୍ୟର ନାରୀମାନଙ୍କ ସମ୍ମାନ ଓ ସୁରକ୍ଷାର ସ୍ବରକୁ ପୁଲିସ ଚାପି ଦେଇପାରିବ ନାହିଁ।
ପାଣି, ଲୁହବୁହା ଗ୍ୟାସ୍, ରବର ବୁଲେଟ୍ ମାଡ଼
ବବି, ଡାନି, ସୁଲତା ମେଡିକାଲରେ
ଶତାଧିକ ବିଜେଡି ନେତା ଓ କର୍ମୀ ଆହତ
ପୁଲିସ କର୍ମଚାରୀ ବି ଜଖମ
ବବି, ଡାନି, ସୁଲତା ମେଡିକାଲରେ
ଶତାଧିକ ବିଜେଡି ନେତା ଓ କର୍ମୀ ଆହତ
ପୁଲିସ କର୍ମଚାରୀ ବି ଜଖମ
/filters:format(webp)/sambad/media/media_files/2025/07/17/fhhxbbxvbxb-2025-07-17-01-39-49.jpg)
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ
ଭୁବନେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁକୁ ନେଇ ତାତିଛି ଯୁବ କଂଗ୍ରେସ। ‘ଓଡ଼ିଶା ବନ୍ଦ’ର ଗୋଟିଏ ଦିନ ପୂର୍ବରୁ ସଙ୍ଗଠନର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଭୁବନେଶ୍ୱର କ୍ଲବ୍ଠାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବାହାରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ସଦସ୍ୟମାନେ ଆଗକୁ ବଢ଼ିବା ସମୟରେ ପୁଲିସ ସେମାନଙ୍କୁ ଅଧା ବାଟରେ ଅଟକାଇଥିଲା। ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିବାରୁ ଯୁବ କଂଗ୍ରେସର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ। ପରେ ବାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବା ଲାଗି ଉଦ୍ୟମ କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ଏବଂ ଆନ୍ଦୋଳନକାରୀଙ୍କୁ ଗିରଫ କରି ନିଆଯାଇଥିଲା।
ସଭାପତି ଶ୍ରୀ ପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବେ ଯେଭଳି ତତ୍ପରତା ଦେଖାଉଛନ୍ତି ତାହା ଯଦି ପୂର୍ବରୁ କରିଥାନ୍ତେ ତେବେ ଛାତ୍ରୀଜଣକ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ନ ଥାନ୍ତେ। ଛାତ୍ରୀଜଣକ ୬ ମାସ ଧରି କ୍ରମାଗତ ଭାବେ ଗୁହାରି କରିବା ପରେ ମଧ୍ୟ ରାଜ୍ୟ ସରକାର କିମ୍ବା ବିଜେପି ନେତୃବୃନ୍ଦ ତାଙ୍କ କଥା ଶୁଣି ନ ଥିଲେ। ବରଂ ଶାରୀରିକ ଓ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଚରମ ନିଷ୍ପତ୍ତି ନେଇଥିଲେ। ଛାତ୍ରୀଙ୍କୁ ସୁରକ୍ଷା ଦେବାର ଅକ୍ଷମ ହୋଇଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ସେହିପରି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବେ ଛାତ୍ରୀମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଏକ ପ୍ରହସନରେ ପରିଣତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ଦାୟିତ୍ବ ତୁଲାଇ ନ ଥିବାରୁ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ।
ବିକ୍ଷୋଭରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ହୋଇଥିବା ୟାସିର ନୱାଜ, ମହମ୍ମଦ ଇମ୍ଜାଦ୍, ମନୋଜ ବିଶ୍ୱାଳ, ନିହାର ବେହେରା, ମହମ୍ମଦ ଗୁଲ୍ଫାମ୍, କେଦାର ଦଳେଇ, ମହମ୍ମଦ ପର୍ଭେଜ୍, ଲିପିକା ପାତ୍ର, ଲିପ୍ସା ନାୟକ, ଆଶୁତୋଷ ମହାନ୍ତି, ବାବୁ ଜେନା, ବଟକୃଷ୍ଣ ରାଉତରାୟ, ଶ୍ରୀୟା ମହାନ୍ତି, ସୁରୋଜ ରାଉତ, ସାଗର ପଟ୍ଟନାୟକ, ସୌମ୍ୟରଞ୍ଜନ ବରାଳ, ରାଜେଶ ଦାସ, ସ୍ୱସ୍ତିକ ପ୍ରିୟଦର୍ଶନୀ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ନେତୃତ୍ବ ନେଇଥିଲେ।
ବାଲେଶ୍ବର ୮ ଘଣ୍ଟା ଠପ୍: ସୋରରେ ଅଟକାଇଲେ ଟ୍ରେନ୍,ସରକାରଙ୍କ ବିରୋଧରେ ନାରାବାଜି
ବାଲେଶ୍ବର: ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ବିଜେଡିର ବନ୍ଦ ଡାକରା ଯୋଗୁ ଆଜି ୮ଘଣ୍ଟା ଧରି ବାଲେଶ୍ବର ଜିଲ୍ଲା ଠପ୍ ହୋଇଯାଇଥିଲା। ଗାଡ଼ି ଗଡ଼ିଲାନି କି ଦୋକାନବଜାର ଖୋଲିଲାନି। ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ପୌରପାଳିକା କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ୍, ସ୍କୁଲ୍, କଲେଜ, ସରକାରୀ, ବେସରକାରୀ ଅନୁଷ୍ଠାନ, ବସ୍ ଚଳାଚଳ ଆଦି ବନ୍ଦ ରହିଥିଲା। ବନ୍ଦପାଳନ ସମୟରେ ବିଜେଡି ନେତା ଓ କର୍ମୀ ସରକାରଙ୍କ ବିରୋଧରେ ନାରାବାଜି କରିଥିବା ବେଳେ ପଞ୍ଚାୟତ ସ୍ତରରେ ବି ବନ୍ଦର ପ୍ରଭାବ ପଡ଼ିଥିଲା।
ଆଜି ସକାଳ ୬ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଜିଲ୍ଲା ସଦର ମହକୁମାସ୍ଥିତ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀ, କର୍ମଚାରୀମାନଙ୍କୁ ଫେରିଯିବାକୁ ବିଜେଡି କର୍ମୀମାନେ ନିବେଦନ କରିଥିଲେ। ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସ୍ପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ଦୃଷ୍ଟିରୁ ପୁଲିସ ମୁତୟନ କରାଯାଇଥିଲା। ଜିଲ୍ଲା କୋର୍ଟ ସମ୍ମୁଖରେ ପହଞ୍ଚି ବିଜେଡି କର୍ମୀମାନେ ପିକେଟିଂ କରିଥିଲେ। କୋର୍ଟ ଖୋଲାଥିବା ବେଳେ ଓକିଲମାନେ ବନ୍ଦକୁ ସମର୍ଥନ କରିଥିବାରୁ ଅଦାଲତି କାମ ସ୍ବାଭାବିକ ହୋଇ ପାରିନଥିଲା। ୧୬ ନମ୍ବର ଜାତୀୟ ରାଜପଥ ଜନଶୂନ୍ୟ ରହିଥିଲା। ରାସ୍ତାପାର୍ଶ୍ବରେ ଟ୍ରକ୍ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ବସ୍ଷ୍ଟାଣ୍ଡ୍ରୁ ବସ୍ ମଧ୍ୟ ଗଡ଼ି ନଥିଲା। ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ଅଟକି ରହିଥିଲେ। ବାଲେଶ୍ବର ରେଳ ଷ୍ଟେସନ୍ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଷ୍ଟେସନ୍ରେ ବିଜେଡି କର୍ମୀମାନେ ପହଞ୍ଚି ପ୍ରତିବାଦ କରିଥିଲେ। ରେଳ ଚଳାଚଳ ସ୍ବାଭାବିକ ରହିଥିଲା। ତେବେ, ସୋର ଷ୍ଟେସନ୍ରେ ବିଜେଡି କର୍ମୀମାନେ ଜନଶତାବ୍ଦୀଏକ୍ସପ୍ରେସ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ ଅଟକାଇଥିଲେ।
ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଜିଲ୍ଲା ସଦର ମହକୁମା ଷ୍ଟେସନ୍ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା। ପ୍ରାୟ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ରେମୁଣାରେ ବିଜେଡି ନେତ୍ରୀ ବିଦ୍ୟାସ୍ମିତା ମହାଳିକଙ୍କ ନେତୃତ୍ବରେ ବିଜେଡି କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ନୀଳଗିରିରେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସେହିପରି ମୃତକଙ୍କ ଜନ୍ମମାଟି ଭୋଗରାଇର ଥାନା ଛକ, କମର୍ଦ୍ଦାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଆହ୍ବାନକ୍ରମେ ବନ୍ଦ ପାଳନ କରାଯାଇଥିଲା। ବସ୍ତା, ବାଲିଆପାଳରେ ବିଧାୟିକା ସୁବାସିନୀ ଜେନାଙ୍କ ନେତୃତ୍ବରେ ବନ୍ଦ ପାଳନ ବେଳେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଔପଦା, ଖଇରା, ସିମୁଳିଆରେ ଶାନ୍ତିଶୃଙ୍ଖଳାର ସହିତ ବନ୍ଦ ପାଳନ କରାଯାଇଛି। ବନ୍ଦ ବେଳେ ଜିଲ୍ଲାର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା। ଅପରାହ୍ଣ ୨ଟା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ଜିଲ୍ଲାର ଜନସାଧାରଣ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ ଦେଇଛନ୍ତି। ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା। ବଞ୍ଚିଥିବା ବେଳେ ଲଢ଼ି ଛାତ୍ରୀଜଣଙ୍କ ନ୍ୟାୟ ପାଇଲେନି, ମୃତ୍ୟୁ ପରେ ହେଲେ ବି ତାଙ୍କୁ ନ୍ୟାୟ ଦିଆଯାଉ। କେବଳ ଅଧ୍ୟକ୍ଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କୁ ଗିରଫ କରିଦେଲେ ଚଳିବ ନାହିଁ; ଅବହେଳା କରିଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଘଟଣା ବିଷୟରେ ଅବଗତ ହେବା ପରେ ଜିଲ୍ଲାପାଳ, ଏସ୍ପି ଓ ବାଲେଶ୍ବର ସାଂସଦ କାହିଁକି ନିରବ ଥିଲେ; ସରକାର ତା’ର ଜବାବ ଦିଅନ୍ତୁ।
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ଜିଲ୍ଲାର ଜନସାଧାରଣ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ ଦେଇଛନ୍ତି। ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା। ବଞ୍ଚିଥିବା ବେଳେ ଲଢ଼ି ଛାତ୍ରୀଜଣଙ୍କ ନ୍ୟାୟ ପାଇଲେନି, ମୃତ୍ୟୁ ପରେ ହେଲେ ବି ତାଙ୍କୁ ନ୍ୟାୟ ଦିଆଯାଉ। କେବଳ ଅଧ୍ୟକ୍ଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କୁ ଗିରଫ କରିଦେଲେ ଚଳିବ ନାହିଁ; ଅବହେଳା କରିଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଘଟଣା ବିଷୟରେ ଅବଗତ ହେବା ପରେ ଜିଲ୍ଲାପାଳ, ଏସ୍ପି ଓ ବାଲେଶ୍ବର ସାଂସଦ କାହିଁକି ନିରବ ଥିଲେ; ସରକାର ତା’ର ଜବାବ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/17/dagddgdczcv-2025-07-17-01-38-45.jpg)