କାର୍‌ରୁ ଜବତ ୨ ଲକ୍ଷ ଟଙ୍କା କୁଆଡ଼େ ଯାଉଥିଲା? ବାଲେଶ୍ବର ସବ୍‌ରେଜିଷ୍ଟ୍ରାର୍‌ ଗିରଫ

ଶିକ୍ଷୟିତ୍ରୀ ପତ୍ନୀଙ୍କ ପୁରୀ ଭଡ଼ାଘରେ ଚଢ଼ଉ

ବାଲେଶ୍ବର : ନୂଆବର୍ଷ ଆରମ୍ଭରୁ ଦୁର୍ନୀତି ନିବାରଣ ବିଭାଗ ହାତ‌ରେ ଧରାପଡ଼ିଛନ୍ତି ଓଡ଼ିଶା ରାଜସ୍ବ ସେବା (ଓଆରଏସ୍‌)ର ବରିଷ୍ଠ ଅଧିକାରୀ ତଥା ବାଲେଶ୍ବର ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ ରଞ୍ଜନ କୁମାର ଦାସ। ତାଙ୍କ ନିକଟ‌ରୁ ନଗଦ ୨ ଲକ୍ଷ ୨୩ ହଜାର ୫୮୦ ଟଙ୍କା ସହିତ ଏକ କାର୍‌ ଜବତ କରାଯାଇଛି। ଲାଞ୍ଚ ମାମଲାରେ ସଂପୃକ୍ତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ କେସ୍‌ ନଂ-୧/୨୧, ଦୁର୍ନୀତି ନିବାରଣ ଆଇନର ଧାରା ୧୩ (୨),୧୩ (୧) (ବି), ପିସି ଆକ୍ଟ ୨୦୧୮ରେ ମାମଲା ରୁଜୁ ହୋଇଛି। ଏଥିସହିତ ପୁରୀରେ ରହୁଥିବା ଶ୍ରୀ ଦାସଙ୍କ ଶିକ୍ଷୟିତ୍ରୀ ପତ୍ନୀଙ୍କ ଭଡ଼ାଘରେ ମଧ୍ୟ ଚଢ଼ଉ ଜାରି ରହିଥିବା ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ବର୍ଷ ଆରମ୍ଭରୁ ଦୁର୍ନୀତି ନିବାରଣ ସଂସ୍ଥା ହାତରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଧରାପଡ଼ିବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ, ଲାଞ୍ଚ କାରବାର ନେଇ ସବ୍‌ ରେଜିଷ୍ଟ୍ରାର୍‌ ଶ୍ରୀ ଦାସଙ୍କ ବିରୋଧରେ ବହୁ ଅଭିଯୋଗ ଆସିବା ପରେ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା ଭିଜିଲାନ୍ସ। ଶୁକ୍ରବାର ଦିନ କୌଣସି ଏକ କାମ ପାଇଁ ସେ ଉତ୍କୋଚ ନେଇଥିବା ଭିଜିଲାନ୍ସ ଏସ୍‌ପି ଶ୍ରୀ ମିଶ୍ର ପକ୍କା ସୂତ୍ରରୁ ଖବର ପାଇଥିଲେ। ଏହାପରେ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟ ଓ ଇନ୍‌ସପେକ୍ଟର ସୁଶିଲ୍‌ କୁମାର ଏକ୍କାଙ୍କ ନେତୃତ୍ବରେ ଏକ ଟିମ୍‌ ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ଶ୍ରୀ ଦାସ ଏକ ଘରୋଇ କାରରେ ପତ୍ନୀଙ୍କ ପାଖକୁ ପୁରୀ ଯିବାକୁ ବାହାରିଥିଲେ। ବାଲେଶ୍ବର ସହରଠାରୁ ୧୨ କିମି ଦୂର ଶେରଗଡ଼ ଟୋଲଗେଟ୍‌ରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କ କାରକୁ ଅଟକାଇ ଯାଞ୍ଚ କରିବାବେଳେ ତାଙ୍କ ନିକଟ‌ରୁ ୨ ଲକ୍ଷ ୨୩ ହଜାର ୫୮୦ ଟଙ୍କା ଜବତ କରିଥିଲା। ଏତେ ଟଙ୍କା କେଉଁଠୁ ଆଣିଛନ୍ତି ଏବଂ ଟଙ୍କା କାହାର, ସେ ସଂପର୍କରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ହେଲେ, ଶ୍ରୀ ଦାସ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଘାବରେଇ ଯାଇ ପତ୍ନୀଙ୍କ ପାଖକୁ ପୁରୀ ଯାଉଛି ବୋଲି କହିଥିଲେ। ତାଙ୍କ ପତ୍ନୀ ପୁରୀ ଜିଲ୍ଲା ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଥିବା କହିଥିଲେ। ପରେ ଭିଜିଲାନ୍ସ ଶ୍ରୀ ଦାସଙ୍କୁ ସେଠାରୁ ଗିରଫ କରି ବିଭାଗୀୟ ହେପାଜତକୁ ନେଇଥିଲା। ସେଠାରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ସହ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେ ଦିଗରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର