ବାଲେଶ୍ୱର, ତିର୍ତ୍ତୋଲ ଫଳାଫଳ ଆଜି

ସକାଳ ୮ଟାରୁ ଗଣତି ଆରମ୍ଭ, ପ୍ରଥମେ ପୋଷ୍ଟାଲ୍ ଭୋଟ୍‌

ଦୁଇଟି ଯାକ ଆମର: ବିଜେଡି
ବିଜେପିର ଦାବି ଆମେ ଜିତିବୁ

ଭୁବନେଶ୍ୱର : ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିଯିବ ଯେ ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ କାହାର ବାଜିମାତ୍ ହେଲା। ଉଭୟ ବିଜେଡି ଏବଂ ବିଜେପି ନିଜ ନିଜ ଆସନ ସୁରକ୍ଷିତ ରଖିପାରିଲେ ନା ନାହିଁ? ବିଧାନସଭା ଆସନ ସଂଖ୍ୟାରେ ପରିବର୍ତ୍ତନ ହେବ କି? ଅର୍ଥାତ୍ ଦୁଇଟି ଆସନରେ ବିଜେଡି ଜିତିବନି ତ? ବିଜେପି ତିର୍ତ୍ତୋଲ ଆସନକୁ ବିଜେଡି ଠାରୁ ଛଡାଇ ନେବ କି? କଂଗ୍ରେସ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହେବ ନା ତିନି ନମ୍ବର ସ୍ଥାନରେ ରହି ଆହୁରି ଦୁର୍ବଳ ପ୍ରଦର୍ଶନ କରିବ? ଏମିତିକି ମାଳ ମାଳ ପ୍ରଶ୍ନ ଉପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସରଗରମ ରହିଛି। ନିର୍ବାଚନ ଦାୟିତ୍ବରେ ଥିବା ନେତା ଏବଂ ସବୁ ଦଳର ଶୀର୍ଷ ନେତୃତ୍ବ ଆଉଥରେ ସେମାନଙ୍କ ସ୍ଥିତି ସଂପର୍କରେ ହିସାବ ନିକାସ ଚଳାଇଛନ୍ତି। କିଭଳି ବିନା ବାଧାବିଘ୍ନରେ ଭୋଟ ଗଣତି କାର୍ଯ୍ୟ ସମାହିତ ହେବ, ସେ ନେଇ କସରତ ଚଳାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତ। ନିର୍ବାଚନ ଲଢିଥିବା ୧୫ଜଣ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଉଛି। ରାତି ପାହିଲେ, ସେମାନଙ୍କ ଉଦ୍ଦେଶ୍ୟରେ ଭୋଟର ଯେଉଁ ରାୟ ଦେଇଛନ୍ତି, ତାହା ସାମ୍ନାକୁ ଆସିବ।

ଏହାର ଅବ୍ୟବହିତ ପୂର୍ବରୁ ରାଜନୈତିକ ନେତାମାନେ ସେମାନଙ୍କ ସ୍ଥିତି ନେଇ ପୂର୍ବାନୁମାନ ଆରମ୍ଭ କରିସାରିଲେଣି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ଏବଂ ବିଜେପି ସହିତ ଯେମିତି ଲଢ଼ିବା କଥା ସେମିତି ହୋଇନାହିଁ। କାରଣ ଅର୍ଥାଭାବ ଓ କରୋନା ପ୍ରଭାବ ରହିଛି। ଅର୍ଥ ମାଧ୍ୟମରେ ସେମାନେ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ତା ସତ୍ତ୍ୱେ, ଆଶା କରୁଛୁ ଗତ ନିର୍ବାଚନରେ ଯେଉଁ ଫଳ ପାଇଥିଲୁ, ତା ଠାରୁ ଭଲ ପାଇବୁ। ଆମେ ପରାଜୟ ସ୍ୱୀକାର କରିନୁ। ଜିତି ଯାଇ ପାରୁ।

ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜନୈତିକ ସ୍ଥିତି ଓ ଭୋଟରଙ୍କ ମନ ଯାହା ଥିଲା, ବିଜେପି ଦୁଇଟି ଯାକ ଆସନରେ ଭଲ କରିବ। ଭୋଟ ବ୍ୟବଧାନ ଉପରେ ମତ ଦେବାକୁ ଚାହୁଁନାହୁଁ। ଜିତିବା ସମ୍ଭାବନା ଅଛି। ଆମେ ଏକ ହୋଇ ଲଢ଼ିଛୁ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ବିଶେଷ କରି କୋଭିଡ ସମୟରେ ବିଭିନ୍ନ ସହାୟତା ଲୋକଙ୍କ ପାଖରେ ପହଞ୍ଚିଛି। ଯାହା ଲୋକଙ୍କ ଭିତରେ ବିଜେପି ପାଇଁ ଆତ୍ମପ୍ରତ୍ୟହ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବିଜେଡି ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା କହିଛନ୍ତି ଯେ ଦୁଇଟି ଯାକ ଆସନରେ ବିଜେଡି ହିଁ ଜିତିବ। ଦଳର ସଦସ୍ୟ ସଂଖ୍ୟା ବିଧାନସଭାରେ ୧୧୪ ହେବା ସ୍ପଷ୍ଟ। ଏଥିରେ ଆଉ କୌଣସି ସନ୍ଦେହ ନାହିଁ।

ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ। କୋଭିଡ୍ କଟକଣା ଭିତରେ ଏହି କାର୍ଯ୍ୟ ସମାହିତ ହେବ। ଇଭିଏମ୍ ପାଇଁ ଦୁଇଟି ଓ ପୋଷ୍ଟାଲ୍ ବାଲଟ୍ ପାଇଁ ଗୋଟିଏ, ଏହିଭଳି ମୋଟ ତିନିଟି ପ୍ରକୋଷ୍ଠରେ ଗଣତି ହେବ। ସେହିଭଳି ୭ଟି ଟେବୁଲ୍‌ରେ ଇଭିଏମ୍ ଏବଂ ଗୋଟିଏ ଟେବୁଲ୍‌ରେ ପୋଷ୍ଟାଲ୍ ଭୋଟ୍ ଗଣତି କରାଯିବ।

ବାଲେଶ୍ବର ପାଇଁ ୩ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରଥମେ ପୋଷ୍ଟାଲ୍ ଭୋଟ୍ ଏବଂ ଏହାର ଅଧଘଣ୍ଟାଏ ପରେ ଇଭିଏମ୍ ଭୋଟ ଗଣା ଆରମ୍ଭ ହେବ। ଉଭୟ ନିର୍ବାଚନମଣ୍ଡଳୀରେ ମୋଟ ୧୧୦ ଜଣ କାଉଣ୍ଟିଂ ଅଧିକାରୀ ୫୭ ଜଣ ମାଇକ୍ରୋ ଅବଜରଭର ରହିବେ। ପ୍ରତି କାଉଣ୍ଟିଂ ଟେବୁଲ୍ ପାଇଁ ଜଣେ ଏଜେଣ୍ଟ ରହିବେ। ସେହିଭଳି ରିଟର୍ଣ୍ଣିଂ ଅଫିସରଙ୍କ ଟେବୁଲ୍ ପାଇଁ ଜଣେ ଏବଂ ପୋଷ୍ଟାଲ୍ ବାଲଟ୍ ଟେବୁଲ୍‌ ଲାଗି ଆଉଜଣେ ଏଜେଷ୍ଟ ରହିବେ। ଭୋଟ ଗଣତି ଶେଷ ପରେ ଅନିୟମିତ ଭାବେ ୫ଟି ବୁଥର ଭିଭିପାଟ୍ ଥିବା ପେପର ସ୍ଲିପ୍ ଗଣତି ହେବ।

ସାମାଜିକ ଦୂରତା ସହିତ ମାସ୍କ, ଫେସ ସିଲ୍ଡ, ସାନିଟାଇଜର ଆଦିର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ।

ଉଲ୍ଲେଖଥାଉକି, ଗତ ୩ ତାରିଖରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ବାଲେଶ୍ବରରେ ୭୦.୬୯ ପ୍ରତିଶତ ଭୋଟର ଏବଂ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଏହି ଭୋଟରମାନେ ମୋଟ ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ବାଲେଶ୍ବରରୁ ୬ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେେଳ ତିର୍ତ୍ତୋଲରୁ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧିତ ଖବର